ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ନେଗେଟିଭ୍ ରିପୋର୍ଟ ମାଗି ଡାକ୍ତରଖାନା ଗାଡିକୁ ଅଟକ ରଖିଲେ ଗ୍ରାମବାସୀ, ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ନୟାନ୍ତ

Published By : Prameya-News7 Bureau | August 18, 2020 IST

ବାରିପଦା, ୧୮|୦୮: କରୋନା  ରିପୋର୍ଟକୁ  ନେଇ ଗ୍ରାମବାସୀ ଓ ସ୍ୱାସ୍ଥ୍ୟ ଅଧିକାରୀ ମୁହାଁମୁହିଁ । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ନେଗେଟିଭ୍ ରିପୋର୍ଟ ମାଗିଲେ ଗ୍ରାମବାସୀ । ରିପୋର୍ଟ ନମିଳିବାରୁ ପୋଲିସ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଅଟକ ରଖିଲେ । ଏପରି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିର ବୁଢୀଖମାରୀ ଗ୍ରାମରେ ।

ସୂଚନାନୁସାରେ, ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କ ଦେହ ଅସୁସ୍ଥ ରହିବା  ସହିତ  ଥଣ୍ଡା ଓ ଜ୍ଵର ରେ ପୀଡିତ ହେବାରୁ ତାଙ୍କ ନମୂନା ପରୀକ୍ଷା କରାଯାଇଥିଲା। ପଜିଟିଭ ରିପୋର୍ଟ ଆସିବା ପରେ  ତାଙ୍କୁ  ଅଗଷ୍ଟ ୮ ତାରିଖ ଦିନ ୧୦୮ ଆମ୍ବୁଲାନ୍ସ ଯୋଗେ ବାରିପଦା କୋଭିଡ୍ ହସପିଟାଲକୁ ପଠା ଯାଇଥିଲା। ସେଠାରେ ସେ ରହି  ସୁସ୍ଥ  ହେବା ପରେ ୧୭  ତାରିଖ ସୋମବାର ଦିନ ତାଙ୍କୁ  କୋଭିଡ୍ ଗାଡିରେ ଘରକୁ ପଠାଯାଇ ଥିଲା। ହେଲେ ଗ୍ରାମରେ ପହଞ୍ଚିଲା ପରେ ମହିଳାଙ୍କ ଗ୍ରାମ ବୁଢିଖମାରୀ ପଞ୍ଚାୟତରେ  ଦେଖା ଯାଇଛି  ଉତ୍ତେଜନା।  ଗ୍ରାମବାସୀ ସୁସ୍ଥ  ହୋଇ ଫେରିଥିବା ରୋଗୀ ଙ୍କ  ନେଗେଟିଭ ରିପୋର୍ଟ ମାଗି ଥିଲେ। ଡ୍ରାଇଭର ଜଣଙ୍କ ଏ ବାବଦରେ  କିଛି ଜାଣି ନଥିବାରୁ  ଗ୍ରାମବାସୀ  କୋଭିଡ୍ ଗାଡିକୁ ଅଟକ ରଖିଛନ୍ତି।  ଏପରିକି ସୁସ୍ଥ ହୋଇ ଫେରିଥିବା  ରୋଗୀଙ୍କୁ ମଧ୍ୟ ଗାଡିରୁ ଓହ୍ଲାଇଵା  ପାଇଁ ଦେଇ ନ ଥିଲେ।

ଏପରିକି ଖବର ପାଇ ଘଟଣାସ୍ଥଳରେ ପହଁଚିଥିବା ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗର ୨ଟି ଟିମ୍ କୁ ମଧ୍ୟ ଅଟକ ରଖିଛନ୍ତି ଗ୍ରାମବାସୀ।  କିଛିଦିନ ହେବ ଏହି ପଞ୍ଚାୟତରେ  ରୋଗୀ ଙ୍କ ସଂଖ୍ୟା ବଢୁଥିବା ହେତୁ  ଗ୍ରାମବାସୀ ସ୍ୱାସ୍ଥ୍ୟ ବିଭାଗକୁ  ସାହାଯ୍ୟ ନକରି  ଗଣ୍ଡଗୋଳ କରୁଛନ୍ତି  ବୋଲି  ବାଙ୍ଗିରିପୋଷି  ସ୍ୱାସ୍ଥ୍ୟ  ଅଧିକାରୀ ଲକ୍ଷ୍ମୀପ୍ରିୟା ପ୍ରଧାନ  କହିଛନ୍ତି।  ସେ କହିଛନ୍ତି  ରୋଗୀଙ୍କ କେବଳ ସୁସ୍ଥ ହେବାର ଡିସଚାର୍ଜ ସାର୍ଟିଫିକେଟ ଦିଆଯାଏ।  ନେଗେଟିଭ ରିପୋର୍ଟ କେଉଁଠି ଦିଆ ଯାଏ ନାହିଁ।  ଏ ବାବଦରେ ଖବର ପାଇ  ବାଙ୍ଗିରିପୋଷି  ପୋଲିସ ସହିତ  ଅନ୍ୟାନ୍ୟ  ଅଧିକାରୀ ଘଟଣାସ୍ଥଳରେ ପହଁଚି  ଗ୍ରାମବାସୀ ଙ୍କୁ  ବୁଝାସୁଝା  କରିଥିଲେ।

କିଛି ଦିନ  ହେବ  ଏଠାରେ  କରୋନା ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗୁଥିବାରୁ  ଅଞ୍ଚଳରେ  ଭୟର ବାତାବରଣ ସୃଷ୍ଟି ହୋଇଛି।  ସେଥିପାଇଁ  ପ୍ରଶାସନ  ତରଫରୁ  ଆହୁରୀ  ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯିବା  ସହିତ  କୋଭିଡ୍ ଗାଇଡ ଲାଇନକୁ  କଡାକଡି କରାଯିବାକୁ  ବୁଦ୍ଧିଜୀବୀ ମହଲରେ ଦାବି  ହେଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.