ଆମେରିକାରେ ଚିନ୍ତା ବଢ଼ାଇଲା କରୋନା ଭାଇରସର ନୂଆ ରୂପ: ବୈଜ୍ଞାନିକଙ୍କ ଡର, ଭ୍ୟାକସିନ୍ ପ୍ରଭାବି ନ ହୋଇପାରେ

Published By : Prameya-News7 Bureau | March 07, 2021 IST

ଓରେଗାନ ୦୭/୦୩ : କରୋନା ଭାଇରସକୁ ନେଇ ପ୍ରତିଦିନ ନୂଆ ନୂଆ ଚିନ୍ତା ସାମ୍ନାକୁ ଆସୁଛି। ନିକଟରେ ଆମେରିକା ଓରେଗାନରେ ବ୍ରିଟେନରୁ ଚିହ୍ନଟ ହୋଇଥିବା ଭାଇରସର ନୂଆ ପ୍ରକାର ଚିହ୍ନଟ ହୋଇଛି ଯାହା ଆହୁରି ଭୟଙ୍କର। ଏହା ଏକ ଖାସ୍ ପ୍ରକାର ମ୍ୟୁଟେସନ୍ ସହ  ମିଳିଛି ଯେଉଁଥିପାଇଁ ଏହା ଉପରେ ଭ୍ୟାକସିନ ପ୍ରଭାବ ପକାଇ ନ ପାରେ ବୋଲି ଆଶଙ୍କା କରାଯାଉଛି। ସେଥିପାଇଁ କରୋନା ଭାଇରସକୁ ନେଇ ଆହୁରି ସତର୍କ ରହିବାକୁ ଲୋକଙ୍କୁ କୁହାଯାଇଛି। ଗବେଷକଙ୍କୁ ବର୍ତ୍ତମାନ ସୁଦ୍ଧା ଏହି କମ୍ବିନେସନର ଗୋଟିଏ ମାମଲା ମିଳିଛି। କିନ୍ତୁ ଜେନେଟିକ ଆନାଲିସିସ କହୁଛି ଯେ ଏହି ଭ୍ୟାରିଏଣ୍ଟ ସମ୍ପ୍ରଦାୟରେ ବ୍ୟାପିଛି। ଏହା କୌଣସି ଜଣେ ବ୍ୟକ୍ତିଙ୍କ ମଧ୍ୟରେ ପ୍ରସ୍ତୁତ ହୋଇନାହିଁ।

ଓରେଗାନ ହେଲ୍ଥ ଆଣ୍ଡ ସାଇନ୍ସ ୟୁନିଭର୍ସିଟିର ବ୍ରାୟନ ଓ ରକ୍ କହିଛନ୍ତି ଯେ ଏହି ଭାଇରସକୁ ଅନ୍ୟ କେଉଁଠାରୁ ଅଣାଯାଇନାହିଁ। ଏହା ଅଚାନକ ସାମ୍ନାକୁ ଆସିଛି। ରକ୍ ଓ ତାଙ୍କ ସହଯୋଗୀ ସେଣ୍ଟର୍ସ ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ଶନ୍ ସହ ଭ୍ୟାରିଏଣ୍ଟ ଟ୍ରାକ୍ କରୁଛନ୍ତି। ଡାଟାବେସ୍ ସେ ବୈଜ୍ଞାନିକଙ୍କ ସହ ସେୟାର କରିଛନ୍ତି।

ବ୍ରିଟେନରେ ଚିହ୍ନଟ ହୋଇଥିବା B.1.1.1.7 ଆମେରିକାରେ ଦ୍ରୁତ ଗତିରେ ବ୍ୟାପୁଛି। ଭାଇରସର ଏହି ଭ୍ୟାରିଏଣ୍ଟ ବହୁତ ମାରାତ୍ମକ। ଆଗାମୀ ଦିନରେ ଆମେରିକାରେ ଏହି ଭ୍ୟାରିଏଣ୍ଟର ସବୁଠାରୁ ଅଧିକ ମାମଲା ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି। ଏହି ନୂଆ ଭ୍ୟାରିଏଣ୍ଟ ସହ E484K ବା Eek  ମ୍ୟୁଟେସନ ବି ସାମିଲ ଅଛି। ଏହି ମ୍ୟୁଟେସନ୍ ଦକ୍ଷିଣ ଆଫ୍ରିକା, ବ୍ରାଜିଲ ଓ ନ୍ୟୁୟର୍କରେ ବ୍ୟାପିଥିବା ଭାଇରସରେ ନଜର ଆସିଛି।

ଦକ୍ଷିଣ ଆଫ୍ରିକାରେ ହୋଇଥିବା କ୍ଲିନିକାଲ୍ ଟ୍ରାଏଲରେ ଜଣାପଡିଛି ଯେ Eek ମ୍ୟୁଟେସନ୍ ପ୍ରତିରକ୍ଷା ପ୍ରଣାଳୀକୁ ନଷ୍ଟ କରି ଭ୍ୟାକସିନର ପ୍ରଭାବ କମ କରୁଛି। ବ୍ରିଟେନରୁ ଚିହ୍ନଟ ହୋଇଥିବା Eek ସହ B.1.1.7 ଭ୍ୟାରିଏଣ୍ଟକୁ ବୈଜ୍ଞାନିକ ଚିନ୍ତାର କାରଣ ବୋଲି କହିଛନ୍ତି। ଡାକ୍ତର ରକ କହିଛନ୍ତି ଯେ ଓରେଗାନରୁ ଚିହ୍ନଟ ହୋଇଥିବା ଭାଇରସ ସ୍ୱତନ୍ତ୍ର ରୂପେ ବିକଶିତ ହେଲାଭଳି ଜଣାପଡୁଛି।

ବୈଜ୍ଞାନିକ କହିଛନ୍ତି ଯେ Eek ମ୍ୟୁଟେସନ୍ ବିଶ୍ୱରେ ସବୁ ଭାଇରସରେ ଦେଖାଦେଇଛି। କିନ୍ତୁ B.1.1.7 ସହ ଥିବା ମ୍ୟୁଟେସନ୍ ଦେଖିବା ଯୋଗ୍ୟ। ବ୍ରିଟେନରେ ଏହି ନୂଆ ଭ୍ୟାରିଏଣ୍ଟ ଯୋଗୁଁ କମ୍ ମାମଲା ସାମ୍ନାକୁ ଆସିଥିଲା। କିନ୍ତୁ ଏଠାରେ କମ୍ବିନେସନ ପ୍ରସ୍ତୁତ ହୋଇ B.1.1.7 ପୁରା ଦେଶରେ ବ୍ୟାପିସାରିଛି। ତେବେ ବୈଜ୍ଞାନିକ ଲୋକଙ୍କୁ ଭୟଭୀତ ନ ହେବାକୁ କହିଛନ୍ତି ଏବଂ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.