Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୩ ମାସ ମାଗଣା ଗ୍ୟାସ୍, ରାସନ, ଶ୍ରମିକଙ୍କୁ ଭଡା ଘର: ମୋଦୀ କ୍ୟାବିନେଟ୍‌ର ବଡ ନିଷ୍ପତ୍ତି

8/07/2020 at 4:45 PM

ନୂଆଦିଲ୍ଲୀ ୦୮।୦୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଅନେକ ମହତ୍ଵପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ଲାଗିଛି। ବୈଠକରେ ଇପିଏଫ, ଉଜ୍ଜ୍ଵଳା ଯୋଜନା, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଓ ପ୍ରବାସୀ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ଆବସୀୟ ଯୋଜନା ସଂପର୍କିତ ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି।

ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ୧୦୦ରୁ କମ କର୍ମଚାରୀ ଥିବା କମ୍ପାନୀର କର୍ମଚାରୀଙ୍କ ତିନି ମାସର ଇପିଏଫ ପଇସା ସରକାରଙ୍କ ପକ୍ଷରୁ ପୈଠ କରାଯିବାକୁ ନିର୍ଣ୍ଣୟ ନିଆଯାଇଛି।

ସେହି ପରି ଉଜ୍ଜ୍ଵଳା ଯୋଜନାର ଉପଭୋକ୍ତାଙ୍କୁ ମାଗଣାରେ ଯୋଗାଇ ଦିଆଯାଉଥିବା ଗ୍ୟାସ୍‌ର ଅବଧିକୁ ଆହୁତି ତିନି ମାସ ବଢାଇ ଦିଆଯାଇଛି। ନଭେମ୍ବର ପର୍ଯ୍ୟନ୍ତ ଉପଭୋକ୍ତାଙ୍କୁ ମାଗଣାରେ ୫ କିଲୋ ଚାଉଳ କିମ୍ବା ଗହମ ଯୋଗାଇ ଦିଆଯିବ। ଏହା ବ୍ୟତୀତ ୧୦୭ ସହରରେଏକ ଲକ୍ଷରୁ ଅଧିକ ଛୋଟ ଫ୍ଲାଟକୁ ପ୍ରବାସୀଙ୍କୁ ଭଡାରେ ଦେବାକୁ ନିଷ୍ପତ୍ତି ହୋଇଛି। ଏହି ୧୦୭ ସହରେ ୧ ଲକ୍ଷ ୮ ହଜାର ଛୋଟ ଘର ପ୍ରସ୍ତୁତ  ଅଛି।

ଏହାର ସୂଚନା ଦେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଘୋଷଣା ହୋଇଥିଲା। ଆଜି ମନ୍ତ୍ରିମଣ୍ଡଳରେ ଏହା ଉପରେ ମୋହର ବାଜିଛି। ଜୁଲାଇଠୁ ନେଇ ନଭେମ୍ବର ପର୍ଯ୍ୟନ୍ତ ପାଞ୍ଚ ମାସ ଏହି ଯୋଜନା ଜାରି ରହିବ। ୮୧ କୋଟି ଲୋକଙ୍କୁ ପ୍ରତି ବ୍ୟକ୍ତି ପିଛା ୫ କିଲୋ ଚାଉଳ/ଗହମ ଏବଂ ଏକ କିଲୋ ଚଣା ପ୍ରତି ମାସରେ ମିଳିବ। ସେ କହିଛନ୍ତି, ଗତ ତିନି ମାସରେ ୧.୨୦ କୋଟି ଖାଦ୍ୟ ଶସ୍ୟ ଉପଭୋକ୍ତାଙ୍କୁ  ବିତରଣ କରାଯାଇଛି। ଏହି ପରି ପାଞ୍ଚ ମାସରେ ୨.୦୩ କୋଟି ଖାଦ୍ୟଶସ୍ୟ ଲାଭାର୍ଥୀଙ୍କୁ ବଣ୍ଟନ କରାଯିବ।

ମନ୍ତ୍ରୀ କହିଛନ୍ତି ଯୋଜନା ଉପରେ ୧ ଲକ୍ଷ ୪୯ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଦେଶ ସ୍ଵାଧୀନତା ପରେ ପ୍ରଥମ ଥର ଏହି ପରି ୮୧ କୋଟି ଜନତାଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି। ଦୁନିଆରେ କୌଣସି ବି ଦେଶରେ ଏମିତି ବଡ ଯୋଜନା ପ୍ରଣୟନ ହୋଇ ନାହିଁ।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଗୃହ ମନ୍ତ୍ରୀ ଅମିତ୍ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସମେତ ଅନେକ ମନ୍ତ୍ରୀ ଉପସ୍ଥିତ ଥିଲେ। ଏହି ସମୟରେ ସମସ୍ତ ମନ୍ତ୍ରୀ ମାସ୍କ ପିନ୍ଧିଥିଲେ ଏବଂ ସାମାଜିକ ନିୟମ ମଧ୍ୟ ପାଳନ କରିଥିଲେ।  

   Related Posts