କରୋନା ଭୂତାଣୁ କାରଣରୁ ୨.୫ କୋଟି ଲୋକ ହେବେ ବେରୋଜଗାର !
19/03/2020 at 8:40 PM

ନୂଆଦିଲ୍ଲୀ ୧୯।୦୩: ମିଳିତ ଜାତି ସଂଘର ଏକ ଏଜେନ୍ସି ଅନୁସାରେ କରୋନା ଭୂତାଣୁର ମହାମାରୀ କାରଣରୁ ସମଗ୍ର ଦୁନିଆରେ ପ୍ରାୟ ୨.୫ କୋଟି ଚାକିରି ସମାପ୍ତ ହୋଇପାରେ। ଅର୍ଥାତ ୨.୫ କୋଟି ଲୋକ ବେରୋଜଗାର ହୋଇଯିବେ। ମାତ୍ର ଅନ୍ତରାଷ୍ଟ୍ରୀୟ ସ୍ତରରେ ସମନ୍ଵିତ ନୀତିଗତ କାର୍ଯ୍ୟାନୁଷ୍ଠାନ ଜରିଆରେ ବିଶ୍ଵ ବେରୋଜଗାରୀ ଉପରେ କରୋନା ଭୂତାଣୁ ପ୍ରଭାବକୁ କମ୍ କରିବାରେ ସହାୟକ ହେବ।
ଅନ୍ତରାଷ୍ଟ୍ରୀୟ ଶ୍ରମ ସଂଗଠନ(ଆଇଏଲଓ) ନିଜର ପ୍ରାରମ୍ଭିକ ମୂଲ୍ୟାଙ୍କନ ରିପୋର୍ଟରେ କାର୍ଯ୍ୟସ୍ଥଳରେ ଶ୍ରମିକଙ୍କ ସୁରକ୍ଷା, ଅର୍ଥବ୍ୟବସ୍ଥାକୁ ଗତି ଦେବା ଓ ରୋଜଗାର ତଥା ଆୟ ସୃଜନ କରିବା ପାଇଁ ତତ୍କାଳ ବଡ ଧରଣର ସମନ୍ଵିତ ଉପାୟ କରିବାକୁ ଆହ୍ଵାନ କରିଛି।
ଆଇଏଲଓ କହିଛି ଯେ, ଏହି ଉପାୟରେ ସାମାଜିକ ସୁରକ୍ଷା ପ୍ରଦାନ କରିବା, ରୋଜଗାର ଜାରି ରଖିବାରେ ସହାୟତା ଓ ଛୋଟ ତଥା ମଧ୍ୟମ ଉଦ୍ୟୋଗ ପାଇଁ ବିତ୍ତୀୟ ଓ କର ଆଶ୍ଵସ୍ତି ସାମିଲ ରହିଛି। ଆଇଏଲଓ କହିଛି ଯେ, କରୋନା ଭୂତାଣୁ ମହାମାରୀର ରୂପ ନେବା କାରଣରୁ ଉତ୍ପନ ଆର୍ଥିକ ଓ ଶ୍ରମ ସଙ୍କଟରେ ସମଗ୍ର ଦୁନିଆରେ ପ୍ରାୟ ୨.୫ କୋଟି ଲୋକ ବେରୋଜଗାର ହୋଇ ପାରନ୍ତି।
ରିପୋର୍ଟରେ କୁହାଯାଇଛି ଯେ, ୨୦୦୮ରେ ଯେମିତି ଆର୍ଥିକ ସଙ୍କଟ ଦେଖାଯାଇଥିଲା, ଯଦି ଏଥର ଆମେ ଅନ୍ତରାଷ୍ଟ୍ରୀୟ ସ୍ତରରେ ସମନ୍ଵିତ ନୀତିଗତ କାର୍ଯ୍ୟ ଉପରେ ଗମ୍ଭୀରତା ସହ ପଦକ୍ଷେପ ନିଅନ୍ତି ତେବେ ବିଶ୍ଵରେ ବେରୋଜଗାରୀ ପ୍ରଭାବ କମ ହୋଇ ପାରିବ।