କରୋନା ମୁକାବିଲା ପାଇଁ ସରକାର ପ୍ରସ୍ତୁତ: ରିଙ୍ଗଟୋନରେ କରାଯାଉଛି ସଚେତନ, ୩୦ଟି ବିମାନବନ୍ଦରରେ ଯାତ୍ରୀଙ୍କ ସ୍କ୍ରିନିଂ
9/03/2020 at 3:50 PM

ନୂଆଦିଲ୍ଲୀ, ୦୯|୦୩: ଭାରତରେ ଲଗାତାର ଭାବେ ବୃଦ୍ଧି ପାଉଥିବା କରୋନା ଭାଇରସର ପ୍ରଭାବ ମଧ୍ୟରେ ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଧନ ସମୀକ୍ଷା ବୈଠକ କରିଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ କହିବାନୁସାରେ, ଏହି ଭାଇରସ ୬୦ରୁ ଅଧିକ ଦେଶରେ ନିଜର କାୟା ବିସ୍ତାର କରିଛି। ଦେଶ ବାହାରୁ ଆସୁଥିବା ଲୋକଙ୍କ ଯାଂଚ କରାଯାଉଛି। ଏହି ବୈଠକରେ କେନ୍ଦ୍ରମନ୍ତ୍ରୀଙ୍କ ବ୍ୟତୀତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଓ ଉପରାଜ୍ୟପାଳ ଅନୀଲ ବୈଜଲ ଉପସ୍ଥିତ ଥିଲେ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଲୋକଙ୍କୁ ଫୋନରେ କରୋନା ଭାଇରସ ବାବଦରେ ତଥ୍ୟ ଦିଆଯାଉଛି। ରିଙ୍ଗ୍ ଟୋନରେ କରୋନା ଭାଇରସକୁ ନେଇ ସଚେତନ କରାଯାଉଛି। ଦେଶର ୩୦ଟି ବିମାନବନ୍ଦରରେ ଯାତ୍ରୀଙ୍କ ସ୍କ୍ରିନିଂ କରାଯାଉଛି। ଏବେସୁଦ୍ଧା ମୋଟ ୮ଲକ୍ଷରୁ ଅଧିକ ଲୋକଙ୍କ ଯାଂଚ ସରିଛି। ଜାନୁଆରୀରେ ମାତ୍ର ୭ଟି ବିମାନବନ୍ଦରରେ ସ୍କ୍ରିନିଂ ଆରମ୍ଭ ହୋଇଥିଲା। ଏବେ ସରକାରଙ୍କ ତରଫରୁ ଜିଲ୍ଲା ସ୍ତରରେ ସ୍କ୍ରିନିଂ ଟ୍ରେନିଂ ଦିଆଯିବ। ଏଥିରେ କେହି କରୋନା ସଂକ୍ରମିତ ହୋଇଥିଲେ ତୁରନ୍ତ ଜଣାପଡିବ।

ବୈଠକ ପରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ କହିଛନ୍ତି ଯେ, ସହରରେ କରୋନା ଭାଇରସକୁ ନେଇ ସଚେତନ କରାଯାଉଛି। ଏହାକୁ ତଳସ୍ତରରେ ପହଁଚାଯାଇଛି। ସ୍କ୍ରିନିଂ ମଧ୍ୟ ହେଉଛି। ସୁସ୍ଥ ବ୍ୟକ୍ତିମାନେ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି।