ରାଜ୍ୟକୁ କରୋନା ଭୟ, ଭୁବନେଶ୍ବରକୁ ଆସିଥିଲେ ଚୀନ୍ର ଜଣେ କରୋନା ଆକ୍ରାନ୍ତ ସନ୍ଦିଗ୍ଧ
8/02/2020 at 10:35 AM

ଭୁବନେଶ୍ବର ୮।୨: ଭୟଙ୍କର ହେଲାଣି କରୋନା ଭାଇରସ୍ । ଥମିବାର ନାଁ ନେଉନି ଏହି ଭାଇରସ୍ ର ଆତଙ୍କ । ଚୀନ୍ ରେ କରୋନା ଭାଇରସ୍ ରେ ମୃତ୍ୟୁ ସଂଖ୍ୟା ୭୧୯ରେ ପହଁଞ୍ଚିଛି । ତେବେ ଆକ୍ରାନ୍ତଙ୍କ ସଂଖ୍ୟା ୨୪ହଜାର ୯୫୩କୁ ବୃଦ୍ଧି ହୋଇଛି । ତେବେ ଏଭଳି ସ୍ଥିତିରେ କରୋନା ଭାଇରସ୍ ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଥିବା ଚୀନ୍ର ଜଣେ ବ୍ୟକ୍ତି ନିକଟରେ ଭୁବନେଶ୍ବର ବୁଲିବାକୁ ଆସିଥିଲେ ବୋଲି ଜଣାପଡିଛି । ଯଦି ସେ କରୋନାରେ ଆକ୍ରାନ୍ତ ହୋଇଥିବାର ସ୍ପଷ୍ଟ ହୁଏ, ତେବେ ଏହା ସାରା ରାଜ୍ୟରେ ଆତଙ୍କ ସୃଷ୍ଟି କରିବ । କାରଣ ତାଙ୍କ ଆଖପାଖ ଦେଇ ଯାଇଥିବା କିମ୍ବା ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି ଏହି ଭାଇରସରେ ଆକ୍ରାନ୍ତ ହୋଇପାରନ୍ତି ବୋଲି ଆକଳନ କରାଯାଉଛି ।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିଲ୍ଲୀରୁ ପୁନେ ଯାଇଥିବା ଏୟାର ଇଣ୍ଡିଆ ବିମାନରେ ଚୀନ୍ର ଉକ୍ତ ବ୍ୟକ୍ତି ଜଣଙ୍କ ଯାତ୍ରା କରୁଥିଲେ । ବିମାନ ଯାତ୍ରା ସମୟରେ ସେ ଅସୁସ୍ଥ ଥିବା ଜଣାପଡିଥିଲା । ତାଙ୍କୁ ପ୍ରବଳ ଥଣ୍ଡା ହେବା ସହ କାଶ ମଧ୍ୟ ହେଉଥିଲା । କରୋନା ଭାଇରସ୍ ଦ୍ବାରା ଆକ୍ରାନ୍ତ ବ୍ୟକ୍ତିଙ୍କ ଠାରେ ଏଭଳି ଲକ୍ଷଣ ଦେଖାଯାଇଥାଏ । ଫଳରେ ବିମାନ କର୍ମଚାରୀମାନେ ତାଙ୍କୁ ନେଇ ଆତଙ୍କିତ ହୋଇପଡିଥିଲେ । ବିମାନଟି ପୁନେରେ ପହଞ୍ଚିବା ପରେ ତାଙ୍କୁ ସେଠାକାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କର ନମୁନାକୁ ପରୀକ୍ଷଣ ପାଇଁ ପୁନେ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିକୁ ପଠାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ଚୀନ୍ର ଉକ୍ତ ବ୍ୟକ୍ତି ଜଣଙ୍କ ଗତ ମାସ ୨୯ତାରିଖରେ ବ୍ୟାଙ୍କକରୁ ଭାରତ ଆସିଥିଲେ । ଏହାପରେ ସେ କୋଲକାତା ଓ ଭୁବନେଶ୍ବର ଗସ୍ତ କରିଥିଲେ ।