ଦେଶରେ ୧୮ହଜାର ଅତିକ୍ରମ କଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଭାଇରସ୍ ସଂକ୍ରମଣରେ ଗଲାଣି ୫୯୦ଲୋକଙ୍କ ଜୀବନ

Published By : Prameya-News7 Bureau | April 21, 2020 IST

ନୂଆଦିଲ୍ଲୀ ୨୧।୪: ଦେଶରେ ଥମିବାର ନାଁ ନେଉନି କରୋନା ମହାମାରୀ । ଦେଶରେ ଏହି ମହାମାରୀ ରୋଗୀଙ୍କ ସଂଖ୍ୟା ୧୮ ହଜାର ଅତିକ୍ରମ କରିସାରିଲାଣି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମହାମାରୀ ଯୋଗୁଁ ମୋଟ୍ ୫୯୦ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୮ ହଜାର ୬୦୧କୁ ବୃଦ୍ଧି ହୋଇଛି । ସେହିଭଳି ଏହି ମହାମାରୀ କବଳରୁ ୩୨୫୨ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସୋମବାର ଦିନ ଦିଲ୍ଲୀରେ ୭୮ ଟି ନୂଆ କରୋନା ପଜିଟିଭ ମାମଲା ରିପୋର୍ଟ ହୋଇଛି । ଏହା ସହିତ ଦିଲ୍ଲୀର ମୋଟ୍ କରୋନା ରୋଗୀଙ୍କ ସଂଖ୍ୟା ୨୦୮୧ରେ ପହଞ୍ଚିଛି । ସୋମବାର ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪୧ ଜଣ ମଧ୍ୟ ସୁସ୍ଥ ହୋଇଛନ୍ତି । ସେପଟେ ଦିଲ୍ଲୀର ଚାନ୍ଦନୀ ମହଲ ପୋଲିସ ଷ୍ଟେସନରୁ ଆଉ ୫ ଜଣ ପୋଲିସ କର୍ମଚାରୀଙ୍କଠାରେ କରୋନା ପଜିଟିଭ୍ ମିଳିଛି । ପୂର୍ବରୁ ତିନିଜଣ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ସମୁଦାୟ ୮୦ଜଣ ପୋଲିସ କର୍ମଚାରୀଙ୍କର ଯାଞ୍ଚ କରାଯାଇଥିଲା । ସେହି ଅଞ୍ଚଳର ୧୩ଟି ମସଜିଦରୁ ୫୨ ଜଣ କରୋନା ପଜିଟିଭ୍ ବୋଲି ଜଣାପଡିଛି ।

ଦିଲ୍ଲୀ ରୁପନଗରର ରାସନ ଦୋକାନର ଜଣେ ହେଲପର ସଂକ୍ରମିତ ହୋଇଥିବା ଜଣାପଡିଛି । ତାଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ କିମ୍ବା ସେ କୌଣସି ହଟସ୍ପଟ୍ ଅଞ୍ଚଳକୁ ଯାଇନାହାନ୍ତି । ବର୍ତ୍ତମାନ ରାସନ ଗ୍ରହଣ କରୁଥିବା ଦେଢ ହଜାର ଲୋକ ସଂକ୍ରମିତ ହୋଇଛନ୍ତି । ସଂକ୍ରମଣ ଆଶଙ୍କାରେ ତୁରନ୍ତ ସମସ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ, ବିଭାଗ ଏବଂ କାର୍ଯ୍ୟାଳୟର କ୍ୟାଣ୍ଟିନ ବନ୍ଦ କରାଯାଇଛି ।

ଗତ ୨୪ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୪୬୬ଟି ନୂଆ ମାମଲା ରିପୋର୍ଟ ହୋଇଛି । ଫଳରେ ରାଜ୍ୟରେ ମୋଟ୍ ପଜିଟିଭ ମାମଲା ୪ ହଜାର ୬୬୬ ହୋଇଛି । ଏଥି ସହିତ ମୁମ୍ବାଇରେ ଏହି ସଂଖ୍ୟା ୩୦୩୨ରେ ପହଞ୍ଚିଛି । ମୁମ୍ବାଇରେ ୩୦୮ ଟି ନୂଆ ମାମଲା ରିପୋର୍ଟ ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୩୯ଜଣ ପ୍ରାଣ ହରାଇଛନ୍ତି ଏବଂ ୫୭୨ଜଣ ମଧ୍ୟ ସୁସ୍ଥ ହୋଇଛନ୍ତି ।

ଅନ୍ୟପକ୍ଷରେ କରୋନାରେ ସର୍ବାଧିକ ପ୍ରଭାବିତ ମହାରାଷ୍ଟ୍ରର ମୁମ୍ବାଇର ୫୩ ଜଣ ସାମ୍ବାଦିକ କରୋନା ପଜିଟିଭ୍ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.