କରୋନା ଭାଇରସର ୫ ରହସ୍ୟ : ଜବାବ ନ ମିଳିଲେ ଚିକିତ୍ସା ଅସମ୍ଭବ !

Published By : Prameya-News7 Bureau | July 09, 2020 IST

ନୂଆଦିଲ୍ଲୀ ୦୯/୦୭ : ସାରା ଦୁନିଆ ବର୍ତ୍ତମାନ କରୋନା ମହାମାରୀ ସହ ସଂଗ୍ରାମ କରିଚାଲିଛି | ପାଖାପାଖି ଗୋଟିଏ କୋଟି ଲୋକ ଏହି ମହାମାରୀର ଶିକାର ହୋଇସାରିଛନ୍ତି | ପାଖାପାଖି ୫ ଲକ୍ଷ ଲୋକ ସଂକ୍ରମଣରେ ପ୍ରାଣ ହରାଇ ସାରିଛନ୍ତି | କିନ୍ତୁ ଏପର୍ଯ୍ୟନ୍ତ କରୋନା ଭ୍ୟାକସିନ ବାହାରି ପାରିନାହିଁ | ଅନେକ ବୈଜ୍ଞାନିକ ଓ ଡାକ୍ତର ଭ୍ୟାକସିନ ଉପରେ ଗବେଷଣା କରୁଛନ୍ତି | ତେବେ କରୋନା ଔଷଧ ବାହାରିଛି କିନ୍ତୁ ଔଷଧକୁ ନେଇ କୌଣସି ପ୍ରାମାଣିକ ସଫଳତା ମିଳିନାହିଁ |  

ଭାଇରସ ୬ ମାସରୁ ଅଧିକ ହେଲା ଦୁନିଆର ଅନେକ ଦେଶକୁ କବଳିତ କରି ରଖିଛି | କିନ୍ତୁ ଗତ ୪ ମାସ ହେଲା ସ୍ଥିତି ଗମ୍ଭୀର ହୋଇଛି | କରୋନା ଭାଇରସ ସମ୍ପର୍କରେ ଏମିତି କିଛି ରହସ୍ୟ ରହିଛି ଯାହା ସମ୍ପର୍କରେ କେହି କିଛି ଜାଣିନାହାନ୍ତି | ସାଇନ୍ସ ଜର୍ଣ୍ଣାଲ ନେଚର ଦୁନିଆର  ବୈଜ୍ଞାନିକଙ୍କ ତରଫରୁ ଏକ ରିପୋର୍ଟ ପ୍ରକାଶ କରିଛନ୍ତି ଯେଉଁଥିରେ ମହାମାରୀକୁ ନେଇ ୫ଟି ରହସ୍ୟ ସମ୍ପର୍କରେ କୁହାଯାଇଛି ଯାହା ଉପରୁ ଏବେ ସୁଦ୍ଧା ପରଦା ଉଠିନାହିଁ | ଯେପର୍ଯ୍ୟନ୍ତ ଏହି ୫ଟି ପ୍ରଶ୍ନର ଜବ ନ ମିଳିଛି ସେପର୍ଯ୍ୟନ୍ତ ଭାଇରସକୁ ପ୍ରଭାବିତ କରିବା ଭଳି କୌଣସି ଉପାୟ ବାହାର କରାଯଇପାରିବ ନାହିଁ |

ଏହି ମାରାତ୍ମକ ଭାଇରସର ଉତ୍ପତ୍ତି କେଉଁଠାରୁ ହୋଇଛି ତାହା ସବୁଠାରୁ ବଡ ରହସ୍ୟ | ୬ ମାସରୁ ଅଧିକ ସମୟ ବିତିଯିବା ପରେ ମଧ୍ୟ ବୈଜ୍ଞାନିକମାନେ କୌଣସି ନିଷ୍କର୍ସରେ ପହଞ୍ଚି ପାରିନାହାନ୍ତି ଯେ ଭାଇରସ କେବେ, କେଉଁଠାରେ ଏବଂ କିଭଳି ଜନ୍ମ ହେଲା | ପ୍ରାଥମିକ ରିପୋର୍ଟରେ ଦାବି କରାଯାଉଛି ଯେ ଏହା ବାଦୁଡ଼ିରୁ ମଣିଷ ଶରୀରକୁ ସଂକ୍ରମିତ କରିଛି | ଏଥିପାଇଁ ଆରଏଟିଜି ୧୩କୁ ଦାୟୀ କରାଯାଇଛି ଯାହା ବାଦୁଡ଼ି ଶରୀରରେ ମିଳିଥାଏ | କିନ୍ତୁ କିଛି ବୈଜ୍ଞାନିକ ଏହି ଦାବିକୁ ଠିକ ବୋଲି ମାନୁନାହାନ୍ତି | କିଛି ବୈଜ୍ଞାନିକଙ୍କ କହିବାନୁଯାୟୀ ଯଦି କରୋନା ବାଦୁଡ଼ି ଦେହରୁ ବ୍ୟାପିଛି ତାହେଲେ ମଣିଷ ଓ ବାଦୁଡ଼ିଙ୍କ ଜିନୋମ ମଧ୍ୟରେ ୪ ପ୍ରତିଶତର ଅନ୍ତର ନଥାନ୍ତା ଯାହା ଏହି ଭାଇରସ ପାଇଁ ଦାୟୀ |

ଯେତେ ଲୋକ କରୋନା ଭାଇରସ ଯୋଗୁଁ ପ୍ରଭାବିତ ହୋଇଛନ୍ତି ସେମାନଙ୍କ ମଧ୍ୟରେ ସମାନ ବୟସ ଓ ସମାନ କ୍ଷମତା ପରେ ମଧ୍ୟ ପ୍ରତ୍ୟେକ ବ୍ୟକ୍ତି ଉପରେ ଏହି ଭାଇରସର ଭିନ୍ନ ଭିନ୍ନ ପ୍ରଭାବ ପଡିଥାଏ | ଏମିତି କାହିଁକି ହେଉଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ | ବୈଜ୍ଞାନିକ ଏପର୍ଯ୍ୟନ୍ତ ବୁଝି ପାରୁନାହାନ୍ତି ଯେ ଭାଇରସ ଯୋଗୁଁ ଭିନ୍ନ ଭିନ୍ନ ଶରୀରର ପ୍ରତିକ୍ରିୟା ପରସ୍ପର ଠାରୁ ଭିନ୍ନ କାହିଁକି ? କରୋନା ସଂକ୍ରମଣରେ ପ୍ରଭାବିତ ଇଟାଲୀ ଏବଂ ସ୍ପେନରେ ୪ ହଜାର ସଂକ୍ରମିତଙ୍କ ଉପରେ ଗବେଷଣା ପରେ ବୈଜ୍ଞାନିକ କହିଛନ୍ତି ଯେ ଏମାନଙ୍କ ମଧ୍ୟରେ ଗୋଟିଏ କିମ୍ବା ଦୁଇଟି ଅତିରିକ୍ତ ଜୀବ ଥାଇପାରନ୍ତି |

ବୈଜ୍ଞାନିକ ଏପର୍ଯ୍ୟନ୍ତ ବୁଝି ପାରୁନାହାନ୍ତି ଯେ କରୋନା ସଂକ୍ରମଣ ପରେ ରୋଗୀ ଶରୀରରେ ଭାଇରସ ପ୍ରତିରୋଧକ କ୍ଷମତା କେବେ ପର୍ଯ୍ୟନ୍ତ ରହିବ | ଭାଇରସ ଜନିତ ଅନ୍ୟ ରୋଗରେ ଏହି କ୍ଷମତା କିଛି ମାସ ପର୍ଯ୍ୟନ୍ତ ଶରୀରରେ ରହିଥାଏ | ସେଥିପାଇଁ ଅନୁସନ୍ଧାନ ଜରିଆରେ ବୈଜ୍ଞାନିକ ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ କରୋନା ସଂକ୍ରମିତ ହେବାପରେ ରୋଗୀ ଶରୀରରେ ଉତ୍ପନ୍ନ ଆଣ୍ଟିବଡିଜ କେତେ ସମୟ ପର୍ଯ୍ୟନ୍ତ ଏହି ରୋଗରୁ ଶରୀରକୁ ପ୍ରତିରକ୍ଷା ପ୍ରଦାନ କରିପାରିବ |

ଦୁନିଆର ଅନେକ ଦେଶରେ ଭାଇରସ ନିଜର ଭୟଙ୍କର ରୂପ ଦେଖାଇଛି | ମାରାତ୍ମକ ଭାଇରସ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ମଧ୍ୟ ନେଇସାରିଛି | କିନ୍ତୁ କିଛି ଦେଶରେ ଏହାର ପ୍ରଭାବ କମ ରହିଛି |  ସେଥିପାଇଁ ବୈଜ୍ଞାନିକ ଏହି ଭାଇରସର କାର୍ଯ୍ୟ ପ୍ରଣାଳୀକୁ ବୁଝିବାକୁ ପ୍ରୟାସ କରୁଛନ୍ତି | ଅଞ୍ଚଳ ଅନୁଯାୟୀ ଭାଇରସରେ ପରିବର୍ତ୍ତନ ନେଇ ମଧ୍ୟ ବୈଜ୍ଞାନିକ ଅଧ୍ୟୟନ କରୁଛନ୍ତି |

କରୋନା ଭାଇରସ ଭ୍ୟାକସିନକୁ ନେଇ ନାନା ଦାବି ହୋଇଛି କିନ୍ତୁ ଟୀକା କେବେ ସୁଦ୍ଧା ଲୋକଙ୍କ ପାଖରେ ପହଞ୍ଚିବ ତାହା ଅସ୍ପଷ୍ଟ ରହିଛି | କରୋନା ଟୀକାକୁ ବିକଶିତ କରିବା ପାଇଁ ସାରା ଦୁନିଆରେ ପାଖାପାଖି ୨୦୦ ପ୍ରୋଜେକ୍ଟ ଚାଲିଛି | ଏଥିରୁ ୨୦ଟି ପ୍ରୋଜେକ୍ଟ ମାନବ ପରୀକ୍ଷଣ ସ୍ଥରକୁ ପହଞ୍ଚି ସାରିଛି | ଯେଉଁ ପରୀକ୍ଷଣର ରିପୋର୍ଟ ଆସିଛି, ସେଥିରୁ ଅଧିକାଂଶ ସଂକେତ ଦେଇଛନ୍ତି ଯେ ଏହା ଫୁସଫୁସକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ସଠିକ କିନ୍ତୁ ଏହି ଟୀକା ସଂକ୍ରମଣକୁ ସମ୍ପୂର୍ଣ ଭାବେ ରୋକି ପାରିବନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.