ଆମେରିକାରେ ଭୟଙ୍କର ସ୍ଥିତି, ଦୁଇ ଦିନରେ କରୋନା ମୃତ୍ୟୁ ଦୁଇଗୁଣ, ମୃତ୍ୟୁ ସଂଖ୍ୟା ଆହୁରି ବଢିବ ବୋଲି ମାନୁଛନ୍ତି ଟ୍ରମ୍ପ
30/03/2020 at 7:50 PM

ନୂଆଦିଲ୍ଲୀ ୩୦।୦୩: ମହାମାରୀ କରୋନା ଭାଇରସ ପାଇଁ ଏବେ ଚିନ୍ତାରେ ଆମେରିକା । ମାତ୍ର ଦୁଇ ଦିନରେ ମୃତକଙ୍କ ସଂଖ୍ୟା ଡବଲ୍ ହୋଇଛି । ଏହି ମହାମାରୀରେ ଆମେରିକାର ନ୍ୟୁୟର୍କ ସହର ସବୁଠୁ ପ୍ରଭାବିତ ହୋଇଛି। ଆଗାମୀ ଦିନରେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି । ମୃତ୍ୟୁ ସଂଖ୍ୟା ୨ ଲକ୍ଷ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ତେବେ ଏହା ୧ ଲକ୍ଷ ତଳକୁ ରଖିପାରିଲେ ପ୍ରଶାସନ ପାଇଁ ଏହା ସଫଳତା ହେବ ବୋଲି ସେ କହିଛନ୍ତି ।

ବିଶ୍ବର ସୁପର ପାୱାର୍ ଏବେ ପାୱାର ଲେସ୍ । ଆମେରିକାରେ କରୋନା ଭାଇରସ୍ ଆଣିଛି ସାଂଘାତିକ ସ୍ଥିତି । ମହାମାରୀରେ ଆମେରିକାର ନ୍ୟୁୟର୍କ ସହର ସବୁଠୁ ପ୍ରଭାବିତ ହୋଇଛି। କେମିତି ଆମେରିକାର ନ୍ୟୁୟର୍କରେ ଦୌଡୁଛି ଆମ୍ବୁଲାନ୍ସ । ୯/୧୧ ଆକ୍ରମଣ ବେଳେ ଆମ୍ବୁଲାନ୍ସ ଯେଉଁଭଳି ରାସ୍ତାରେ ଦୌଡୁଥିଲା ଏବେ ସମାନ ସ୍ଥିତି ଦେଖିବାକୁ ମିଳିଛି।

ଆସନ୍ତା ଦୁଇ ସପ୍ତାହ ଆମେରିକା ପାଇଁ ଖୁବ ଗୁରୁତ୍ବପୂର୍ଣ୍ଣ ବୋଲି ଆକଳନ କରୁଛି ଆମେରିକା ପ୍ରଶାସନ। କରୋନା ଆମେରିକାରେ ଯେଉଁ ଭଳି ଭାବେ କାୟା ବିସ୍ତାର କରୁଛି ଏଠାରେ ପାଖାପାଖି ୨ ଲକ୍ଷ ଲୋକ ପ୍ରାଣ ହରାଇପାରନ୍ତି ବୋଲି ରାଷ୍ଟ୍ରପତି ଟ୍ରମ୍ପଙ୍କ କରୋନା ପରାମର୍ଶଦାତା କହିସାରିଛନ୍ତି । ମୃତ୍ୟୁ ସଂଖ୍ୟା ୧ଲକ୍ଷ ତଳକୁ ରଖି ପାରିଲେ ଆମେରିକା ପ୍ରଶାସନ ପାଇଁ ଏହା ବଡ ସଫଳତା ହେବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ।

ଆମେରିକାରେ ଏବେ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୪୮୮ ଟପିଛି। ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୪୨ହଜାର ୭ଶହ ଟପିଛି । ମାତ୍ର ଦୁଇ ଦିନରେ ମୃତକଙ୍କ ସଂଖ୍ୟା ଡବଲ୍ ହୋଇଛି। କରୋନା ଭାଇରସ ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ କଠୋର ପଦକ୍ଷେପ ନେଉଛନ୍ତି ଟ୍ରମ୍ପ । ସ୍ଥିତି ଦେଖି ଦେଶରେ ସାମାଜିକ ଦୂରତା ଏପ୍ରିଲ୍ ୧୨ ରୁ ବଢାଇ ଏପ୍ରିଲ ୩୦ପର୍ଯ୍ୟନ୍ତ କରିଦିଆଯାଇଛି । ଆବଶ୍ୟକ ହେଲେ ଏହାକୁ ଜୁନ୍ ପର୍ଯ୍ୟନ୍ତ ବି ବଢାଇ ଦିଆଯାଇପାରେ । ଆଗରୁ ଟ୍ରମ୍ପ କହିଥିଲେ ଆମେରିକାରେ ଖୁବ ଶୀଘ୍ର ସମସ୍ତ କାରବାର ଆରମ୍ଭ ହୋଇଯିବ । ତେବେ ସ୍ଥିତି ଦେଖି ତାଙ୍କ ପୂର୍ବ ଘୋଷଣାରୁ ଟ୍ରମ୍ପ ଓହରି ଯାଇଛନ୍ତି ।

ସେହିଭଳି କରୋନା ଭାଇରସ୍ ଯାଞ୍ଚ ପାଇଁ ଏମିତି ଏକ ଟେଷ୍ଟ ପାଇଁ ଅନୁମତି ଦିଆଯାଇଛି ଯାହା ୫ ମିନିଟ୍ରେ ରେଜଲ୍ଟ ଦେଇଦେବ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି । ତେଣୁ କରୋନା ଆକ୍ରାନ୍ତ ଚିହ୍ନଟରେ ଏହା ବେଶ ସହାୟକ ହେବ । ସେହିଭଳି ଯେଉଁମାନେ ଏହି ସମୟରେ ଚାକିରି ହରାଇଛନ୍ତି ସେମାନଙ୍କୁ ଆସନ୍ତା ୪ ମାସ ପର୍ଯ୍ୟନ୍ତ ପୂରା ଦରମା ଦେବେ ସରକାର । ତେବେ ଆମେରିକା ସରକାର କରିଥିବା ଗାଇଡ୍ଲାଇନ୍ କଡାକଡି ପାଳନ କରିବାକୁ ଅପିଲ୍ କରିଛନ୍ତି ଟ୍ରମ୍ପ।