ଆଜି ପଣା ସଂକ୍ରାନ୍ତି : କରୋନା ପାଇଁ ଫିକା ପଡିବ ଓଡ଼ିଆଙ୍କ ମହାନ ପର୍ବ , ଝାମୁ-ପାଟୁଆ-ଦଣ୍ଡଯାତ୍ରା ଉପରେ ରୋକ୍

Published By : Prameya-News7 Bureau | April 13, 2020 IST

ଭୁବନେଶ୍ୱର ୧୩।୦୪:  ଆଜି ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଏହି ଦିନକୁ ଓଡ଼ିଆ ନବ ବର୍ଷ ଭାବରେ ମଧ୍ୟ ପାଳନ କରାଯାଏ । ଆଜି ଓଡ଼ିଆ ନୂଆ ବର୍ଷରେ ନୂଆ ପାଞ୍ଜି ପ୍ରଚଳନ ହେଉଛି । ଉତ୍କଳୀୟ ପରମ୍ପରା ଅନୁସାରେ ପଣା ସଂକ୍ରାନ୍ତି ଦିନ ଠାକୁରଙ୍କୁ ପଣା ଓ ଛତୁଆ ଭୋଗ ଲାଗି ପରମ୍ପରା ରହିଛି । ଆଜି ମଧ୍ୟ ହନୁମାନ ଜୟନ୍ତୀ । ତେଣୁ ହନୁମାନ ମନ୍ଦିରରେ ଶ୍ରଦ୍ଧାଳୁମାନେ ଧୂପ ଦୀପ ଓ ପଣା ନୈବେଦ୍ୟ ଦେଇ ପୂଜାର୍ଚ୍ଚନା କରିଥାନ୍ତି । ପୁରୀ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ରିତିନୀତି ଅନୁସାରେ ଶ୍ରୀଜିଉଙ୍କ ପୂଜାର୍ଚ୍ଚନା କରାଯାଏ । ପଣା ସଂକ୍ରାନ୍ତି ଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ । ତେବେ ପଣା ସଂକ୍ରାନ୍ତିକୁ କିନ୍ତୁ ଫିକା କରିଦେଇଛି କରୋନା । ବିଭିନ୍ନ ସ୍ଥାନରେ ଝାମୁ, ପାଟୁଆ ଯାତ୍ରା, ଦଣ୍ଡ ଯାତ୍ରା ଉପରେ ରୋକ ଲାଗଯାଇଛି । ମେରୁରେ ଘରୁ ନବାହାରିବାକୁ ଜିଲ୍ଲା ବାସୀଙ୍କୁ ନିବେଦନ କରାଯାଇଛି । ମନ୍ଦିରରେ କେବଳ ରିତିନୀତି ସିନା ହେଉଛି ହେଲେ ଭକ୍ତଙ୍କ ଗହଳି ନାହିଁ ।

{"id":253212,"sizeSlug":"large"}

ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ । ଏହି ଦିନ ଠାରୁ ବର୍ଷ ଆରମ୍ଭ ହେଉଥିବାରୁ ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ । ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ଗରମ ମଧ୍ୟ ବଢ଼ିଥାଏ । ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣା ପାନର ବ୍ୟବସ୍ଥା ମଧ୍ୟ ଅଛି । ଆଜି ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁ ଓ ପଣା ଭୋଗର ବିଧି ରହିଛି । ଛତୁଆ, ବେଲ, ଦହି, ଗୁଡ଼, କଦଳୀ, ନଡିଆ, ଗୋଲ ମରିଚ ଓ କଞ୍ଚା ଆମ୍ବ କଷି ମିଶ୍ରଣରେ ପଣା ପ୍ରସ୍ତୁତ କରାଯାଇଥାଏ । ତେଣୁ ଏହି ଦିନକୁ ପଣାସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ ।

{"id":253213,"sizeSlug":"large"}

ଓଡ଼ିଶାରେ ଏହି ଦିବସର ଏକ ସ୍ବତନ୍ତ୍ର ମହତ୍ତ୍ବ ରହିଛି। ଏହି ଦିନରେ ବୃକ୍ଷମୁଳରେ ଜଳଦାନର ପ୍ରଥା ଆମ ସମାଜରେ ପ୍ରଚଳିତ । ସେଥିପାଇଁ ବୃନ୍ଦବତୀରେ ପୂଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ଘଡ଼ିରେ ଜଳ ରଖି ତାର ନିମ୍ନ ଅଂଶରେ ସରୁ କଣାକରି ସୂକ୍ଷ୍ମ ଧାରରେ ଜଳଦାନ କରାଯାଇଥାଏ । ଏହି ସଂକ୍ରାନ୍ତି ପରଠାରୁ ବୃକ୍ଷଜଗତ ଏବଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳସଂକ୍ରାନ୍ତି ବୋଲି କହିଥାନ୍ତି ।

{"id":253214,"width":577,"height":432,"sizeSlug":"large"}

ସଂକ୍ରାନ୍ତି ପରଠାରୁ ବାୟୁର ଗତି ମଧ୍ୟ ପ୍ରଖର ହୁଏ । ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ସମୟରେ ହନୁମାନ ଜୟନ୍ତି ପାଳନ କରାଯାଏ । ଉତ୍ତର ଓଡ଼ିଶାରେ ଏହି ଦିନକୁ ଚଡ଼କପର୍ବ ନାମରେ ପାଳନ କରାଯାଏ । ଏହି ଦିନ ପବିତ୍ର ଝାମୁ ବ୍ରତର ଉଦ୍ ଯାପନ କରାଯାଏ । ଯେଉଁମାନେ ଏହି ବ୍ରତ ପାଳନ କରନ୍ତି ତାଙ୍କୁ ପାଟୁଆ ବୋଲି କୁହାଯାଏ । ବ୍ରତ ଉଦ୍ ଯାପନ ଦିନ ବ୍ରତଧାରୀ କଣ୍ଟା ବା ଜଳନ୍ତା ଅଗ୍ନିରେ ଚାଲନ୍ତି । ଓଡ଼ିଶାର ଅନେକ ଅଞ୍ଚଳରେ ଏହି ବ୍ରତ ଉପଲକ୍ଷେ ଯାତ୍ରା ହୁଏ ଏହାକୁ ଝାମୁ ବା ପାଟୁଆ ଯାତ୍ରା କୁହନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.