‘ବର୍ଷେ ଭିତରେ ଆସିଯାଇପାରେ କରୋନା ଭାକସିନ୍, କିନ୍ତୁ ସାଧାରଣ ଜୀବନ ପୂର୍ବଧାରାକୁ ଫେରିବାକୁ କିଛି ବର୍ଷ ଲାଗିଯିବ’
27/04/2020 at 5:11 PM

ବେଙ୍ଗାଲୁରୁ, ୨୭|୦୪: ଗୋଟିଏ ବର୍ଷ ମଧ୍ୟରେ କରୋନା ଭାକସିନ୍ ଆସିବାନେଇ କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲ୍ୟୁଏଚଓର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ । ଏହାସହ ଏହି କରୋନା ଭାଇରସ ଦୀର୍ଘସମୟ ଧରି ରହିବ ନାହିଁ ବୋଲି ସେ କହିଛନ୍ତି ।
ସୌମ୍ୟା କହିଛନ୍ତି ଯେ, ୩ ମାସ ମଧ୍ୟରେ ଏବେ ୭ଟି ଭାକସିନକୁ ମାନବ ଶରୀରରେ କ୍ଲିନିକାଲ ଟେଷ୍ଟ କରାଯାଉଛି । ଏବେ କରୋନା ଭାଇରସର ମୁକାବିଲା କରିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଲୋକମାନେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଆବଶ୍ୟକ । ଫଲରେ ଏହି ଭାଇରସ ଅଧିକ ଦିନ ଶରୀରରେ ରହିବ ନାହିଁ କିମ୍ବା କ୍ଷତି ମଧ୍ୟ ଘଟାଇପାରିବ ନାହିଁ । ତେବେ ଆଗାମୀ ଗୋଟିଏ କିମ୍ବା ୨ ବର୍ଷ ମଧ୍ୟରେ ଏହି ଭାଇରସ ଦ୍ୱାରା ରୋଗ ସୃଷ୍ଟି ହେବା ନେଇ ଆଶଙ୍କା ରଖାଯିବା ଉଚିତ । ଏପରିକି ଏହି ଭାଇରସ ଲାବୋରୋଟାରୀରେ ତିଆରି ହେଉଥିବା ନେଇ ଆସୁଥିବା ଖବର ମିଛ ବୋଲି ସେ ଯୁକ୍ତି ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି ଯେ, ୫ ହଜାରରୁ ଅଧିକ ଚିସର୍ଚ୍ଚ ପରେ ଏହା କୌଣସି ଲ୍ୟାବରେ ତିଆରି ହୋଇ ନାହିଁ ବୋଲି ଜଣାପଡିଛି । ଏହା ପ୍ରାକୃତିକ ଭାବେ ପ୍ରାଣୀଙ୍କ ଦେହରୁ ଆସିଛି । ଏହା ବାଦୁଡିଠାରେ ଦେଖାଯାଉଥିବା ଭାଇରସ ସହ ସମାନ ରହିଛି । ତେବେ ଏହା କେବେ ଓ କେମିତି ମଣିଷକୁ ବ୍ୟାପିଲା ସେନେଇ କୌଣସି ତଥ୍ୟ ନାହିଁ ବୋଲି ସେ କହିଛନ୍ତି ।
ଏହି ଭାଇରସର ଭାକସିନ୍ ପ୍ରସ୍ତୁତ ହେବା ପ୍ରଶ୍ନରେ ସେ କହିଛନ୍ତି ଯେ, କେସ୍ ସାମ୍ନାକୁ ଆସିବା ପରଠୁ ଭାକସିନ୍ ପ୍ରସ୍ତୁତ ଉପରେ ଗୁରୁତ୍ୱ ଦିଆଯାଉଛି । ୭ଟି ଲ୍ୟାଗରେ ଭାକିସିନର କ୍ଲିନିକାଲ ଟେଷ୍ଟ ହେଉଛି । ଏଥିପାଇଁ ବୈଜ୍ଞାନିକମାନେ ପ୍ରୟାସ ଚଳାଇଛନ୍ତି । ଯଦି ଟେଷ୍ଟ୍ ସଫଳ ହୁଏ ତେବେ ୯ରୁ ୧୨ ମାସ ମଧ୍ୟରେ ଭାକସିନ୍ ଆସିଯିବ । ଅନେକ ଲ୍ୟାବ ଏହାର ଔଷଧ ତିଆରି ପାଇଁ ମଧ୍ୟ ଲାଗିପଡିଛନ୍ତି । ଏଚଆଇଭି ବିରୋଧରେ ପ୍ରୟୋଗ ହେଉଥିବା ଡ୍ରଗସକୁ କରୋନା ପାଇଁ ଟ୍ରାଏଲ୍ କରାଯାଉଛି ।
ହାଇଡ୍ରୋକ୍ସିକ୍ଲୋରୋକ୍ୱିନକୁ ନେଇ ସେ କହିଛନ୍ତି ଯେ, ଏହାକୁ ଆମେରିକା ରାଷ୍ଟ୍ରପତି ଗେମ୍ ଚେଞ୍ଜର ବୋଲି କହିଥିଲେ । ଆଇସିଏମଆର ମଧ୍ୟ ଏହାର ପ୍ରୟୋଗ ପାଇଁ କହିଥିଲା । ତେବେ ଏହା ଅନେକ ଭାଇରସ ବିରୋଧରେ କାମ କରିନଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର ସଲିଡାରିଟୀ ଟେଷ୍ଟ୍ ପାଇଁକହିଥିଲା । କିନ୍ତୁ ଭାଇରସକୁ ପ୍ରତିହତ କରିବା ନେଇ କୌଣସି ପ୍ରମାଣ ମିଳିନଥିଲା । ଏହି ଭାଇରସ ବର୍ଷକୁ ଥରେ କିମ୍ବା ୨ ଥର ଅନ୍ୟ ଭାଇରସ ଭଳି ପ୍ରକୋପ ଦେଖାଇପାରେ । ଏବେ ବି ମୋଟ ଜନସଂଖ୍ୟାର ଅର୍ଧାଧିକ ସଂକ୍ରମଣ ଭୟରେ ରହିଛନ୍ତି । କିଛି ବର୍ଷ ଯାଏଁ ହଜାର ହଜାର ସଂଖ୍ୟାରେ ଲୋକ ଗୋଟିଏ ସ୍ଥାନରେ ଏକାଠି ହେବା ଅନୁଚିତ । ଏବେ ଜରୁରୀ ହେଲେ ବାହାରକୁ ବାହାରିବା ଦରକାର । କାରଣ ଜୀବନ ସ୍ୱାଭାବିକ ହେବାକୁ ଆହୁରି କିଛି ବର୍ଷ ଲାଗିପାରେ ବୋଲି ସେ କହିଛନ୍ତି ।