ଭାରତରେ କାୟା ମେଲାଉଛି କରୋନା : ଦେଶରେ ୬ ହଜାର ଡେଇଁଲା ଆକ୍ରାନ୍ତଙ୍କ ସଂଖ୍ୟା, ଉତ୍ତରପ୍ରଦେଶ-ମହାରାଷ୍ଟ୍ରରେ ସ୍ଥିତି ସଙ୍ଗୀନ
10/04/2020 at 7:35 AM

ନୂଆଦିଲ୍ଲୀ ୧୦।୦୪: ସାରାବିଶ୍ୱରେ ମହାମାରୀ ରୂପ ନେଇଥିବା କରୋନା ଭାଇରସ ଏବେ ଭାରତରେ କାୟା ବିସ୍ତାର କରିବାର ଲାଗିଛି । ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୧୫ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୮୦ହଜାର ପାର୍ ହୋଇସାରିଲାଣି । ସେହିପରି ଭାରତରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୬ହଜାର ପାର୍ ହୋଇଥିବା ବେଳେ ମୃତକ ୧୬୬ପାର୍ । ଏହି ମହାମାରୀ କବଳରୁ ୪ଶହରୁ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଘେରିଛନ୍ତି । ମହାରାଷ୍ଟ୍ର, କେରଳ ଓ ଉତ୍ତରପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାର ଲାଗିଛି ।
ତେବେ ମହାରାଷ୍ଟ୍ରରେ ସର୍ବାଧିକ ୧୧୩୫ ଜଣ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିଲା ବେଳେ ୭୨ ଜଣ ପ୍ରାଣ ହରାଇଛନ୍ତି । ଏହା ତଳକୁ ତାମିଲନାଡୁରେ ୭୩୮ ଜଣ ସଂକ୍ରମିତ ହୋଇଥିଲା ବେଳେ ୮ ଜଣ ପ୍ରାଣ ହରାଇଛନ୍ତି । ସେହିଭଳି ରାଜଧାନୀ ଦିଲ୍ଲୀରେ ୬୬୯ ଜଣ ସଂକ୍ରମିତ ହୋଇଛନ୍ତି ଏବଂ ଏପର୍ଯ୍ୟନ୍ତ ୯ ଜଣଙ୍କର ମୃତ୍ୟୁ ହୋଇଛି । ରାଜସ୍ଥାନରେ ୮୦, ଗୁଜୁରାଟରେ ୭୬ ଜଣ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣ ପାଇଁ ଗୁରୁବାର ଭାରତ ପାଇଁ ସବୁଠାରୁ ଖରାପ ଦିନ ଥିଲା । ଏହି ଦିନ ରେକର୍ଡ ୭ ଶହରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ବିଭିନ୍ନ କମ୍ପାନି ପକ୍ଷରୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ), ମାସ୍କ, ଭେଣ୍ଟିଲେଟର ଯୋଗାଣ ଆରମ୍ଭ ହୋଇଯାଇଛି । ଭାରତରେ ବର୍ତ୍ତମାନ ୨୦ଟି କମ୍ପାନି ପିପିଇ ପ୍ରସ୍ତୁତ କରୁଛନ୍ତି । ସେହି ସବୁ କମ୍ପାନିଙ୍କୁ ୧ କୋଟି ୭୦ ଲକ୍ଷ ପିପିଇ ପାଇଁ ଅର୍ଡର ଦିଆଯାଇଥିଲା ବେଳେ ସେମାନେ ଯୋଗାଣ ଆରମ୍ଭ କରିଛନ୍ତି । ସେହିଭଳି ୪୯ ହଜାର ଭେଣ୍ଟିଲେଟର ପାଇଁ ଅର୍ଡର ଦିଆଯାଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।