ବିଶେଷଜ୍ଞଙ୍କ ଦାବି, ସବୁକିଛି ଠିକ୍‌ ରହିଲେ ଦୁଇ ସପ୍ତାହରେ ସମାପ୍ତ ହୋଇଯିବ କରୋନାର ଦ୍ବିତୀୟ ଲହର

Published By : Prameya-News7 Bureau | May 17, 2021 IST

ନୂଆଦିଲ୍ଲୀ ୧୭/୫: ଭାରତରେ ଆସିଥିବା କରୋନା ଭୂତାଣୁର ଦ୍ବିତୀୟ ଲହର ସମାପ୍ତ ହେବାକୁ ଯାଉଛି। ଫେବୃଆରୀ ୨୦୨୧ରେ ଆସିଥିବା ଦ୍ବିତୀୟ ଲହର ଯୋଗୁଁ ଏପ୍ରିଲ୍‌ ଶେଷ ସୁଦ୍ଧା ଦୈନିକ ୪ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ କିନ୍ତୁ ୯ ମେ’ ପରେ ମାମଲା କମିଥିଲା । ଏହାର ଅର୍ଥ ଦେଶ ସଠିକ ଭାବେ କରୋନା ସହ ମୁକାବିଲା କରୁଛି। ଏହି ଲହରର ପିକ୍‌ ଆସିବା ପରେ ପୁଣି ପ୍ରଶ୍ନ ଆସିଛି ଯେ, କେବେ ଯାଏ ଦ୍ବିତୀୟ ଲହର ଜାରି ରହିବ। ତେବେ ଏହାର ଜବାବରେ ସଫଦରଜଙ୍ଗ ହସ୍ପିଟାଲର କମ୍ୟୁନିଟି ମେଡିସନ୍‌ ବିଭାଗର ପ୍ରଫେସର ଏବଂ ମୁଖ୍ୟ ଡାକ୍ତର ଯୁଗଳ କିଶୋର କହିଛନ୍ତି, ଯଦି ସବୁକିଛି ଠିକ୍‌ ଚାଲିଲା ତେବେ ଦ୍ବିତୀୟ ଲହର ୧୦ରୁ ଦୁଇ ସପ୍ତାହ ମଧ୍ୟରେ ସାମପ୍ତ ହୋଇଯିବ।

ଭାରତରୁ ଦ୍ବିତୀୟ ଲହର ଅପସରି ଯିବା କାହା ଉପରେ ନିର୍ଭର କରେ ସେନେଇ ମଧ୍ୟ ସେ କହିଛନ୍ତି। ଏଥିରେ ସବୁଠୁ ମୁଖ୍ୟ କଥା ହେଉଛି ଲୋକମାନେ କୋଭିଡ ନିୟମ ମାନିବା ସହ ଏହି ଭୂତାଣୁ ବ୍ୟାପିବାକୁ ରୋକିବେ। ଯଦି ଲୋକମାନଙ୍କ ଗମନାଗମନ ରାସ୍ତାରେ ପୂର୍ବବତ ହେବ ଏବଂ ବଜାରରେ ଭିଡ଼ ଜମିବ ତେବେ ଦ୍ବିତୀୟ ଲହର ସମାପ୍ତ ହେବାର ସମୟ ଗଡ଼ି ଗଡ଼ି ଯିବ। ଏହା ସହ ସରକାର ଟିକାକରଣ ଜୋରଦାର କରି ଅଧିକରୁ ଅଧିକ ଲୋକଙ୍କୁ ଟିକା ଦେଇପାରିଲେ ଦ୍ବିତୀୟ ଲହର ଶେଷ ହୋଇପାରିବ ବୋଲି ସେ କହିଛନ୍ତି।

ଡାକ୍ତର ଯୁଗଳ କିଶୋରଙ୍କ ମତରେ ସକ୍ରିୟ ମାମଲା ଯେତିକି କମିବ ଦ୍ବିତୀୟ ଲହର ପ୍ରକୋପ ସେତିକି ସେତିକି କମି କମି ଯିବ। ସଂକ୍ରମଣ ହେବାର ଦୁଇ ତିନି ଦିନ ପରେ ସଂକ୍ରମିତଙ୍କ ଅବସ୍ଥା ବିଗୁଡ଼ୁଥିବା ବେଳେ ଆଗାମୀ ୧୦ ଦିନ ସେମାନଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଥାଏ। କେବଳ ସଂକ୍ରମିତଙ୍କ ପାଇଁ ନୁହେଁ ବରଂ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କ ପାଇଁ ଏହି ସମୟ ମହତ୍ବପୂର୍ଣ୍ଣ। ଏହି ସମୟରେ ଯଦି କାହାକୁ କିଛି ଅସୁବିଧା ହେଉନାହିଁ ତେବେ ଠିକ୍‌ ଅଛି କିନ୍ତୁ ଯଦି ଅସୁବିଧା ହେଉଛି ତେବେ ସେମାନେ ନିଜକୁ ଆଇସୋଲେଟ୍‌ କରିନେବା ଦରକାର ବୋଲି ଡାକ୍ତର ଯୁଗଳ କିଶୋର କହିଛନ୍ତି।

ଏହା ସହ ଆକ୍ଟିଭ୍‌ ମାମଲା କମିବା ହେଉଛି ଦ୍ବିତୀୟ ଲହର ପ୍ରକୋପ ହ୍ରାସର ପ୍ରମାଣ। ଏହାକୁ ଲୋକମାନେ ନଜେ ନିୟମ ପାଳନ କରିବା ଦ୍ବାରା ହାସଲ କରିପାରିବେ । ଦେଶର ଅଧିକାଂଶ ଲୋକେ ଭୂତାଣୁ ସଂସ୍ପର୍ଶରେ ଆସିଛନ୍ତି। କେହି କେହି ନିଜର ଭଲ ରୋଗ ପ୍ରତିରୋଧକ ଶକ୍ତି ଯୋଗୁ ବର୍ତ୍ତିଯାଉଛନ୍ତି। କିନ୍ତୁ ଏମିତି ମଧ୍ୟ ଦେଖାଯାଇଛି ଯେ, ଭଲ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକେ କରୋନାକୁ ମାତ ଦେଇ ଭଲ ହୋଇଥିଲେ ହେଁ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ଲୋକେ ସଂକ୍ରମିତ ଚିହ୍ନଟ ହେଉଛନ୍ତି ବୋଲି ଯୁଗଳ କିଶୋର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.