ଆମେରିକାରେ ଦ୍ରୁତ ଗତିରେ ବଢୁଛି କରୋନା ଜନିତ ମୃତ୍ୟୁସଂଖ୍ୟା, ପ୍ରାଣ ହରାଇଲେଣି ୧୦ ହଜାରରୁ ଅଧିକ
7/04/2020 at 7:55 AM

ଓ୍ବାଶିଂଟନ୍ ୭।୪: ଆମେରିକାରେ କରୋନା ଭାଇରସ୍ ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି । ଆମେରିକାରେ ଏହି ଭାଇରସ୍ ଯୋଗୁଁ ମୃତ୍ୟୁ ସଂଖ୍ୟା ୧୦,୦୦୦ ଅତିକ୍ରମ କରିସାରିଛି । ସୋମବାର ଜନ୍ ହପକିନ୍ସ ବିଶ୍ବବିଦ୍ୟାଳୟ କହିଛି ଯେ, ଆମେରିକାରେ କରୋନା ଭାଇରସ୍ ସଂକ୍ରମଣ ହେତୁ ଏପର୍ଯ୍ୟନ୍ତ ୧୦,୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଆମେରିକାରେ କରୋନା ଭାଇରସ୍ ଜନିତ ପ୍ରଥମ ମୃତ୍ୟୁ ଜାନୁଆରୀ ମାସରେ ହୋଇଥିଲା । ଜନ୍ ହପକିନ୍ସ ବିଶ୍ବବିଦ୍ୟାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୧୧୦୫ ଜଣଙ୍କର ମୃତ୍ୟୁ ହୋଇଛି ।
ସମଗ୍ର ବିଶ୍ବରେ କରୋନା ଭାଇରସ୍ ସଂକ୍ରମଣ ଉପରେ ନଜର ରଖିଥିବା ହପକିନ୍ସ ବିଶ୍ବବିଦ୍ୟାଳୟ କହିଛି ଯେ, ଆମେରିକାରେ ୧୦୩୩୫ ଜଣଙ୍କର ମୃତ୍ୟୁ ଘଟିଛି । ଅତିକମରେ ୩୪୭୦୦୩ ଜଣ କରୋନା ସଂକ୍ରମିତ ହୋଇଛନ୍ତି । କରୋନା ଭାଇରସ୍ ଜନିତ ମୃତ୍ୟୁସଂଖ୍ୟାରେ ଆମେରିକା କେବଳ ଇଟାଲୀଠାରୁ ପଛରେ ରହିଛି ।
ସର୍ବଶେଷ ଆକଳନ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଇଟାଲୀର କରୋନା ଦ୍ବାରା ସଂକ୍ରମିତ ହୋଇ ୧୬,୫୨୩ ଜଣଙ୍କର ମୃତ୍ୟୁ ଘଟିଛି । ସ୍ପେନ୍ ରେ ୧୩୦୫୫, ଆମେରିକାରେ ୧୦୩୩୫, ଫ୍ରାନ୍ସରେ ୮୯୧୧ ଏବଂ ବ୍ରିଟେନରେ ୫୩୭୩ ଜଣଙ୍କର ମୃତ୍ୟୁ ହୋଇଛି ।
କେତେକ ୟୁରୋପୀୟ ଦେଶରେ କରୋନା ଭାଇରସ୍ କାରଣରୁ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଥିବାବେଳେ ଆମେରିକାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଗତ ସପ୍ତାହ ମଧ୍ୟଭାଗରୁ ଆମେରିକାରେ ପ୍ରତିଦିନ ୧୦୦୦ରୁ ଅଧିକଲୋକଙ୍କ ମୃତ୍ୟୁ ରେକର୍ଡ କରାଯାଇଛି । ଆମେରିକାରେ ନ୍ୟୁୟର୍କ କରୋନାର ମୁଖ୍ୟ କେନ୍ଦ୍ର ଭାବରେ ଉଭା ହୋଇଛି । ନ୍ୟୁୟର୍କରେ ୪୭୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି ।