ମହାରାଷ୍ଟ୍ରରେ ଥମୁନି କରୋନା ପ୍ରକୋପ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦ ହଜାର କରୋନା ପଜିଟିଭ୍, ବିଗୁଡୁଛି ସ୍ଥିତି

Published By : Prameya-News7 Bureau | April 03, 2021 IST

ମୁମ୍ବାଇ ୦୩।୦୪: ମହାରାଷ୍ଟ୍ରରେ କରୋନା ପ୍ରକୋପ ଥମିବାର ନାଁ ନେଉନାହିଁ। ଶନିବାର ରାଜ୍ୟରେ ପାଖାପାଖି ୫୦ ହଜାର ନୂତନ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ଅନୁଯାୟୀ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୯୪୪୭ କେସ୍ ସାମ୍ନାକୁ ଆସିଛି। ଏଥିସହ ରାଜ୍ୟରେ ଆକ୍ଟିଭ୍ କେସ୍ ସଂଖ୍ୟା ୪ ଲକ୍ଷ ୧ ହଜାର ୧୭୨କୁ ବୃଦ୍ଧି  ଘଟିଛି। ଏଥିସହ ଏହି ସମୟରେ କରୋନାରେ ଆଉ ୨୭୭ ଜଣଙ୍କ ପ୍ରାଣହାନୀ ଘଟିଛି।

ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଶନିବାର ୩୭, ୮୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିସହ ରାଜ୍ୟରେ ଏ ପର୍ଯ୍ୟନ୍ତ ୨୪, ୯୫,୩୧୫ ଜଣ କରୋନାକୁ ମାତ୍ ଦେଇ ସାରିଛନ୍ତି। ସେହି ପରି ମୃତକଙ୍କ ସଂଖ୍ୟା ୫୫,୬୫୬ରେ ପହଞ୍ଚିଛି। ଏହା ପୂର୍ବରୁ ଶୁକ୍ରବାର ରାଜ୍ୟରେ ୪୭,୮୨୭ ନୂତନ କେସ୍ ସାମ୍ନାକୁ ଆସିଥିଲା ଯାହା ଛଅ ମାସରେ ଗୋଟିଏ ଦିନରେ ସର୍ବାଧିକ କେସ୍ ଥିଲା। କିନ୍ତୁ ଶନିବାର ଏହି ରେକର୍ଡ ଭାଙ୍ଗି ଯାଇଛି।

କେବଳ ମୁମ୍ବାଇରୁ ଶନିବାର କରୋନା ଭାଇରସ୍‌ର ୯୦୯୦ କେସ୍ ସାମ୍ନାକୁ ଆସିଛି। ମୁମ୍ବାଇରେ ଗତ ୨୪ ଘଣ୍ଟାରେ ୫୩୨୨ ଜଣ କରୋନାକୁ ମାତ୍ ଦେଇଛନ୍ତି। ସଂପ୍ରତି ମାୟାନଗରୀରେ ଆକ୍ଟିଭ୍ କେସ୍ ସଂଖ୍ୟା ୬୨,୧୮୭ ରହିଛି। ସହରରେ ଏ ପର୍ଯ୍ୟନ୍ତ ୩,୬୬, ୩୬୫ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି। ମୋଟ୍ ୧୧,୭୫୧ ଜଣଙ୍କ କରୋନାଜନିତ ମୃତ୍ୟୁ ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.