କରୋନା ଆତଙ୍କରେ ଆତଙ୍କିତ ବିଶ୍ବବାସୀ, ଗୋଟିଏ ପରେ ଗୋଟିଏ ଦେଶରେ କାୟା ବିସ୍ତାର କରୁଛି ଏହି ମାରାତ୍ମକ ଭାଇରସ
22/03/2020 at 6:12 PM

ନୂଆଦିଲ୍ଲୀ, ୨୨|୦୩: କରୋନା ଆତଙ୍କରେ ଆତଙ୍କିତ ବିଶ୍ବବାସୀ ।ବିଶ୍ବର ଗୋଟିଏ ପରେ ଗୋଟିଏ ଦେଶ, ଗୋଟିଏ ପରେ ଗୋଟିଏ ଅଞ୍ଚଳରେ ନିଜର କାୟା ବିସ୍ତାର କରିଚାଲିଛି ଏହି ମହାମାରୀ । ଚୀନ୍କୁ ଟିକିଏ ଛାଡ଼ି ଛାଡ଼ି ଯାଉଛି କିନ୍ତୁ ଇଉରୋପ ମହାଦେଶକୁ ସଂପୂର୍ଣ୍ଣ କବଳିତ କରିଗଲାଣି ଏହି ଅଦୃଶ୍ୟ ମହା ଦାନବ । ବିଶ୍ବର ଧନୀରୁ ଧନୀ ଦେଶ ଏବେ କୋରାନକୁ ମୁକାବିଲା କରିବାକୁ ନିଜର ଅକ୍ଷମତା ପ୍ରକାଶ କଲେଣି ।

ବିଶ୍ବବ୍ୟାପୀ ମୃତ୍ୟୁସଂଖ୍ୟା ୧୩ ହଜାର ଟପିଲା । ୩ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହେଲେଣି । ଆଜି ରବିବାରରେ ସାରା ବିଶ୍ବରେ ପ୍ରାୟ ଶହେ କୋଟି ଲୋକ ସେମାନଙ୍କ ଘରେ ସଂପୂର୍ଣ୍ଣ ବନ୍ଦ ହୋଇ ରହିଛନ୍ତି ।ଭାରତ ସମେତ ୩୫ଟି ଦେଶରେ ସଂପୂର୍ଣ୍ଣ ଲକ ଡାଉନ୍ ସ୍ଥିତି ।ସାଧାରଣ ଜୀବନଯାତ୍ରା ସଂପୂର୍ଣ୍ଣ ଠପ୍ । କରୋନା ମୃତ୍ୟୁ ସଂଖ୍ୟାରେ ଚୀନ୍କୁ ପଛରେ ପକାଇ ଦେଇଛି ଇଟାଲୀ । ଇଟାଲୀରେ ୮.୬ ପ୍ରତିଶତ ପ୍ରାଣ ହରାଇଛନ୍ତି । ସାରା ବିଶ୍ବରେ ସ୍ଥିତି ସବୁଠାରୁ ଭୟଙ୍କର ରହିଛି ଇଟାଲୀ । ଏଠାରେ ଗତ ୨୪ ଘଣ୍ଟା ମଧ୍ୟରେ ୭୯୩ ଜଣ ପ୍ରାଣ ହରାଇଛନ୍ତି ।ଚୀନରୁ ୩୦୦ ଡାକ୍ତର ଏବେ ଇଟାଲୀରେ ପହଞ୍ଚିଛନ୍ତି କରୋନା ମୁକାବିଲାରେ ଏମାନେ କାର୍ଯ୍ୟରେ ଲାଗିଛନ୍ତି। ଚୀନ୍ ଏବଂ ଇଟାଲୀ ପଛକୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଏବେ ତୃତୀୟ ସ୍ଥାନକୁ ଆସିଗଲାଣି ଆମେରିକା ।

ଚୀନ୍ରେ ୮୧ ହଜାରରୁ ଅଧିକ ଆକ୍ରାନ୍ତ ହୋଇଥିବା ବେଳେ ୩ ହଜାର ୨ ଶହରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।ଇଟାଲୀରେ ୫୩ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୪ ହଜାର ୮ ଶହ ଟପିଗଲାଣି । ଆମେରିକାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨୭ ହଜାର ଛୁଇଁବାକୁ ବସିଥିବା ବେଳେ ମୃତ୍ୟୁ ସଂଖ୍ୟା ୨ ହଜାର ୭ ଶହ ଛୁଇଁବାକୁ ବସିଲାଣି ।ତେବେ ସ୍ପେନ୍ ଓ ଫ୍ରାନ୍ସରେ ମଧ୍ୟ ସ୍ଥିତି ଉଦ୍ବେଗ ଜନକ ରହିଛି। ସ୍ପେନରେ ୨୫ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୧୩ ଶହରୁ ଅଧିକ ଲୋକ ପ୍ରାଣ ହରାଇଲେଣି । ଫ୍ରାନସରେ ୧୪ ହଜାର ଆକ୍ରାନ୍ତ ହୋଇଥିବା ବେଳେ ୫୬୨ ଜଣଙ୍କ ମୃତ୍ୟୁ ହେଲାଣି। ଇରାନରେ ୨୦ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ୧୫ ଶହରୁ ଅଧିକ ପ୍ରାଣ ହରାଇସାରିଲେଣି । ଆମେରିକାର ଅଧିକାଂଶ ରାଜ୍ୟ ଏବଂ ନ୍ୟୁୟର୍କ, ଲସ୍ଆଞ୍ଜେଲସ୍ ଓ ସିକାଗୋ ଭଳି ପ୍ରମୁଖ ବଡ଼ ବଡ଼ ସହରରେ ଜୀବନଯାତ୍ରା ଠପ୍ ହୋଇଯାଇଛି ।

ନ୍ୟୁୟର୍କର ବ୍ୟସ୍ତବହୁଳ ଟାଇମ୍ସ ସ୍କୋୟାର ସଂପୂର୍ଣ୍ଣ ଖାଁ ଖାଁ ହୋଇଯାଇଛି ।ପାକିସ୍ତାନରେ ଆକ୍ରାନ୍ତଙ୍କ ସଂଖ୍ୟା ୬୪୫ରେ ପହଞ୍ଚିଲାଣି । ଆଫ୍ରିକା ମହାଦେଶରେ ଗରମ ପରିବେଶ ଯୋଗୁଁ କରୋନା ବ୍ୟାପିବ ନାହିଁ ବୋଲି ପୂର୍ବରୁ କୁହାଯାଉଥିଲେ ମଧ୍ୟ ଏବେ ଆଫ୍ରିକା ମହାଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଛି ।ଏହି ମହାମାରୀ କେବେ ନିୟନ୍ତ୍ରଣକୁ ଆସିବ ଏବଂ ସାରା ବିଶ୍ବରେ ସ୍ବାଭାବିକ ସ୍ଥିତି ଆସିବ ତାକୁ ନେଇ ବିଶେଷଜ୍ଞ ମାନେ କିଛି କହିପାରୁନାହାନ୍ତି ।
