ଆତଙ୍କ ଖେଳାଇ ଚାଲିଛି ‘କରୋନା ଭାଇରସ୍’- ଚୀନ୍‌ରୁ ଯାଇ ଅଷ୍ଟ୍ରେଲିଆ ଓ ୟୁରୋପରେ ପହଞ୍ଚିଲାଣି ଏହି ଭାଇରସ୍‌

Published By : Prameya-News7 Bureau | January 25, 2020 IST

ବେଜିଂ ୨୫।୦୧ - ଆତଙ୍କ ଖେଳାଇ ଚାଲିଛି ‘କରୋନା ଭାଇରସ୍’। କେବଳ ଚୀନ ନୁହେଁ ଏସିଆ ୟୁରୋପ, ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆରେ ମଧ୍ୟ କରୋନା ଭାଇରସକୁ ନେଇ ଆତଙ୍କ ଖେଳିଯାଇଛି। ଚୀନ୍‌ରେ ବର୍ତ୍ତମାନ ସୁଦ୍ଧା ଏହି ଭାଇରସ୍‌ରେ ୪୧ ଜଣଙ୍କର ମୃତ୍ୟୁ ଘଟିଛି ।ଚୀନ୍‌ର ୧୮ଟି ସହରରେ ଏଥିଯୋଗୁଁ କଟକଣା ଜାରି କରାଯାଇଛି । ହଂକଂରେ ଜରୁରୀକାଳିନ ସ୍ଥିତି ଘୋଷଣା ହୋଇଛି । ରୋଗୀଙ୍କୁ ସାହାଯ୍ୟ କରିବାକୁ ଚୀନ୍‌ ସେନା ବାହିନୀର ଡାକ୍ତର ମାନଙ୍କ ସହାୟତା ନିଆଯାଇଛି । ନିକଟରେ ଚୀନରୁ ଭାରତକୁ ଫେରିଥିବା ୧୧ ଜଣ ଲୋକଙ୍କୁ ଡାକ୍ତରୀ ପରୀକ୍ଷା ନୀରିକ୍ଷା କରାଯାଇଛି ।…

ଚୀନ୍‌ର ହୁଆନ୍‌ ସହରରୁ ସାରା ବିଶ୍ବକୁ ବ୍ୟାପିବାରେ ଲାଗିଛି ପ୍ରାଣଘାତୀ କରୋନା ଭାଇରସ । କେବଳ ଚୀନ୍‌ର ବିଭିନ୍ନ ସ୍ଥାନରେ ୪୧ ଜଣଙ୍କ ମୃତ୍ୟୁ ଘଟିସାରିଲାଣି ।ଚୀନ୍‌ରୁ ଯାଇ ଅଷ୍ଟ୍ରେଲିଆ ଓ ୟୁରୋପରେ ପହଞ୍ଚିଲାଣି ଏହି ଭାଇରସ୍‌ ।ଫ୍ରାନ୍‌ସରେ ଏଥିରେ ୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଆମେରିକାରେ ୨ ଜଣଙ୍କ ଠାରେ ଚିହ୍ନଟ କରାଯାଇଛି ।କରୋନା ଭାଇରସ୍‌ ପ୍ରଭାବରେ ଚୀନ୍‌ରେ ଏହି ସମୟରେ ପାଳନ କରାଯାଉଥିବା ନୂଆବର୍ଷ ଫିକା ପଡ଼ିଯାଇଛି । ଗ୍ରେଟ୍ ୱାଲ୍‌ ଅଫ୍ ଚାଇନାକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଦିଆଯାଇଛି ।କେବଳ ହୁଆନ୍‌ ସହରରେ ୧୫ଜଣଙ୍କର ମୃତ୍ୟୁ ଘଟିଛି ।ଗତ ୨୪ଘଣ୍ଟା ମଧ୍ୟରେ ୧୨୮୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୁରା ଚୀନ୍‌ରେ ୫ କୋଟିରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି ।….

ସେପଟେ ୟୁରୋପ ସମେତ ଆମେରିକା ଅଷ୍ଟ୍ରେଲିଆରେ ମଧ୍ୟ କରୋନା ଭାଇରସ୍‌ ଚିହ୍ନଟ ହୋଇଛ। ଚୀନ୍‌ରୁ ଫେରିଥିବା ଫ୍ରାନ୍ସର ୩ଜଣ , ଆମେରିକାରେ ୨ଜଣ ,ଅଷ୍ଟ୍ରେଲିଆରେ ୪ ଜଣ ଏବଂ  ମାଲେସିଆ ଜଣେ ବ୍ୟକ୍ତିଙ୍କ ଠାରେ ଏହି ଭାଇରସ୍ ଚିହ୍ନଟ ହୋଇଛି ।ସେମାନଙ୍କୁ ମେଡିକାଲ ଅବଜରଭେସନରେ ରଖାଯାଇଛି। ଭାରତରେ ମଧ୍ୟ ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ଆରମ୍ଭ ହେଲାଣି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରତିଷେଧକ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।ଚୀନ୍‌ରୁ ଫେରିଥିବା ୧୧ ଜଣଙ୍କ ଉପରେ ସନ୍ଦେହ ହେବାରୁ ସେମାନଙ୍କୁ ଅବଜରଭେସନ୍‌ରେ ରଖାଯାଇଛି ।…

ଦିଲ୍ଲୀ ଏମ୍ସରେ କରୋନା ଭାଇରସ୍ ଆକ୍ରାନ୍ତଙ୍କ ପାଇଁ ଆଇସୋଲେସନ୍ ୱାର୍ଡ ଖୋଲାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.