ଦେଶରେ କେବେ ନିୟନ୍ତ୍ରଣକୁ ଆସିବ କରୋନା ସୁନାମୀ ? ଲୋକଙ୍କୁ ଡରାଉଛି ବିଶେଷଜ୍ଞଙ୍କ ନୂତନ ତଥ୍ୟ

Published By : Prameya-News7 Bureau | April 27, 2021 IST

ନୂଆଦିଲ୍ଲୀ ୨୭।୦୪: କରୋନା ଭାଇରସ୍‌ର ଦ୍ଵିତୀୟ ଲହରରେ ଦେଶରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ଲୋକେ ନିଜ ଲୋକଙ୍କୁ ଆଖି ସାମ୍ନାରେ ମରୁଥିବା ଦେଖୁଛନ୍ତି। ମାତ୍ର ଚାହିଁ ବି କେହି କିଛି କରୁ ପାରୁନାହାନ୍ତି। ନିଜକୁ ଅସହାୟ ମଣୁଛନ୍ତି। ବିଶେଷ ଭାବେ ହସ୍ପିଟାଲଗୁଡିକରେ ଅକ୍ସିଜେନ୍‌ର ଘୋର ଅଭାବ ସ୍ଥିତିକୁ ଆହୁରି  ଜଟିଳ କରି ଦେଇଛି। ସରକାର ସ୍ଥିତି ଉପରେ ନିୟନ୍ତ୍ରଣ ପାଇଁ ଅହୋରାତ୍ର ପ୍ରୟାସ  ଜାରି ରଖିଛନ୍ତି। କିନ୍ତୁ ସଂକ୍ରମଣ ଥମିବାର ନାଁ ନେଉନାହିଁ।

ଏହା ମଧ୍ୟରେ ବିଶେଷଜ୍ଞଙ୍କ ନୂତନ ତଥ୍ୟ ଲୋକଙ୍କୁ ଆହୁରି ଭୟଭୀତ କରିଛି। କୁହାଯାଉଛି ଦ୍ଵିତୀୟ ଲହରରେ ସ୍ଥିତି ସୁଧୁରିବାକୁ ଜୁଲାଇ ପର୍ଯ୍ୟନ୍ତ ସମୟ  ଲାଗିପାରେ। ଅନ୍ୟପଟେ ମେ ଦ୍ଵିତୀୟ ସପ୍ତାହରେ କରୋନା ସଂକ୍ରମଣ ଚରମରେ ପହଞ୍ଚିବ। କିନ୍ତୁ ସଂକ୍ରମଣ ସର୍ବନିମ୍ନ ସ୍ତରକୁ ଆସିବାରେ ଅଢେଇ ମାସ କିମ୍ବା ସେଥିରୁ ଅଧିକ ସମୟ ଲାଗିପାରେ।

ଆଇଆଇଟି କାନପୁରର ପ୍ରୋଫେସର ମନିନ୍ଦର ଅଗ୍ରଓ୍ଵାଲ ସୂତ୍ର ଗାଣିତ୍ୟିକ ମୋଡେଲ୍ ଆଧାରରେ କହିଛନ୍ତି ଯେ, ଅନେକ ରାଜ୍ୟରେ କରୋନା ସଂକ୍ରମଣ ମାମଲା ମେ ମାସର ପ୍ରଥମ ସପ୍ତାହରେ ଚରମରେ ପହଞ୍ଚିପାରେ। ମେ ମଧ୍ୟଭାଗ ଆଡକୁ ସଂକ୍ରମଣ ଖସିବା ଆରମ୍ଭ ହେବ। ହେଲେ ଦେଶରେ ସ୍ଥିତି ସ୍ଵାଭାବିକ ହେଲା ବେଳକୁ ଜୁଲାଇ ମାସ ଲାଗି ଯାଇପାରେ। କାରଣ ସଂକ୍ରମଣ କମିବାର ହାର ମନ୍ଥର ରହିବ।

କେନ୍ଦ୍ରୀୟ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶର ୧୨ ରାଜ୍ୟରେ କରୋନା ସଂକ୍ରମଣ ଗତ ବର୍ଷର ଶୀର୍ଷ ସ୍ତରକୁ ଅତିକ୍ରମ କରିଛି। ଏହି ରାଜ୍ୟରେ ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ, ତାମିଲନାଡୁ, ମଧ୍ୟ ପ୍ରଦେଶ, ବିହାର, ହରିୟାଣା, ତେଲଙ୍ଗାନା ଏବଂ ଝାଡଖଣ୍ଡ ରହିଛି। ଏଥିପାଇଁ କୁହାଯାଉଛି ଯେ, ଏହି ସବୁ ରାଜ୍ୟରେ ଦ୍ଵିତୀୟ ଲହର ଚରମ ସ୍ଥିତିରେ ପହଞ୍ଚିପାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.