କରୋନା ଭୟ: ଜେଲରୁ ଖଲାସ ହେବା ପାଇଁ କଏଦୀଙ୍କ ଅନଶନ, ଆଶାରାମ ମଧ୍ୟ ସାମିଲ
24/03/2020 at 8:12 PM

ଯୋଧପୁର, ୨୪ ୦୩: କରୋନା ଭାଇରସକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାମାରୀ ଘୋଷଣା କରିଛି । ଦେଶର ୫୪୮ଟି ଜିଲ୍ଲାକୁ ଲକଡାଉନ୍ କରାଯାଇଛି । ଏପରିକି ଲୋକଙ୍କୁ ବାହାରକୁ ନ ବାହାରିବା ପାଇଁ ପ୍ରଶାସନ ପରାମର୍ଶ ଦେବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ମଧ୍ୟ କହୁଛି । ତେବେ ଯୋଧପୁର କେନ୍ଦ୍ରୀୟ କାରାଗାରରେ କଏଦୀମାନେ ଅନଶନ ଆରମ୍ଭ କରିଛନ୍ତି । ମୋଟ ୧୩୭୫ଜଣ କଏଦୀ ଏହି ଅନଶନରେ ସାମିଲ ହୋଇଛନ୍ତିା

ମଙ୍ଗଳବାର ସକାଳେ ଜେଲରେ ଖାଦ୍ୟ ରନ୍ଧା ହୋଇଥିଲେ ମଧ୍ୟ କୌଣସି କଏଦୀ ଖାଇନଥିଲେ । ମହାମାରୀ ସମୟରେ ସେମାନଙ୍କୁ ଖଲାସ କରାଯାଉ ବୋଲି ସେମାନେ ଦାବି କରିଛନ୍ତି । ଏହି ମାମଲାରେ ରାଜ୍ୟ ସରକାର ଯୋଧପୁର କେନ୍ଦ୍ରୀୟ କାରାଗାରକୁ କଏଦୀଙ୍କ ବାବଦରେ ତଥ୍ୟ ମାଗିଛନ୍ତି ।
କେଉଁ କଏଦୀଙ୍କୁ ପାରୋଲରେ ଛଡାଯିବ ଓ କାହାକୁ କ୍ଷମା ଦିଆଯିବ ତାହା ରାଜ୍ୟ ସରକାର ନିର୍ଣ୍ଣୟ କରିବେ । କେନ୍ଦ୍ରୀୟ କାରାଗାରର ଅଧିକ୍ଷକ କହିଛନ୍ତି ଯେ, ଏଠାରେ ଅନେକ କୁଖ୍ୟାତ ଅପରାଧୀ ସଜା କାଟୁଛନ୍ତି । କେତେଜଣଙ୍କର ଟ୍ରାଏଲ ମଧ୍ୟ ଚାଲିଛି । ଏଥିରେ ଆସାରାମ, ଭମ୍ବର ଦେବୀ ଅପହରଣ ମାମଲାରେ ପୂର୍ବତନ ମନ୍ତ୍ରୀ ମହିପାଲ ମଦରେଣା ଆଦି ସାମିଲ ଅଛନ୍ତି ।