କନିକାଙ୍କ ପାର୍ଟିରେ ସାମିଲ ବିଜେପି ସାଂସଦ ଦୁଷ୍ୟନ୍ତ ଯାଇଥିଲେ ରାଷ୍ଟ୍ରପତି ଭବନ, କଣ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ରାଷ୍ଟ୍ରପତି…

Published By : Prameya-News7 Bureau | March 20, 2020 IST

ନୂଆଦିଲ୍ଲୀ ୨୦।୦୩: ସମଗ୍ର ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଲାଗୁଛି କରୋନା ଭୂତାଣୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଭାରତୀୟ ଜନତା ପାର୍ଟି(ବିଜେପି)ର  ଜଣେ ସାଂସଦ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି, ଯିଏ ବଲିଉଡର ଜଣାଶୁଣା ସିଙ୍ଗର କନିକା  କପୁରଙ୍କ ଏକ ପାର୍ଟିରେ ସାମିଲ ହୋଇଥିଲେ। ସାଂସଦଙ୍କ ନାମ ଦୁଷ୍ୟନ୍ତ ସିଂହ। ଶୁକ୍ରବାର ଯେବେ ଏହି ସୂଚନା ସାମ୍ନାକୁ ଆସିଲା ତାରକା ମହଲରେ ହଇଚଇ ସୃଷ୍ଟି ହୋଇଛି। ଉତ୍ତର ପ୍ରଦେଶରେ ରାଜଧାନୀ ଲକ୍ଷ୍ନୌରେ ମାର୍ଚ୍ଚ ୧୫ ରବିବାର କନିକାଙ୍କ ଦ୍ଵାରା ଆୟୋଜିତ ପାର୍ଟିରେ ସାମିଲ ହୋଇଥିବା ଦୁଷ୍ୟନ୍ତ ସିଂହ ଏହା ପରେ ଅନେକ ସମାରୋହରେ ମଧ୍ୟ ସାମିଲ ହୋଇଛନ୍ତି।

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ପୁତ୍ର ଦୁଷ୍ୟନ୍ତ  ସିଂହ ଏହାର ତିନି ଦିନ ପରେ ଅର୍ଥାତ ମାର୍ଚ୍ଚ ୧୮ରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ଯୋଗ ଦେଇଥିଲେ। ବୁଧବାର ସକାଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ୟୁପି ଓ ରାଜସ୍ଥାନର ସାଂସଦଙ୍କ ପାଇଁ ରାଷ୍ଟ୍ରପତି ଭବନରେ ନୈଶ୍ୟ ଭୋଜର ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମ ଏକ ଫଟୋ ସାମ୍ନାକୁ ଆସିଛି। ଏଥିରେ ଦୁଷ୍ୟନ୍ତ ସିଂହ ରାଷ୍ଟ୍ରପତି କୋବିନ୍ଦଙ୍କ ପଛରେ ଛିଡା  ହୋଇଥିବା ଦେଖିବାକୁ ମିଳିଛି। ମାତ୍ର ରାଷ୍ଟ୍ରପତି କୋବିନ୍ଦ ଦୁଷ୍ୟନ୍ତ ସିଂହ ଓ ଅନ୍ୟ ସାଂସଦଙ୍କ ସହ ହାତ ମିଳାଇ ନାହାନ୍ତି।

{"id":241538,"sizeSlug":"large"}

ଅନ୍ୟପଟେ ଦୁଷ୍ୟନ୍ତ ଗୁରୁବାର ଓ ଶୁକ୍ରବାର ସଂସଦ ପହଞ୍ଚିଥିଲେ। ଦୁଷ୍ୟନ୍ତ ସଂସଦରେ ଅନେକ ସାଂସଦଙ୍କ ସହ କଥାବାର୍ତ୍ତା ମଧ୍ୟ କରିଛନ୍ତି ଓ ସେଣ୍ଟ୍ରାଲ ହଲରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଛି। ଲୋକସଭାରେ ତାଙ୍କ ନିକଟରେ ବସିଥିବା ନୀଶିକାନ୍ତ ଦୁବେ କହିଛନ୍ତି ଯେ, ଦୁଷ୍ୟନ୍ତ ସିଂହ ଏବେ ଆଇସୋଲେସନରେ ଅଛନ୍ତି। ଟିଏମସିର ସାଂସଦ ଡେରେକ ଓ ବ୍ରାୟନ ସଂସଦର ଅଧିବେଶନକୁ ସ୍ଥଗିତ ରଖିବାକୁ ଦାବି କରିଛନ୍ତି। ସେ ଦୁଇ ଦିନ ପୂର୍ବେ ସ୍ଥାୟୀ ସମିତିର ଏକ ବୈଠକରେ ଦୁଷ୍ୟନ୍ତଙ୍କ ପାଖରେ ବସିଥିଲେ।

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସ୍ଵୀକାର କରିଛନ୍ତି ଯେ, ସେ ଓ ତାଙ୍କ ପୁତ୍ର ଦୁଷ୍ୟନ୍ତ ସିଂହ ଲକ୍ଷ୍ନୌରେ ବଲିଉଡ ଗାୟିକା କନିକା କପୁରଙ୍କ ପାର୍ଟିରେ ସାମିଲ ହୋଇଥିଲେ। ମାତ୍ର ଦୁଇ ନେତା ଏବେ ନିଜକୁ ଆଇସୋଲେସନରେ ରଖିଛନ୍ତି। ବସୁନ୍ଧରା ରାଜେ କହିଛନ୍ତି ଯେ, କିଛି ଦିନ ପୂର୍ବେ ଦୁଷ୍ୟନ୍ତ ଓ ତାଙ୍କର ଶ୍ଵଶୁର ଲୋକଙ୍କ ସହିତ ସେ ଲକ୍ଷ୍ନୌରେ ଏକ ରାତ୍ରୀଭୋଜନରେ ଯାଇଥିଲେ। କନିକା କପୁର ଏବେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ତେଣୁ ଏବେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ମଧ୍ୟରେ ଆତଙ୍କର ମାହୋଲ ରହିଛି।

ଉଲ୍ଲେଖଯୋଗ୍ୟ, ସଂପ୍ରତି ଦେଶରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବଢି ୨୦୦ ଅତିକ୍ରମ କରିଛି। ଏହା ବାଦ୍ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.