କରୋନା ଏବେ ଆହୁରି ଭୟଙ୍କର, ମାର୍ଚ୍ଚରେ ଦେଖାଇଛି ରୂପ, ଏପ୍ରିଲ ପାଇଁ ଦେଇଛି ଚେତାବନୀ

Published By : Prameya-News7 Bureau | April 03, 2021 IST

ନୂଆଦିଲ୍ଲୀ,୦୩/୦୪: ଦେଶରେ କରୋନା ଭାଇରସର ପ୍ରକୋପ ଜାରି ରହିଛି । ମାର୍ଚ୍ଚରେ କରୋନା ସଂକ୍ରମଣ ସମସ୍ତ ରେକର୍ଡ ଭାଙ୍ଗି ଦେଇଛି । ଏପ୍ରିଲ ମାସରେ କରୋନା ଚରମ ସୀମାରେ ପହଁଚିବ ବୋଲି ଅନୁମାନ କରାଯାଉଛି । ଚଳିତ ମାସରେ ମଧ୍ୟଭାଗରେ କରୋନା ଭୟଙ୍କର ହେବା ସହ ଦେଶରେ ଆତଙ୍କ ଖେଳାଇବ ବୋଲି ବୈଜ୍ଞାନିକମାନେ କହିଛନ୍ତି ।ଏହାପରେ ସଂକ୍ରମଣ ହ୍ରାସ ପାଇପାରେ । ଏହାମଧ୍ୟରେ ୧୧ଟି ରାଜ୍ୟର ମୁଖ୍ୟ ସଚିବ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ କ୍ୟାବିନେଟ୍ ସଚିବ ରାଜୀବ ଗୋବା କହିଛନ୍ତି ଯେ, ମାର୍ଚ୍ଚରେ କରୋନା ସଂକ୍ରମଣର ବେଗ ୬.୮ ପ୍ରତିଶତ ରହିଛି । ଏହାପୂର୍ବରୁ ଗତ ବର୍ଷ ଜୁନରେ ଏହା ସର୍ବାଧିକ ୫.୫ ପ୍ରତିଶତ ରହିଥିଲା ।

ସେ ଆହୁରି କହିଛନ୍ତି ଯେ, ୨୦୨୦ରେ କରୋନା ମାମଲା ଗୋଟିଏ ଦିନରେ ସର୍ବାଧିକ ୯୭ ହଜାର ଛୁଇଁଥିଲା । ଏବେ ପୁଣି ଦୈନିକ ମାମଲା ୮୧ ହଜାର ଟପିଛି । ମହାରାଷ୍ଟ୍ରରେ ସ୍ଥିତି ସବୁଠାରୁ ସାଙ୍ଘାତିକ ରହିଛି । ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରରେ ସଂକ୍ରମଣ ହୁହୁ ହୋଇ ବଡିଚାଲିଛି ।

ବୈଜ୍ଞାନିକଙ୍କ କହିବାନୁସାରେ, ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହରି ଜାରି ରହିଛି । ଏହା ଏପ୍ରିଲ ମଧ୍ୟ ଭାଗରେ ଉଚ୍ଚରେ ରହିବ । ଏହାପରେ ସଂକ୍ରମଣ ମାମଲା ହ୍ରାସ ପାଇବ । ସୂତ୍ର ନାମକ ଏକ ସଂସ୍ଥାର ବୈଜ୍ଞାନିକମାନେ ଏହି ଅନୁମାନ କରିଛନ୍ତି । ଏହି ବୈଜ୍ଞାନିକଙ୍କ ମଧ୍ୟରେ ଆଇଆଇଟି କାନପୁରର ଅନିନ୍ଦ୍ର ଅଗ୍ରଓ୍ୱାଲଙ୍କ ସମେତ ଅନେକ ସାମିଲ ଅଛନ୍ତି ।

ଅନିନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ଯେ, ଏପ୍ରିଲ ୧୫ରୁ ୨୦ ମଧ୍ୟରେ କରୋନାର କରାଳ ରୂପ ଦେଖିବାକୁ ମିଳିବ । ଏହି ଗ୍ରାପ୍ ବହୁତ ଶୀଘ୍ର ବଢୁଛି । ଦୈନିକ ଲକ୍ଷେ ପାଖାପାଖି ମାମଲା ସାମ୍ନାକୁ ଆସିବ ।  କିନ୍ତୁ ମାସ ଶେଷରେ ମାମଲା ହ୍ରାସ ପାଇବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.