ଭାରତରେ ବିଳମ୍ବରେ ଆସିବ କରୋନାର ତୃତୀୟ ଲହର, ICMR ରିପୋର୍ଟ ଦେଲା ଆଶ୍ବସ୍ତି : ଟିକାକରଣ ପାଇଁ ମିଳିବ ଅଧିକ ସମୟ

Published By : Prameya-News7 Bureau | June 27, 2021 IST

ନୂଆଦିଲ୍ଲୀ ୨୭/ ୦୬ : ଦେଶ​‌ରେ କରୋନା ସଂକ୍ରମଣର ଭୟାବହତା କମିନଥିବା ବେଳେ ଦ୍ବିତୀୟ ଲହର ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିଲା । କିନ୍ତୁ ଯେଉଁଭଳି ଗତିରେ ଦ୍ବିତୀୟ ଲହର ଭୟଙ୍କର ହୋଇଥିଲା ଏବେ ତାହା ଧିରେ ଧିରେ କମିବାରେ ଲାଗିଛି । କିନ୍ତୁ ଖୁବଶୀଘ୍ର କରୋନାର ତୃତୀୟ ଲହର ମଧ୍ୟ ଆସିବା ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇସାରିଛନ୍ତି । ଏହାରି ଆଉ ଏକ ଗୁରୁତ୍ବପୂର୍ଣ୍ଣ ଖବର ଆସିଛି । କେନ୍ଦ୍ର ସରକାରଙ୍କର କୋଭିଡ ପରିଚାଳନା ବିଭାଗ କହିଛି ଯେ, ଦେଶରେ ସଂକ୍ରମଣର ତୃତୀୟ ଲହରସେପ୍ଟେମ୍ବରରେ ନୁହେଁ ବରଂ ଡିସେମ୍ବରରେ ଆସିପାରେ ।

କେନ୍ଦ୍ର ସରକାରଙ୍କର କୋଭିଡ ପରିଚାଳନା ବିଭାଗ ପ୍ରମୁଖ ଏନ.କେ. ଅରୋରା ଏ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି, ICMR ଷ୍ଟଡିରୁ ସୂଚନା ମିଳିଛି କି ଦେଶରେ କରୋନା ସଂକ୍ରମଣର ତୃତୀୟ ଲହର ଡେରିରେ ଆସିବ । ତେଣୁ ଏହାକୁ ନେଇ ଭଲ ଖବର ହେଉଛି ଯଦି ଦେଶରେ ତୃତୀୟ ଲହରକୁ ନେଇ ସାମାନ୍ୟ ଆଶ୍ବସ୍ଥି ମିଳୁଛି ବା ତୃତୀୟ ଲହର ଡେରିରେ ଆସିପାରେ ବୋଲି ଅନୁମାନ କରାଯାଉଛି ତେବେ ଏହି ସମୟ ମଧ୍ୟରେ ଦେଶରେ ଟିକାକରଣ ପାଇଁ ଅଧିକ ସମୟ ମିଳିପାରିବ । କେନ୍ଦ୍ର ସରକାର ପ୍ରତିଦିନ ୧ କୋଟି ଟିକା ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

ଦେଶ​‌ର ସମସ୍ତ ନାଗରିକଙ୍କୁ ଟିକା ଦେବା ପାଇଁ ଆହୁରି ୬ରୁ୮ ମାସ ସମୟ ଲାଗିବ । ଅର୍ଥାତ ପ୍ରତିଦିନ ୧ କୋଟି ଟିକାକରଣ ହେଲେ ତୃତୀୟ ଲହର ଆସିବା କ୍ଷଣି ଦେଶରେ ପ୍ରାୟତଃ ଟିକାକରଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବ । ସେଣ୍ଟ୍ରାଲ ପ୍ୟାନେଲର ଚେୟାରମ୍ୟାନ କହିଛନ୍ତି, ଦେଶରେ ଡେଲଟା ପ୍ଲସ ଯୋଗୁଁ କରୋନାର ତୃତୀୟ ଲହର ଆସିପାରେ । କିନ୍ତୁ ଏ ନେଇ ବର୍ତ୍ତମାନଠାରୁ କହିବା ମୁସ୍କିଲ କିନ୍ତୁ ସତର୍କତା ନିହାତି ଜରୁରି ବୋଲି ସେ କହିଛନ୍ତି ।

ଦେଶରେ ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟର ମାମଲା ବୃଦ୍ଧିପାଉଥିବାରୁ କରୋନାର ତୃତୀୟ ଲହର ଆସିବାର ଆଶଙ୍କା ରହିଛି । କିନ୍ତୁ ବିଶେଷଜ୍ଞଙ୍କ କହିବା କଥା ଏହକୁ ରୋକାଯାଇପାରିବ । ଯେଉଁ ଦେଶରେ ବର୍ତ୍ତମାନ ସୁଦ୍ଧା ୨୦ ପ୍ରତିଶତରୁ ଅଧିକ ଟିକାକରଣ ଶେଷ ହୋଇଛି ସେଠା​‌ରେ କରୋନାର ତୃତୀୟ ଲହର ଆସିନାହିଁ । କିଛି ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, କରୋନାର ତୃତୀୟ ଲହର ଏତେ ପ୍ରଭାବୀ ହେବ ନାହିଁ ତଥାପି ସତର୍କ ରହିବା ଜରୁରି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.