ମହାରାଷ୍ଟ୍ରରେ ସୁସ୍ଥ ହେଲେ କରୋନାର ପ୍ରଥମ ରୋଗୀ, ଆଇସୋଲେସନରୁ ଜେନେରାଲ ଓ୍ଵାର୍ଡକୁ ସ୍ଥାନାନ୍ତର
18/03/2020 at 7:54 PM

ପୁଣେ ୧୮।୦୩: ମହାରାଷ୍ଟ୍ରରେ କରୋନା ଭୂତାଣୁ ସଂପର୍କରେ ଏକ ଆଶ୍ଵସ୍ତିକର ଖସବର ସାମ୍ନାକୁ ଆସିଛି। ଏଠାରେ କରୋନା ସଂକ୍ରମିତ ପ୍ରଥମ ରୋଗୀ ସୁସ୍ଥ ହୋଇଛନ୍ତି। ମାତ୍ର ତାଙ୍କୁ ଏବେ ମେଡିକାଲରୁ ଡିସଚାର୍ଜ କରାଯାଇ ନାହିଁ। ମାତ୍ର ରୋଗୀଙ୍କୁ ଆଇସିୟୁରୁ ଜେନେରାଲ ଓ୍ଵାର୍ଡକୁ ସ୍ଥାନାନ୍ତର କରାଯାଇଛି।
ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ରର ପୁଣେରେ କରୋନା ସଂକ୍ରମିତର ପ୍ରଥମ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ଏହି ରୋଗୀ ପର୍ଯ୍ୟଟକ ଦଳ ସହିତ ଦୁବାଇ ଯାତ୍ରା କରିଥିଲେ ଏବଂ ସେଠାରୁ ଫେରିବା ପରେ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିଲେ। ତାଙ୍କୁ ଆଇସୋଲେସନ ଓ୍ଵାର୍ଡରେ ରଖାଯାଇ ଚିକିତ୍ସା କରାଯାଉଥିଲା। ଏବେ ସେ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ଜେନେରାଲ ଓ୍ଵାର୍ଡକୁ ସ୍ଥାନାନ୍ତର କରାଯାଇଛି।

ଉଲ୍ଲେଖଯୋଗ୍ୟ, ସମଗ୍ର ବିଶ୍ଵରେ ସଂପ୍ରତି କରୋନା ପ୍ରକୋପ ଜାରି ରହିଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ଭାରତରେ ଦିନକୁ ଦିନ ବଢିବାରେ ଲାଗିଛି। ବୈଦେଶିକ ମନ୍ତ୍ରଣାଳୟ ଲୋକସଭାରେ ଏକ ଲିଖିତ ଜବାବରେ କହିଛନ୍ତି ଯେ, ୨୭୬ ଭାରତୀୟ ବିଦେଶରେ ସଂକ୍ରମିତ ହୋଇଛନ୍ତି। ଏଥିରୁ ଇରାନରେ ୨୫୫, ୟୁଏଇରେ ୧୨, ଇଟାଲୀରେ ୫ ଓ ହଂକ କଂଗ, କୁଏତ, ରଓ୍ଵାଣ୍ଡା ଓ ଶ୍ରୀଲଙ୍କାରେ ଜଣେ ଲେଖାଏଁ ଭାରତ ଅଛନ୍ତି।
ଭାରତରେ କରୋନା ପୀଡିତଙ୍କ ସଂଖ୍ୟା ୧୫୧ରେ ପହଞ୍ଚିଛି। ଏଥିରୁ ୨୫ ବିଦେଶୀ ନାଗରିକ ଥିଲେ। ଭାରତରେ ଅଦ୍ୟାବଧି ୧୪ ଜଣ କରୋନା ଭୂତାଣୁ ସଂକ୍ରମଣରୁ ସୁସ୍ଥ ହୋଇ ସାରିଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି।
ଦେଶରେ ସଂକ୍ରମଣକୁ ରୋକିବା ଲାଗି ଅନେକ ବଡ ବଡ ପଦକ୍ଷେପ ଉଠାଯାଉଛି। ଦିଲ୍ଲୀ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, କେରଳ, ଓଡିଶା ଓ କର୍ଣ୍ଣାଟକ ସମେତ ଅନେକ ରାଜ୍ୟରେ ସ୍କୁଲ, କଲେଜ ଓ ସିନେମାଘରକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି।