ଫେରିଲା ପ୍ରକୃତି: କରୋନା ପାଇଁ ସହର ଲକଡାଉନ୍ କିନ୍ତୁ ନିର୍ଭୟରେ ବିଚରଣ କରୁଛନ୍ତି ପଶୁପକ୍ଷୀ, ଦେଖନ୍ତୁ ଫଟୋ
22/03/2020 at 3:20 PM

ନୂଆଦିଲ୍ଲୀ, ୨୨|୦୩ : ସାରା ବିଶ୍ୱରେ କରୋନା ଭାଇରସ ଆତଙ୍କ ସୃଷ୍ଟି କରିଛି। ବିଶ୍ୱର ଅନେକ ବଡ ବଡ ସହର ଓ ରାଜ୍ୟକୁ ଲକ୍ ଡାଉନ କରାଯାଇଛି। ଚାରିଆଡ ଶୁନସାନ ହୋଇପଡିଛି। ଲୋକମାନେ ଆତଙ୍କିତ ହୋଇ ଘରୁ ବାହାରୁ ନାହାଁନ୍ତି। ଏପରିକି ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଖାଁ ଖାଁ ହୋଇପଡିଛି। କିନ୍ତୁ ଏହି ସମୟରେ ପଶୁ ପକ୍ଷୀମାନେ ଅତି ଆନନ୍ଦରେ ବିଚରଣ କରୁଛନ୍ତି। ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ ଖାଲି ହେବା ପରେ ସେଠାରେ ଜୀବଜନ୍ତୁ ଓ ପଶୁପକ୍ଷୀଙ୍କ ପାଇଁ ଅଭୟାରଣ୍ୟ ପାଲଟିଯାଇଛି କହିଲେ ଚଳେ।

ପଶୁପକ୍ଷୀମାନେ ନୀରବ ପ୍ରକୃତି କୋଳକୁ ଫେରି ପୁଣି କୋଳାହାଳ କରିଛନ୍ତି। ଯାହା ଦୀର୍ଘ ଅନେକ ଦଶନ୍ଧି ଧରି ଦେଖିବାକୁ ମିଳିନଥିଲା। ଏହାର କିଛି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କାଲିଫର୍ଣ୍ଣିଆର ବେନିସ୍ କେନାଲରେ ଏବେ ଛୋଟଛୋଟ ମାଛଙ୍କୁ ଦେଖିବାକୁ ମିଳିଛି। ପୂର୍ବରୁ ଏଠାରେ ଆବର୍ଜନା ଭର୍ତ୍ତି ହୋଇ ରହିଥିଲା।
ଚୀନରୁ ବ୍ୟାପିଥିବା କରୋନା ଭାଇରସ ଇଟାଲୀରେ ଅନେକ ଜୀବନ ନେଇଛି। ଯାହାକୁ ନଜରରେ ରଖି ସେଠାକାର ସରକାର ଲୋକଙ୍କୁ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି। ଫଳରେ ଅନେକ ସ୍ଥାନ ନୀରବ ହୋଇଯାଇଛି। ଏଠାକାର ବିଭିନ୍ନ ମାର୍କେଟରେ ଅନେର ରଙ୍ଗବେରଙ୍ଗର ପକ୍ଷୀଙ୍କୁ ଦେଖିବାକୁ ମିଳିଛି। ଯାହା ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା ବୋଲି ସ୍ଥାନୀୟବାସୀ କହିଛନ୍ତି।
ସେହିପରି ଇଟାଲୀର ଭେନେଟିଆନ୍ ଲଗୁନରେ ଡଲଫିନଙ୍କୁ ଦେଖିବାକୁ ମିଳିଛି। ଏଠାରେ ଗତ କିଛି ବର୍ଷ ଧରି ଡଲଫିନଙ୍କୁ ଦେଖିବାକୁ ମିଳିନଥିଲା। କୋଳାହଳ ନଥିବାରୁ ହଂସମାନେ ମଧ୍ୟ ଏଠାରେ ପହଁରୁଛନ୍ତି।