ମହାରାଷ୍ଟ୍ର ପରେ ଦିଲ୍ଲୀରେ ପୁଣି ଡରାଇଲାଣି କରୋନା ଭାଇରସ, ଭାକସିନ୍ ଆସିବା ପରେ ଲୋକେ ମାନୁନାହାଁନ୍ତି କଟକଣା

Published By : Prameya-News7 Bureau | March 06, 2021 IST

ନୂଆଦିଲ୍ଲୀ, ୦୬|୦୩ : ସାରା ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିକାକରଣ ଅଭିଯାନ ଉପରେ ଜୋର୍ ଦେଉଛନ୍ତି । ଦେଶର ରାଜଧାନୀ ଦିଲ୍ଲୀରେ ଗୁରୁବାର ଗୋଟିଏ ଦିନରେ ସର୍ବାଧିକ ଜଣଙ୍କୁ ଟିକା ଦିଆଯାଇଛି । ତେବେ ଶୁକ୍ରବାର ଦିଲ୍ଲୀରେ ସାମ୍ନାକୁ ଆସିଥିବା ଦୈନିକ ସଂକ୍ରମଣ ମାମଲା ଚିନ୍ତା ବଢାଇ ଦେଇଛି । ଟିକା ଆସିବା ପରେ ଲୋକମାନେ କଟକଣାକୁ ମାନୁନଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ମହାରାଷ୍ଟ୍ର ପରେ ଦିଲ୍ଲୀରେ କରୋନା ମାମଲା ପୁଣି ବଢିବାକୁ ଆରମ୍ଭ କଲାଣି । ଶୁକ୍ରବାର ଦିଲ୍ଲୀରେ ଗୋଟିଏ ଦିନରେ ୩୧୨ଟି ମାମଲା ସାମ୍ନାକୁ ଆସିଛି । ଏହାସହ ୩ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏବେସୁଦ୍ଧା ଏଠାରେ ୬୪୦୪୯୪ଟି ମାମଲା ସାମ୍ନାକୁ ଆସିଥିବା ବେଳେ ୧୦୯୧୮ଜଣ ପ୍ରାଣ ହରାଇଛନ୍ତି ।

ମହାରାଷ୍ଟ୍ରରେ ଗୋଟିଏ ଦିନରେ ୧୦୨୧୬ଟି ମାମଲା ସାମ୍ନାକୁ ଆସିଛି । ଏହାସହ ୫୩ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ସେହିପରି ୬୪୬୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟରେ ଏବେସୁଦ୍ଧା ୨୧୯୮୩୯୯ଟି ମାମଲା ସାମ୍ନାକୁ ଆସିଥିବା ବେଳେ ୫୨୩୯୩ଜଣ ପ୍ରାଣ ହରାଇଛନ୍ତି । ଏବେବି ରାଜ୍ୟରେ ୮୮୮୩୮ଟି ସକ୍ରିୟ ମାମଲା ରହିଛି ।

କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଉପରେ ହେଉଥିବା ଅଧ୍ୟୟନରେ ଅନୁସାରେ, କୋଭିଡ-୧୯ ଆଣ୍ଟିବଡି ଉପରେ ଆଧାରିତ ଔଷଧ ଓ ଟିକା ନୂଆ ଷ୍ଟ୍ରେନ୍ ଉପରେ ସେତେ ମାତ୍ରାରେ ପ୍ରଭାବି ନୁହେଁ । କାରଣ ଭାଇରସର ନୂଆ ଷ୍ଟ୍ରେନ୍ ଅଧିକ ସଂକ୍ରାମକ । ଏହା ଆଣ୍ଟିବଡିକୁ ପ୍ରଭାବହୀନ କରିଦେଉଛି ।

ସର୍ବପ୍ରଥମେ ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଥିଲା । ଏହାପରେ ବ୍ରିଟେନ୍ ଓ ବ୍ରାଜିଲରେ ଭାଇରସର ନୂଆ ଷ୍ଟ୍ରେନ୍ ସାମ୍ନାକୁ ଆସିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.