ଆମେରିକାକୁ ମିଳିଲା ଆଶ୍ବସ୍ତି : ୩ ସପ୍ତାହ ପରେ ଗତ ୨୪ ଘଣ୍ଟାରେ କମିଲା ମୃତ୍ୟୁସଂଖ୍ୟା

Published By : Prameya-News7 Bureau | April 25, 2020 IST

ଓ୍ବାଶିଂଟନ୍ ୨୫।୪: କରୋନା ଭାଇରସ୍ ସହ ଲଢୁଛି ସାରା ବିଶ୍ବ । ଏ ଭିତରେ ଆମେରିକାରୁ ଏକ ଖୁସି ଖବର ରହିଛି । ଆମେରିକାରେ ଗତ ୩ ସପ୍ତାହ ମଧ୍ୟରେ ୨୪ ଘଣ୍ଟାରେ କରୋନା ଭାଇରସ୍ ଯୋଗୁଁ ସର୍ବନିମ୍ନ ମୃତ୍ୟୁ ଘଟିଛି । ଜନ୍ ହପକିନ୍ସ ବିଶ୍ବବିଦ୍ୟାଳୟର ଅଧିକାରୀମାନେ କହିଛନ୍ତି ଯେ, ଶୁକ୍ରବାର ଦିନ ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ମୃତ୍ୟୁ ସଂଖ୍ୟା ୧୨୫୮ ହୋଇଛି । ଗତ ୩ ସପ୍ତାହ ମଧ୍ୟରେ ଏହି ସଂଖ୍ୟା ସର୍ବନିମ୍ନ ଅଟେ ।

ସୂଚନାଯୋଗ୍ୟ ଯେ, ଆମେରିକାରେ କରୋନା ଭାଇରସ୍ ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ୫୦,୦୦୦ ଅତିକ୍ରମ କରିଛି । ଗୁରୁବାର ଦିନ ୨୪ ଘଣ୍ଟା ମଧ୍ୟରେ ୩୧୭୬ ଜଣଙ୍କର କରୋନା ଭାଇରସ୍ ସଂକ୍ରମଣରେ ମୃତ୍ୟୁ ଘଟିଥିଲା । କିନ୍ତୁ ପରଦିନ ଅର୍ଥାତ୍ ଶୁକ୍ରବାର ଏହି ସଂଖ୍ୟା ୧୨୫୮କୁ ଖସି ଆସିଛି । ଆମେରିକା ସହ ସାରା ବିଶ୍ବ ପାଇଁ ଏହା ଖୁସିର ଖବର । ଆମେରିକାରେ ମୃତ୍ୟୁ ସଂଖ୍ୟା ବିଶ୍ବରେ ସର୍ବାଧିକ । ଏଠାରେ ପ୍ରାୟ ୯ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ବରେ କରୋନା ଭାଇରସ୍ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ପ୍ରାୟ ୨୭,୯୦,୯୮୬ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧,୯୫,୯୨୦ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରାୟ ୭,୮୧,୩୮୨ ଜଣ ଏହି ମହାମାରୀ କବଳରୁ ସୁସ୍ଥ ହୋଇଛନ୍ତି । ସେହିଭଳି ଭାରତରେ ପ୍ରାୟ ୨୪,୫୦୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୭୭୫ ଜଣଙ୍କର ମୃତ୍ୟୁ ଘଟିଛି । ଏହା ବ୍ୟତୀତ ପ୍ରାୟ ୫,୦୬୩ ଜଣ ସୁସ୍ଥ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.