ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫୦୦ ଟପିଲା, ଗୋଟିଏ ଦିନରେ ସର୍ବାଧିକ ୪୭୮ ଲୋକ ଆକ୍ରାନ୍ତ

Published By : Prameya-News7 Bureau | April 04, 2020 IST

ନୂଆଦିଲ୍ଲୀ ୪।୪: ଭାରତରେ କରୋନା ଭାଇରସ୍ ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ସମଗ୍ର ଦେଶରେ କରୋନା ରୋଗରେ ପଜିଟିଭ ମାମଲା ୨୫୪୭କୁ ବୃଦ୍ଧି ପାଇଛି । ଏଥିସହ ମୃତ୍ୟୁ ସଂଖ୍ୟା ୬୨ ହୋଇଛି । ଏହି ବିପଜ୍ଜନକ ଭାଇରସ୍ ରୁ ୧୬୨ ଲୋକ ସୁସ୍ଥ ହୋଇଥିବା ଜଣାପଡିଛି । କିନ୍ତୁ ସବୁଠାରୁ ବଡ କଥା ହେଉଛି ଶୁକ୍ରବାର ଗୋଟିଏ ଦିନରେ ସର୍ବାଧିକ ୪୭୮ ଜଣ ସଂକ୍ରମିତ ହୋଇଥିବା ଜମାପଡିଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଶୁକ୍ରବାର ଦିନ କହିଛି ଯେ, ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ତବଲିଗୀ ଜାମାତର ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଲୋକଙ୍କ ମଧ୍ୟରେ ୧୪ଟି ରାଜ୍ୟରୁ ୬୪୭ ଜଣଙ୍କ ମଧ୍ୟରେ କରୋନା ସଂକ୍ରମଣ ନିଶ୍ଚିତ ହୋଇଛି । ନିୟମିତ ସାମ୍ବାଦିକ ସମ୍ମିଳନୀରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ କହିଛନ୍ତି ଯେ ଗତ ଦୁଇ ଦିନ ମଧ୍ୟରେ ତବଲିଗୀ ଜାମାତର ୬୪୭ ଜଣ ଲୋକ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି ଲୋକମାନେ ଆସାମ, ଆଣ୍ଡାମାନ ଏବଂ ନିକୋବର, ଦିଲ୍ଲୀ, ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ହରିୟାଣା, ଝାଡଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଏବଂ ଉତ୍ତରପ୍ରଦେଶର । ସୂଚନାଯୋଗ୍ୟ ଯେ ମାର୍ଚ୍ଚର ଶେଷ ସପ୍ତାହରେ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ତବଲିଗୀ ଜାମାତ ଦ୍ବାରା ଆୟୋଜିତ ଏକ ଧାର୍ମିକ କାର୍ଯ୍ୟକ୍ରମରେ ବହୁ ରାଜ୍ୟ ତଥା ବିଭିନ୍ନ ଦେଶର ଲୋକମାନେ ଅଂଶଗ୍ରହଣ କରିଥିଲେ ।

ସେହିଭଳି ବିଶ୍ବରେ ମୃତ୍ୟୁ ସଂଖ୍ୟା ୫୩,୦୦୦ ଅତିକ୍ରମ କରିଛି । ଅଧିକାଂଶ ଲୋକଙ୍କ ମୃତ୍ୟୁ ଇଟାଲୀରେ ଘଟିଛି । ଇଟାଲୀରେ ୧୩,୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏଥି ସହିତ, ସର୍ବାଧିକ ସଂଖ୍ୟକ ଲୋକ ଆମେରିକାରେ ସଂକ୍ରମିତ ଅଛନ୍ତି । COVID-19 ମାମଲା ଆମେରିକାରେ ୨.୫ ଲକ୍ଷରେ ପହଞ୍ଚିବାକୁ ଯାଉଛି । ବିଶ୍ବବ୍ୟାପୀ ୧୦,୦୦,୦୦୦ ଲୋକ ସଂକ୍ରମିତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.