ଭୟ ବଢ଼ାଉଛି ମେଡ୍-ଇନ୍ ଚାଇନା ଜିନିଷ ! ଚୀନରେ ଗାଡ଼ି ସରଞ୍ଜାମ ଖୋଳରୁ ମିଳୁଛି କରୋନା ଭୂତାଣୁ
3/01/2021 at 8:14 PM

ବେଜିଂ ୦୩/୦୧: ବର୍ଷେ ହେଲା ସାରା ବିଶ୍ବକୁ ଘାରିଛି କରୋନା ଭୂତାଣୁ ଭୟ। ଗୋଟିଏ ପରେ ଗୋଟିଏ ରୂପ ବଦଳାଉଛି କରୋନା ଭୂତାଣୁ। ଚୀନର ଉହାନ ସହରରୁ ଅସ୍ତିତ୍ବ ପାଇଥିବା କୋଭିଡ-୧୯ ଭାଇରସ୍ ସାରା ବିଶ୍ବରେ ନିଜର କାୟା ବିସ୍ତାର କରି ରଖିଛି। ବିଶ୍ବାବାସୀଙ୍କୁ ମରଣ ମୁହଁକୁ ଠେଲି ଦେଇଥିବା ଚୀନ ଭସ୍ମାସୁର ନୀତି ଆପଣାଇଛି। ଏବେ ଚୀନରେ ମିଳୁଛି କରୋନା ଭାଇରସ୍ ପ୍ୟାକେଟ୍।
ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଗାଡ଼ି ସରଞ୍ଜାମ ପ୍ୟାକେଟ୍ରେ କରୋନା ଭାଇରସ୍ ଉପସ୍ଥିତି ଏବେ ଚୀନରେ ଚିନ୍ତାର କାରଣ ପାଲଟିଛି। ଅଟୋ ପାର୍ଟ ବିକ୍ରି କରୁଥିବା ଏକ କମ୍ପାନୀ କରୋନା ଭାଇରସ୍ ପ୍ୟାକେଟ୍ରେ ଥିବା ନେଇ ସ୍ପଷ୍ଟ କରିବା ପରେ ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏପରିକି ପାର୍ଟ ବିକ୍ରି କରୁଥିବା କର୍ମଚାରୀଙ୍କୁ କ୍ବାରେଣ୍ଟାଇନ୍ରେ ରହିବାକୁ ନିର୍ଦେଶ ଦିଆଯାଇଛି।
ଦକ୍ଷିଣ ଚୀନର ସାଞ୍ଜି ସ୍ଥିତ ଜିନଚେଙ୍ଗ ସହରରେ ଟାୟାର ପ୍ୟାକେଟରେ କରୋନା ଭାଇରସ୍ ଥିବା ନେଇ ସ୍ପଷ୍ଟ କରିଥିଲା ସ୍ଥାନୀୟ ରୋଗ ନିୟନ୍ତ୍ରଣ ଓ ନିରୋଧ କେନ୍ଦ୍ର। ଏନେଇ ଶନିବାର ସୂଚନା ମିଳିଛି। ପରେ ପରେ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ସରଞ୍ଜାମ ଖୋଳଗୁଡ଼ିକୁ ସିଲ୍ କରିଦିଆଯାଇଛି। ହେବେଇର କାଙ୍ଗଝୋରେ ଏହି ଭଳି ୩ଟି ସାମ୍ପଲ ପାଇଛନ୍ତି ବିଶେଷଜ୍ଞ।
ଗାଡ଼ି ସରଞ୍ଜାମ ବିକ୍ରି କରୁଥିବା ବେଜିଂର ଏକ କମ୍ପାନୀର କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନର ଚେତା ପଶିଥିଲା। ପରେ ଏନେଇ ସରଞ୍ଜାମ ପ୍ୟାକେଟଗୁଡ଼ିକର ନ୍ୟୁକ୍ଲେଇକ୍ ଏସିଡ୍ ଟେଷ୍ଟ କରାଯାଇଥିଲା। ତେବେ ଏହି ପରୀକ୍ଷା ବିଭିନ୍ନ ସହରରେ କରାଯାଇଥିବା ବେଳେ ପ୍ରାୟ ପ୍ୟାକେଟରେ କରୋନା ଭାଇରସ୍ର ଉପସ୍ଥିତି ଥିବା ଜାଣିବାକୁ ମିଳିଛି।
ଡିସେମ୍ବରରେ ଏନେଇ ଜଣାପଡ଼ିଥିବା ବେଳେ କରୋନା ସଂକ୍ରମଣକୁ ରୋକିବାକୁ ସରକାରଙ୍କ ସମେତ ସ୍ଥାନୀୟ ପ୍ରଶାସନ ଅଣ୍ଟାଭିଡ଼ିଛନ୍ତି। ଅନ୍ୟପଟେ ଚୀନରେ ଏଭଳି ଅବସ୍ଥା ଉପୁଜିଥିବା ବେଳେ ସେଠାରୁ ଭାରତ ସମେତ ଅନ୍ୟ ଦେଶକୁ ଆସୁଥିବା ଅନକେ ବସ୍ତୁରେ କରୋନା ଭାଇରସ୍ ଥିବା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି।