ପିପିଇ କିଟ୍ ପିନ୍ଧି ନାଚିଲେ, ମନୋରଞ୍ଜନ କଲେ, ଏମ୍ସ ଡାକ୍ତରଙ୍କ ଭିଡିଓ ଭାଇରାଲ…
18/07/2020 at 12:46 PM

ଭୁବନେଶ୍ୱର,୧୮|୭(ବ୍ୟୁରୋ): ଗୋଟିଏ ପଟେ ପ୍ରାଣଘାତୀ କୋଭିଡ୍-୧୯ର ଭୟ । ଆଉ ଗୋଟିଏ ପଟେ ମୃତ୍ୟୁ ସହ ଲଢ଼ୁଥିବା ରୋଗୀଙ୍କୁ ବଞ୍ଚାଇବାର ଗୁରୁ ଦାୟିତ୍ୱ । ଘର, ପରିବାରଠୁ ଦୂରରେ ରହି ଏସବୁ ତୁଲାଇବା ଏତେ ସହଜ କଥା ନୁହେଁ । ତଥାପି ଦାୟିତ୍ୱ ତୁଲାଇବାକୁ ହେବ । ତାହା ପୁଣି ମାନସିକ ସନ୍ତୁଳନ ରକ୍ଷା କରି । ତେଣୁ ଏଥିପାଇଁ ଦରକାର କିଛି ସେକେଣ୍ଡର ମସ୍ତି । ତା’ ପରେ ପୁର୍ନବାର କାମ କରିବାକୁ ହେବ । ଆଜି ଏଭଳି କିଛି ସେକେଣ୍ଡର ହାଲ୍କା ମନୋରଞ୍ଜନ କରି ମାନସିକ ଚାପକୁ ଦୂରେଇଛନ୍ତି ଜଣେ କରୋନା ଯୋଦ୍ଧା । ସେ ହେଲେ ଭୁବନେଶ୍ୱର ଏମ୍ସର ଡାକ୍ତର ସୌରଭ ପାଣିଗ୍ରାହୀ । ଚାପମୁକ୍ତ ହେବାକୁ ସେ ପିପିଇ କିଟ୍ ପିନ୍ଧି ହସ୍ପିଟାଲ ପ୍ରକୋଷ୍ଠରେ ନାଚିଛନ୍ତି । ଲକିଂ, ପପିଂ ଡ୍ୟାନ୍ସ କରି ଅନ୍ୟମାନଙ୍କୁ ଉତ୍ସାହିତ କରିଛନ୍ତି । ତେବେ ତାଙ୍କର ଏହି କିଛି ସେକେଣ୍ଡ ନାଚର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାରା ରାଜ୍ୟରେ ଚର୍ଚ୍ଚା ହୋଇଛି । ସାରା ଓଡ଼ିଶା ତାଙ୍କୁ ସାଲ୍ୟୁଟ୍ କରିଛି । ଉକ୍ତ ଭିଡ଼ିଓ ଯିଏ ଦେଖୁଛି ପ୍ରଶଂସା ନକରି ରହିପାରୁନି । ଖୁବ୍ କମ ସମୟ ମଧ୍ୟରେ ଭିଡ଼ିଓଟି ହଜାର ହଜାର ଦର୍ଶକଙ୍କ ପାଖରେ ପହଞ୍ଚିଯାଇଛି ।
ଏ ସମ୍ପର୍କରେ ଡା. ପାଣିଗ୍ରାହୀ କୁହନ୍ତି, ଡ୍ୟୁଟି ସମୟ ବହୁତ କଷ୍ଟ । ୪ମାସ ହେବ ଘରକୁ ଯାଇନି । ବରଗଡ଼ ପଦମପୁରରେ ବାପା ଏବଂ ଭାଇ ରହୁଛନ୍ତି । ପ୍ରତିଦିନ ସେମାନଙ୍କ ସହ କେବଳ ଫୋନ୍ରେ କଥା ହେଉଛି । ୮ରୁ ୧୦ ଘଣ୍ଟା ଡ୍ୟୁଟି । ନିତିଦିନିଆ କାମ ହିସାବରେ କରିବାକୁ ପଡ଼ୁଛି । ଅଧିକାଂଶ ସମୟ ଆଇସିୟୁ ଏବଂ ଜରୁରୀକାଳୀନ ସେବା କେନ୍ଦ୍ରରେ କଟୁଛି । କାମ ସରିଲେ ବାକି ସମୟ କ୍ୟାମ୍ପସ୍ ଭିତରେ ଥିବା ରୁମ୍ରେ । ଯେବେଠୁ ମହାମାରୀ କରୋନା ଡ୍ୟୁଟି ଆରମ୍ଭ ହୋଇଛି ସେବେଠୁ ସବୁ ଭୁଲିଯାଇଛୁ । ମନରେ ବିଶ୍ୱାସ ଓ ଭଗବାନଙ୍କ ଉପରେ ଭରସା ରଖି ଚାଲିଛୁ । ଦିନରାତି ପିପିଇ କିଟ୍ ପିନ୍ଧି ପରିସ୍ଥିତି ମୁକାବିଲା କରିବାକୁ ପଡ଼ୁଛି । ଯିଏ ସାମ୍ନାରେ ଲଢ଼ୁଛି ସେ ଜାଣିଛି । ଏଭଳି ସମୟରେ ମନର ସ୍ଥିତି କେମିତି ଥିବ ଅନୁମାନ କରିପାରୁଥିବେ । ସେଇ ଭିତରେ ନିଜକୁ ଚାପମୁକ୍ତ କରିବାକୁ ଚେଷ୍ଟା କରି ନାଚି ଦେଇଥିଲି । ଜାଣି ବି ନଥିଲି ଏହା ଏତେ ଲୋକଙ୍କ ପାଖରେ ପହଞ୍ଚିଯିବ । ନିଜକୁ ଶାନ୍ତି, ମନକୁ ହାଲ୍କା, ଚାପ କମାଇବା ଏବଂ ଶାରୀରିକ ବ୍ୟାୟାମ ଛଡ଼ା ଏହାର ଅନ୍ୟ ଊଦ୍ଦେଶ୍ୟ କିଛି ନାହିଁ ।
ମନରେ ଭୟ ଥିଲେ ବି ପିପିଇ କିଟ୍ ପିନ୍ଧିଲା ପରେ କେବଳ ସେବା ଛଡ଼ା ମନକୁ ଆଉ କିଛି ଆସେନା ବୋଲି ଡା.ପାଣିଗ୍ରାହୀ କହିଛନ୍ତି । ଏକାମାତ୍ର ଲକ୍ଷ୍ୟ କରୋନାକୁ ଜିତିବା । ଯେତେ ଅଧିକ ରୋଗୀ ଭଲ ହୋଇ ଘରକୁ ଯିବେ ସେତେ ଅଧିକ ଖୁସି ମିଳେ । ଆମେ ଆମର କର୍ତ୍ତବ୍ୟ କରୁଛୁ । ନିୟମ ଅନୁସାରେ ଯାହା ଚିକିତ୍ସା ପଦ୍ଧତି ରହିଛି କରୁଛୁ । କେବଳ ଏତିକି କହିବି, ‘ଘରେ ରୁହନ୍ତୁ, ସତର୍କ ରୁହନ୍ତୁ’ । ସରକାରଙ୍କ କଟକଣା ଓ କୋଭିଡ୍-୧୯ ନିୟମକୁ ପାଳନ କରନ୍ତୁ । କୋଭିଡ୍ ଯୋଦ୍ଧାମାନଙ୍କୁ ସହଯୋଗ କରନ୍ତୁ ଓ ସମର୍ଥନ ଦିଅନ୍ତୁ । ଆଶା ଆମେ ନିଶ୍ଚିତ ଜିତିବା, କରୋନା ହାରିବ ।
ସୂଚନାଯୋଗ୍ୟ, ଡା. ପାଣିଗ୍ରାହୀ ୨୦୧୨ରେ ଏମ୍ବିବିଏସ୍ ପାସ୍ କଲେ । ବୁର୍ଲାରେ ଆନାସ୍ଥେସିଆରେ ପିଜି ପାସ୍ କରି ୨୦୧୭ରେ ଡାକ୍ତର ଭାବେ କାର୍ଯ୍ୟରେ ଯୋଗଦେଲେ । ଗତ ଅଢ଼େଇ ବର୍ଷ ହେଲା ଭୁବନେଶ୍ୱର ଏମ୍ସରେ ଆନାସ୍ଥେସିଆ ବିଭାଗରେ ରୋଗୀ ସେବା କରି ଆସୁଛନ୍ତି । ଏହି ଅବସରରେ ଡାକ୍ତର ପାଣିଗ୍ରାହୀ କହିଛନ୍ତି, ମୁଁ ପ୍ରଥମରୁ ଏମ୍ସରେ କାମ କରି ଆସୁଛି । ବହୁତ ସମର୍ଥନ ମିଳୁଛି । ଏଠାକାର ସମସ୍ତ ପ୍ରଶାସନିକ ଅଧିକାରୀ, ଡାକ୍ତର, କର୍ମଚାରୀ ସମସ୍ତଙ୍କ ସହଯୋଗ ଓ ପୂର୍ଣ୍ଣ ବିଶ୍ୱାସରେ ଆଗେଇ ଚାଲିଛୁ ।