ବାୟୁରେ ୪ ମିଟର ଯାଏଁ ବ୍ୟାପିଥାଏ କରୋନା ଭାଇରସ ! ରିସର୍ଚ୍ଚରେ ଆସିଲା ନୂଆ ତଥ୍ୟ
13/04/2020 at 4:55 PM

ନୂଆଦିଲ୍ଲୀ, ୧୩|୦୪: ବାୟୁ ଦ୍ୱାରା କରୋନା ଭାଇରସ ସଂକ୍ରମଣ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । ତେବେ କେହି କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ କାଶ ଓ ଛିଙ୍କ ଦ୍ୱାରା ସଂକ୍ରମଣର ଭୟ ରହିଥାଏ । ଏବେ ଆଉ ଏକ ରିପୋର୍ଟ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି । ମେଡିକାଲ ଓ୍ୱାର୍ଡର ବାୟୁରେ ଗବେଷକମାନେ କରୋନା ଭାଇରସକୁ ଠାବ କରିଛନ୍ତି । ଏହାକୁ ସଂକ୍ରମିତଙ୍କଠାରୁ ୪ ମିଟର ଦୂରରେ ଠାବ କରାଯାଇଛି ।

ଏମର୍ଜିଂ ଇନପେକ୍ସିୟସ୍ ଡିଜିଜ୍ ନାମକ ଏକ ମାଗାଜିନରେ ଏହା ପ୍ରକାଶିତ ହୋଇଛି । ଏହି ମାଗାଜିନ ‘ଦି ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ ପ୍ରିଭେନସନ’ର ଅଟେ । ଏହି ରିପୋର୍ଟ ଆସିବା ପରେ କରୋନା ସଂକ୍ରମିତଙ୍କୁ ଘରେ ଆଇସୋଲେସନରେ ରଖିବା ବିପଦପୂର୍ଣ୍ଣ ବୋଲି କୁହାଯାଉଛି । ଏହି ରିପୋର୍ଟ ଏକ ବଡ ବିତର୍କ ଆହ୍ୱାନ କରିଛି । ଏହି ଗବେଷଣା ବେଜିଂ ସୈନ୍ୟ ହସ୍ପିଟାଲର ଜେନେରାଲ ଓ୍ୱାର୍ଡରେ ହୋଇଛି । ହସ୍ପିଟାଲର ଆଇସିୟୁ ଓ୍ୱାର୍ଡରେ ୧୫ ଜଣ ସଂକ୍ରମିତ ଥିଲେ । ଜେନେରାଲ ଓ୍ୱାର୍ଡରେ ୧୪ଜଣ ଥିଲେ । ଆଇସିୟୁ ମଧ୍ୟରେ ଥିବା ବାୟୁର ୪୦ଟି ନମୂନାରୁ ୧୪ଟିରେ କରୋନା ଭାଇରସ ମିଳିଥିଲା । ସେହିପରି ଜେନେରାଲ ଓ୍ୱାର୍ଡରେ ୧୬ଟି ନମୂନାରୁ ୨ଟିରେ ଭାଇରସ ମିଳିଥିଲା । ଏହି ନମୂନାକୁ ସଂକ୍ରମିତଙ୍କଠାରୁ ୪ ମିଟର ଦୂରରେ ସଂଗୃହିତ ହୋଇଥିଲା ।
ଏହା ପୂର୍ବରୁ ମେସାୟୁଟେସ୍ ପ୍ରାଦ୍ୟୋଗିକ ସଙ୍ଗଠନର ଜଣେ ବୈଜ୍ଞାନିକ କହିଥିଲେ ଯେ, କରୋନା ଭାଇରସ ୮ ମିଟର ଦୂରତା ଯାଏଁ ବ୍ୟାପି ପାରିବ । ସେ ସାମାଜିକ ଦୂରତା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୁରୁଣା ଗାଇଡଲାଇନରେ ପରିବର୍ତ୍ତନ କରିବାକୁ କହିଥିଲେ ।