ଦୁର୍ବଳ ହେଉଛି କରୋନା ! ବଢିବ ସଂକ୍ରମଣ, ହେଲେ ଭାରତରେ ହେବନି ଆମେରିକା ଭଳି ମୃତ୍ୟୁ
7/06/2020 at 5:55 PM

ଲକ୍ଷ୍ନୌ ୭।୬: ଚୀନ୍ ଉହାନରୁ ସାରା ବିଶ୍ୱକୁ ବ୍ୟାପିଥିବା କରୋନା ଭାଇରସ ମହାମାରୀ ଭାରତ ଲାଗି ଏବେ ଚିନ୍ତାର କାରଣ ପାଲଟିଛି। ତେବେ ସଞ୍ଜୟ ଗାନ୍ଧି ଆର୍ୟୁବିଜ୍ଞାନ ସଂସ୍ଥାନର ମଲିକ୍ୟୁଲର ମେଡିସିନ ଏଣ୍ଡ ବାୟୋଟେକ୍ନୋଲଜି ବିଭାଗର ପୂର୍ବତନ ପ୍ରଫେସର ଡା.ମଦନମୋହନ ଗୋଡବୋଲେ ଦେଶରେ କରୋନା ଦୁର୍ବଳ ହେଉଥିବାର ସୂଚନା ଦେବା ପରିସ୍ଥିତିକୁ ସାମାନ୍ୟ ଆଶ୍ୱସ୍ତି କରିଛି। ତାଙ୍କ ଅନୁମାନ ଅନୁସାରେ କରୋନା ଭାଇରସ ତାର ସବୁଠୁ ଦୁର୍ବଳ ସ୍ଥିତିରେ ପହଞ୍ଚିଲାଣି। ଏଥିରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲେ ବି ଇଟାଲୀ ଓ ଆମେରିକା ଭଳି ମୃତ୍ୟୁହାର ବୃଦ୍ଧି ହୋଇ ନ ପାରେ ବୋଲି କହିଛନ୍ତି।
ଦେଶରେ ସରକାର ଅନଲକ୍-୧ ଆରମ୍ଭ କରିବାକୁ ଯାଉଛନ୍ତି। ଏଣୁ ସଡକ ଓ ଦପ୍ତର ଧିରେ ଧିରେ ଭିଡ ହେବାରେ ଲାଗିଲାଣି। ସଂକ୍ରମଣ ଓ ମୃତ୍ୟକୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଡା.ଗୋଡବୋଲେଙ୍କ ଅନୁମାନ କିଛିଟା ଆଶ୍ୱସ୍ତିକର ହୋଇପାରେ। ଗୋଡବୋଲେଙ୍କ ଅନୁସାରେ ଇଭଲ୍ୟୁସନ ଥିଓରୀ ବା ଭୂତାଣୁର ଉତ୍ପତି ସିଦ୍ଧାନ୍ତ ଅନୁସାରେ ଏହା ଏବେ ଦୁର୍ବଳ ହେଉଥିବା ଅନୁମାନ କରାଯାଉଛି।
ସେ କହିଛନ୍ତି ଯେ ସାଧାରଣତଃ ଭୂତାଣୁ ଦୁଇପ୍ରକାରର ହୋଇଥାନ୍ତି। ଏଥିରୁ ଗୋଟିଏ ବିପଦଜନକ ଓ ପ୍ରାଣଘାତକ ହୋଇଥିବା ବେଳେ ଅନ୍ୟ ଭୂତାଣୁ କମ୍ ସଂକ୍ରମିତ ହୁଅନ୍ତି। ବିପଦଜନକ ଭୂତାଣୁର ସଂକ୍ରମଣ କମ୍ ଲୋକଙ୍କ ମଧ୍ୟରେ ହୋଇଥାଏ ଓ ଏହାର ପ୍ରତିଦ୍ୱନ୍ଦ୍ୱୀତା ସ୍ୱଳ୍ପ ବିପଦଜନକ ଭୂତାଣୁ ସହ ହୋଇଥାଏ। ତେବେ ଇଭଲ୍ୟୁସନ ଥିଓରୀ ଅନୁସାରେ କମ୍ ବିପଦଜନକ ଭୂତାଣୁ ଏହି ପ୍ରତିଦ୍ୱନ୍ଦ୍ୱୀତାରେ ବିଜୟୀ ହୋଇଥାଏ। କାରଣ ଏପରି ଭୂତାଣୁ ସେମାନଙ୍କ ଭୋଜନକୁ ଦୀର୍ଘ ଦିନ ସଞ୍ଚୟ କରିବାକୁ ଚାହିଁଥାନ୍ତି। ଏହି ଭୂତାଣୁମାନଙ୍କର ଭୋଜନ ମନୁଷ୍ୟ ଓ ପଶୁଙ୍କ ଉପରେ ନିର୍ଭରଶୀଳ। ଏଣୁ କମ ବିପଦଜନକ ଭୂତାଣୁ ଅଧିକ ସଂକ୍ରମଣ ହେଲେ ମଧ୍ୟ ପ୍ରାଣଘାତକ ହୋଇ ନଥାନ୍ତି।
ସେହିପରି କମବିପଦଜନକ ଭୂତାଣୁ ନିଜର ଅସ୍ତିତ୍ୱ ବଞ୍ଚାଇବା ଲାଗି ବିପଦଜନକ ଭୂତାଣୁର ମୁକାବିଲାରେ ଲାଗି ଯାଆନ୍ତି। ଏହା ପରେ କମ୍ ବିପଦଜନକ ଭୂତାଣୁ ହିଁ ଥାଏ। ଅଧିକ ବିପଦଜନକ ଭୂତାଣୁର ପ୍ରସାର ହୁଏତ ବଢିଯାଇପାରେ ହେଲେ ଅଧିକ କ୍ଷତିନକରି ଚାଲିଯାଏ। ଅନ୍ୟପକ୍ଷରେ ଏପରି ମାରାତ୍ମକ ଭୂତାଣୁ ଶରୀରରେ ପ୍ରବେଶ ପରେ ଶରୀରର ପ୍ରତିରକ୍ଷା କ୍ଷମତା ମଧ୍ୟ ବୃଦ୍ଧି ହୁଏ। ଫଳରେ ଆଗାମୀ ଭୂତାଣୁ ସଂକ୍ରମଣ ମନୁଷ୍ୟଠାରେ ପ୍ରଭାବହୀନ ହୋଇଥାଏ। ପ୍ରଫେସର ଗୋଡବୋଲେଙ୍କ ଅନୁସାରେ ଏବେ ସଂକ୍ରମଣ ବ୍ୟାପିବ ହେଲେ ତତ୍ ଜନିତ ମୃତ୍ୟୁ ହାର ହ୍ରାସ ହେବ।