ଏସିଆର ସବୁଠାରୁ ବଡ ବସ୍ତି ଧାରାବୀରେ ଆସିଲା କରୋନା ମାମଲା: ଜାଣନ୍ତୁ କେମିତି ହେଲା ସଂକ୍ରମଣ

Published By : Prameya-News7 Bureau | April 06, 2020 IST

ମୁମ୍ବାଇ ୦୬/୦୪ : ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି | ଦିଲ୍ଲୀ ନିଜାମୁଦ୍ଦିନରେ ଆୟୋଜନ ତବଲିଗି ଜମାତରୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି | ଦେଶର ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ଛୁଇଁଲନି | ମୁମ୍ବାଇରେ ଥିବା ଏସିଆର ସବୁଠାରୁ ବଡ ବସ୍ତି ଧାରାବୀରେ କରୋନାରେ ଜଣେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ହୋଇଛି |
ଧାରାବୀ ବସ୍ତି ଏସିଆର ସବୁଠାରୁ ବଡ ବସ୍ତି ଯେଉଁଠାରେ ୫୦ ଏକର ଅଞ୍ଚଳରେ ସାଢେ ୬ ଲକ୍ଷରୁ ଅଧିକ ଲୋକ ବସବାସ କରୁଛନ୍ତି | ଓସ୍କାର ପୁରସ୍କାର ପାଇଥିବା ସ୍ଲମଡଗ ମିଲିଅନେର କାହାଣୀ ମଧ୍ୟ ଧାରାବୀ ଉପରେ ହୋଇଥିଲା | ଦୁନିଆର ଅନେକ ସହରର ପ୍ଳାନର ଏହି ବସ୍ତିର ସମାଜ ଓ ଅର୍ଥ ବ୍ୟବସ୍ଥା ଉପରେ ରିସର୍ଚ୍ଚ କରନ୍ତି | ମାର୍ଚ୍ଚ ୨୩ ତାରିଖରେ ଜଣେ ବୃଦ୍ଧଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା | ସେ ଡାକ୍ତରଙ୍କୁ ପରାମର୍ଶ କରି ଜ୍ୱର ଔଷଧ ଖାଇଥିଲେ | ସେ ଧାରାବୀରେ ନିଜ ସ୍ତ୍ରୀ, ୪ ଝିଅ ଓ ୨ ପୁଅଙ୍କ ସହ ରୁହନ୍ତି |

୩ ଦିନ ପରେ ବୃଦ୍ଧ ଅବସ୍ଥା ବହୁତ ଖରାପ ହୋଇଥିଲା | ତେବେ ତାଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରୀ ନଥିଲା | ସେଥିପାଇଁ ଡାକ୍ତର ତାଙ୍କୁ କିଛି ଔଷଧ ଓ କଫ ସିରପ ଦେଇ ଘରକୁ ପଠାଇ ଦେଇଥିଲେ | କିନ୍ତୁ ମାର୍ଚ୍ଚ ୨୯ ତାରିଖରେ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ କରୋନା ପରୀକ୍ଷା କରାଯାଇଥିଲା | ତାଙ୍କ ଟେଷ୍ଟ ପଜିଟିଭ ଆସିଥିଲା | କିନ୍ତୁ ତାଙ୍କ ଅବସ୍ଥା ଆହୁରି ଗମ୍ଭୀର ହୋଇଯିବାରୁ ତାଙ୍କୁ ବଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ଯେଉଁଠାରେ ଆହୁରି କରୋନା ରୋଗୀ ଥିଲେ | କିନ୍ତୁ ଚିକିତ୍ସାରେ ବିଳମ୍ବ ହେତୁ ବୃଦ୍ଧଙ୍କ ମୃତ୍ୟୁ ହୋଇଗଲା |ଧାରାବୀରେ କରୋନା ଯୋଗୁଁ ମୃତ୍ୟୁ ହୋଇଥିବା ଏହା ପ୍ରଥମ ମାମଲା | ସେ ଧାରାବୀରେ ଲୁଗା ବ୍ୟବସାୟ କରୁଥିଲେ |
ସୂଚନାଯୋଗ୍ୟ ଯେ, ଯେକୌଣସି ରୋଗ ହେଉନା କାହିଁକି ମୁମ୍ବାଇ ଧାରାବୀ ଅଞ୍ଚଳରେ ପ୍ରଭାବ ନିଶ୍ଚୟ ପକାଇଥାଏ | ତେବେ କରୋନା ରୋକିବାର ଏକମାତ୍ର ଉପାୟ ହେଲା ସାମାଜିକ ଦୂରତା | କିନ୍ତୁ ଧାରାବୀ ଭଳି ଜାଗାରେ ଲୋକେ ଅଳ୍ପ ଜାଗାରେ ଘର କରି ରହୁଛନ୍ତି | ଯେଉଁଠାରେ ସାମାଜିକ ଦୂରତା ବଜାୟ ରଖିବା ସମ୍ଭବ ନୁହେଁ |
ତେବେ ଏଠାରେ ପ୍ରଶ୍ନ ଉଠୁଛି କୌଣସି ଟ୍ରାଭେଲ ହିଷ୍ଟ୍ରୀ ନଥାଇ ବୃଦ୍ଧଙ୍କୁ କରୋନା କେମିତି ହେଲା | ଦେଶରେ ସାମୁହିକ ସଂକ୍ରମଣ ବିସ୍ତାର କରିଥିବା ଆଶଙ୍କା କରାଯାଉଛି | କିନ୍ତୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବେ ପର୍ଯ୍ୟନ୍ତ କରୋନା ଷ୍ଟେଜ-୩ କୁ ନେଇ ସ୍ପଷ୍ଟ କରିନାହାନ୍ତି |
ଧାରାବୀରେ ରହୁଥିବା ବୃଦ୍ଧ ନିଜର କମ୍ପଲେକ୍ସରେ ଗୋଟିଏ ଆପାର୍ଟମେଣ୍ଟ କିଣିଥିଲେ | ସେହି ଆପାର୍ଟମେଣ୍ଟରେ ଆଉ ୫ଜଣ ରହୁଥିଲେ | ଏମାନେ ଦିଲ୍ଲୀ ନିଜାମୁଦ୍ଦିନ ତବଲିଗି ଜମାତରେ ସାମିଲ ହୋଇଥିଲେ | ଏମାନେ ମାର୍ଚ୍ଚ ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ଧାରାବୀ ରହିଥିବା ପୋଲିସ ସୂଚନା ଦେଇଛି | ପରେ ଏମାନେ କେରଳ ଚାଲି ଯାଇଥିଲେ | ପୋଲିସ ଏମାନଙ୍କ ଉପରେ ନଜର ରଖିଛି | ତେବେ ବୃଦ୍ଧଙ୍କୁ ସଂକ୍ରମଣ କେମିତି ହୋଇଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ | ତେବେ ପୋଲିସ କମ୍ପଲେକ୍ସର ୩୦୮ ଆପାର୍ଟମେଣ୍ଟ ଓ ୮୦ଟି ଦୋକାନ ସିଲ କରିଛି | ଅଢେଇ ହଜାରରୁ ଅଧିକ ଲୋକଉଁ କ୍ଵାରେଣ୍ଟାଇନରେ ରଖାଯାଇଛି | ସ୍ୱାସ୍ଥ୍ୟ କର୍ମଚାରୀ ଉକ୍ତ ସ୍ଥାନକୁ ସାନିଟାଈଜ କରିଛନ୍ତି |
ଏପ୍ରିଲ ୨ ତାରିଖରେ ଧାରାବୀରେ ରହୁଥିବା ଜଣେ ୩୫ ବର୍ଷ ବୟସ୍କ ଯୁବକ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି | ସେ ଏକ ଘରୋଇ ହସ୍ପିଟାଲରେ ଡାକ୍ତର ଥିଲେ | ଡାକ୍ତର ରହୁଥିବା ବିଲଡିଂର ୩୦୦ ଲୋକଙ୍କୁ ଆଇସୋଲେସନରେ ରଖାଯାଇଛି | ସେହି ହସ୍ପିଟାଲରେ ରହୁଥିବା ୨ ଜଣ ନର୍ସ ମଧ୍ୟ ସଂକ୍ରମିତ ହୋଇଛନ୍ତି | ସେହି ବିଲଡିଂରେ ରହୁଥିବା ଆଉ ୨ଜଣ ମହିଳା ମଧ୍ୟ ସଂକ୍ରମିତ ହୋଇଥିବା ରବିବାର ସ୍ପଷ୍ଟ ହୋଇଥିଲା |

ଧାରାବୀରେ ସଂକ୍ରମଣ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ବୋଲି ଅଧିକାରୀ କହିଛନ୍ତି | କାରଣ ବସ୍ତିରେ ସଂକ୍ରମଣ ବିସ୍ତାର କଲେ ତାକୁ ସମ୍ଭାଳିବା ଅସମ୍ଭବ ହୋଇ ପଡିବ | ତେବେ ସଂକ୍ରମଣ ରୋକିବା ପାଇଁ ବର୍ତ୍ତମାନ ପ୍ରାଥମିକତା ଦିଆଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.