କରୋନା ଯୁଦ୍ଧରେ ହାରିଗଲେ ଯୋଦ୍ଧା : ଅଗ୍ନିଶମ ଅଧିକାରୀ ସୁରେନ୍ଦ୍ର ନାଥଙ୍କ ପରଲୋକ

Published By : Prameya-News7 Bureau | October 15, 2020 IST

ଭାପୁର ୧୫।୧୦: ଭାପୁର ବ୍ଲକ ଅଗ୍ନିଶମ କେନ୍ଦ୍ରର ଅଧିକାରୀ କୋଭିଡ୍‌ ଯୋଦ୍ଧା ସୁରେନ୍ଦ୍ର ନାଥ ଗଡପାଲ(୫୬)ଙ୍କ ବୁଧବାର ସକାଳ ସାଢେ ୯ଟାରେ ଆକସ୍ମିକ ବିୟୋଗ ଘଟିଛି । ବୁଧବାର ସକାଳ ୯ଟାରେ ଶ୍ରୀ ଗଡପାଲ କାର୍ଯ୍ୟାଳୟରୁ ଫେରି ସରକାରୀ ବାସଭବନକୁ ଗାଧୋଇବା ପାଇଁ ଯାଉଥିବା ବେଳେ ହଠାତ ପଡିଯାଇଥିଲେ। ସଙ୍ଗେ ସଙ୍ଗେ ସହକର୍ମୀମାନେ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।
ଖବର ପାଇ ଭାପୁର ବିଟ୍‌ ହାଉସ ଅଧିକାରୀ ସଚ୍ଚିଦାନନ୍ଦ ସାମନ୍ତରାୟ ଖଣ୍ଡପଡ଼ା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଏକ ଶୋକାକୁଳ ପରିବେଶରେ ଗ୍ରାମ ଶ୍ମଶାନରେ ଅନ୍ତିମ ସତ୍କାର କରାଯାଇଥିଲା ।

ସେ ଜଣେ ଦକ୍ଷ ଅଗ୍ନିଶମ ଅଧିକାରୀ ଭାବେ ଭାପୁର ଅଞ୍ଚଳରେ ପରିଚିତ ଥିଲେ। କିଛିଦିନ ପୂର୍ବରୁ କୋଭିଡ୍‌ ଯୋଦ୍ଧା ଭାବେ ଭାପୁର ବ୍ଲକ ଉପାଧ୍ୟକ୍ଷଙ୍କଠାରୁ ସମ୍ମାନିତ ହୋଇଥିଲେ। ସେ ଜଣେ କର୍ମଠ, ମେଳାପୀ ଓ ଉତ୍ତମ ସ୍ୱଭାବର ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ଭାପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଭାପୁର ଅଞ୍ଚଳର ସାମ୍ବାଦିକ, ପୁଲିସ ପ୍ରଶାସନ, ବୁଦ୍ଧିଜୀବୀ, ସମାଜସେବୀ, ରାଜନେତାମାନଙ୍କ ସହ ରାଜ୍ୟ ଅଗ୍ନିଶମ ଅଧିକାରୀ ଭାବଗ୍ରାହୀ ଘଡ଼େଇ, ଜିଲ୍ଲା ଅଗ୍ନିଶମ ଅଧିକାରୀ ଠାକୁର ପ୍ରସାଦ ଦଳେଇ ଓ ଭାପୁର ଅଞ୍ଚଳର ଜନସାଧାରଣ ଶେଷଦର୍ଶନ କରିଥିଲେ।

ସ୍ୱର୍ଗତ ଅଗ୍ନିଶମ ଅଧିକାରୀ କଟକ ଜିଲ୍ଲା ନରସିଂହପୁର ଥାନା ଲେହେଙ୍ଗ ଗ୍ରାମର ବାସିନ୍ଦା । ତାଙ୍କ ବିୟୋଗରେ ଭାପୁର ବ୍ଲକ ଉପାଧ୍ୟକ୍ଷ ଗୟାଧର ପରିଡା ଶୋକବ୍ୟକ୍ତ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ତାଙ୍କ ବିୟୋଗରେ ଭାପୁର ଅଂଚଳର ଜନସାଧାରଣ ଜଣେ ଦକ୍ଷ ଅଗ୍ନିଶମ ଅଧିକାରୀଙ୍କୁ ହରାଇଛି ବୋଲି ତାଙ୍କ ବକ୍ତବ୍ୟରେ କହିଛନ୍ତି । ଏନେଇ ଭାପୁର ପ୍ରେସ କ୍‌ଳବ ପକ୍ଷରୁ ସ୍ୱର୍ଗତ ଗଡପାଲଙ୍କ ବିୟୋଗରେ ଶୋକବ୍ୟକ୍ତ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛି । ଭାପୁର ପ୍ରେସ କ୍ଲବ ପକ୍ଷରୁ ମଧ୍ୟ ଶୋକବ୍ୟକ୍ତ କରାଯିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.