ହାଇଦ୍ରାବାଦର ଜିୟାଗୁଡାରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା, ଏପଟେ ଲକଡାଉନ୍ ବଢାଇଲେ ମିଜୋରାମ ଓ ମହାରାଷ୍ଟ୍ର

Published By : Prameya-News7 Bureau | May 15, 2020 IST

ନୂଆଦିଲ୍ଲୀ, ୧୫|୦୫ :  ଭାରତ ସମେତ  ସାରା ବିଶ୍ୱ କରୋନା ଭାଇରସର ମୁକାବିଲା କରୁଛି । ଦେଶରେ କରୋନା ଗତିରେ ବ୍ରେକ ମଧ୍ୟ ଲାଗୁନାହିଁ । ଶୁକ୍ରବାର ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୧,୯୭୦କୁ ବୃଦ୍ଧି ପାଇଛି । ଏହା ମଧ୍ୟରୁ ୫୧,୪୦୧ଟି ସକ୍ରିୟ କେସ୍ ରହିଥିବା ବେଳେ ୨୬୪୯ଜଣଙ୍କ ମୃତ୍ୟୁ ହୋଇସାରିଛି । ସେହିପରି ୨୭୯୨୦ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏହାମଧ୍ୟରେ କିଛି ସ୍ଥାନରେ କରୋନା ଭାଇରସ ଗୋଷ୍ଠୀ ସଂକ୍ରମଣର ରୂପ ନେଇଥିବା ରିପୋର୍ଟ ପ୍ରକାଶ ପାଇଛି । ହାଇଦ୍ରାବାଦର ଜିୟାଗୁଡାରେ କରୋନା ଭାଇରସ ଗୋଷ୍ଠୀ ସଂକ୍ରମଣ ଦିଗକୁ ଗତି କରିଥିବା ଆଶଙ୍କା କରାଯାଉଛି । ସେହିପରି ମିଜୋରାମ ଓ ମହାରାଷ୍ଟ୍ର ଭଳି ରାଜ୍ୟ ଲକଡାଉନକୁ ମେ ୩୧ ଯାଏଁ ବୃଦ୍ଧି କରିଛନ୍ତି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ସମ୍ବୋଧନରେ ଲକଡାଉନ-୪ ଅଳଗା ପ୍ରକାର ହେବ ବୋଲି କହିସାରିଛନ୍ତି ।

ମିଜୋରାମ ସରକାର ଲକଡାଉନକୁ ମେ ୩୧ ଯାଏଁ ବୃଦ୍ଧି କରିଛନ୍ତି । ସେହିପରି ମହାରାଷ୍ଟ୍ର ସରକାର ମୁମ୍ବାଇ, ପୁଣେ ଆଦି ହଟସ୍ପଟ୍ ଅଞ୍ଚଳରେ ଲକଡାଉନକୁ ମେ ୩୧ ଯାଏଁ ବୃଦ୍ଧି କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଘୋଷଣା କରିଛନ୍ତି । ତେବେ ମହାରାଷ୍ଟ୍ରର ଅନ୍ୟ ପ୍ରାନ୍ତରେ ଲକଡାଉନ ୩.୦କୁ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ମେ ୧୭ ଯାଏଁ ପୂର୍ବପରି ପାଳନ କରାଯିବ । ନୂଆ ଗାଇଡଲାଇନ ଆଶିବା ପରେ ଲକଡାଉନ ୪.୦କୁ ମଧ୍ୟ ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ କହିଛନ୍ତି ।

ତେବେ ହାଇଦ୍ରାବାଦର ଜିୟାଗୁଡା ପ୍ରଶାସନର ଚିନ୍ତା ବଢାଇଦେଇଛି । ଏଠାରେ ଗତ ୭ଦିନରେ ୭୦ଟି କେସ୍ ଆସିଥିବା ବେଳେ ୭ଜଣ ପ୍ରାଣ ହରାଇସାରିଛନ୍ତି । ନିକଟରେ ଏଠାରେ ଗୋଟିଏ ଦିନରେ ୨୭ଟି ପଜିଟିଭ୍ କେସ୍ ସାମ୍ନାକୁ ଆସିଥିଲା । ସରକାରୀ ଅଧିକାରୀଙ୍କ କହିବାନୁସାରେ, ଜଣେ ଉତ୍ତରପ୍ରଦେଶ ଫେରନ୍ତାଙ୍କଠୁ କରୋନା ସଂକ୍ରମଣ ହୋଇଥିବା ଆଶଙ୍କା କରାଯାଉଛି । ସେ ଆଗ୍ରାରୁ ଦିଲ୍ଲୀ ଆସିବା ପରେ ତେଲେଙ୍ଗାନା ଏକ୍ସପ୍ରେସରେ ଦିଲ୍ଲୀରୁ ହାଇଦ୍ରାବାଦ ଫେରିଥିଲେ ।ସେହିପରି ଆଉ ଜଣେ ବ୍ୟକ୍ତି ଉତ୍ତର ପ୍ରଦେଶରେ ଏକ ବିବାହ ଭୋଜିରେ ଯୋଗଦେଇ ଫେରିବା ପରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।

ଜିୟାଗୁଡାର ଜଣେ ପାନ ଦୋକାନୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ସେ ଏକ ବ୍ୟାଙ୍କରୁ ସଂକ୍ରମଣର ଶିକାର ହୋଇଥିବା ଆଶଙ୍କା କରାଯାଉଛି । ଆଙୁରି ମଧ୍ୟ ଧୋବିଘାଟ, ଯକ୍ତାପୁରାରେ ତୃତୀୟ ପର୍ଯ୍ୟାୟ ଆଡେ କରୋନା ଗତି କରୁଛି ବୋଲି ଅନୁମାନ କରାଯାଉଛି । ଫଳରେ ଏଠାରେ ଗୋଷ୍ଠୀ ସଂକ୍ରମଣର ଭୟ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.