ଡେଲଟା ଭାରିଆଣ୍ଟ ବିରୋଧରେ ୮ ଗୁଣା କମ୍ ପ୍ରଭାବଶାଳୀ କରୋନା ଭ୍ୟାକସିନ୍ !

Published By : Prameya-News7 Bureau | July 06, 2021 IST

ନୂଆଦିଲ୍ଲୀ ୬/୭ : ଧୀରେ ଧୀରେ ଚିନ୍ତା ବଢାଉଛି ମହାମାରୀକୁ ନେଇ ଦିନକୁ ଦିନ ଆସୁଥିବା ନୂଆ ଅଧ୍ୟୟନ । ସାରା ବିଶ୍ଵକୁ ଏବେ କବଳିତ କରିବାରେ ଲାଗିଛି କରୋନାର ଡେଲ୍ଟା ଏବଂ ଡେଲ୍ଟା ପ୍ଲସ୍ ଭ୍ୟାରିଆଣ୍ଟ । ତେବେ ଏହାରି ବିରୋଧରେ କରୋନା ଭ୍ୟାକ୍ସିନ ୮ ଗୁଣା କମ୍ ପ୍ରଭାବୀ ହୋଇଥିବା ଦିଲ୍ଲୀର ଏକ ହସ୍ପିଟାଲରେ ହୋଇଥିବା ଅଧ୍ୟୟନରୁ ଜଣା ପଡ଼ିଛି ।

ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲ ସମେତ ଭାରତରେ ୩ଟି ସ୍ଵାସ୍ଥ୍ୟକେନ୍ଦ୍ରରେ ୧୦୦ରୁ ଅଧିକ ସ୍ଵାସ୍ଥ୍ୟକର୍ମୀଙ୍କ ଉପରେ ଏହି ଅଧ୍ୟୟନ କରାଯାଇଛି । କେମ୍ଵ୍ରିଜ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଥେରାପ୍ୟୁଟିକ୍ ଇମ୍ୟୁନୋଲୋଜି ଆଣ୍ଡ ଇନଫେକ୍ସିୟସ୍ ଡିଜିଜ୍‌ର ବୈଜ୍ଞାନିକ ମଧ୍ୟ ଏହି ରିସର୍ଚ୍ଚର ଅଂଶ ଥିଲେ।ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ଦ୍ଵାରା ଭୁତାଣୁର ଡେଲ୍ଟା ଭ୍ୟାରିଆଣ୍ଟକୁ ଚିନ୍ତାଜନକ ବୋଲି ଘୋଷଣା କରାଯାଇଛି ।

ଏହି ଭ୍ୟାରିଆଣ୍ଟ ସଂକ୍ରମିତ ବ୍ୟକ୍ତିଙ୍କ ଆଣ୍ଟିବଡି ନିଷ୍କ୍ରିୟ କରି ସଂକ୍ରମଣ ବୃଦ୍ଧି କରୁଛି । ଏହି ଅଧ୍ୟୟନରୁ ଜଣା ପଡିଛି ଯେ, ଯେଉଁମାନେ କରୋନା ଟିକାର ଦୁଇଟି ଯାକ ଡୋଜ୍ ନେଇସାରିଛନ୍ତି ହେଲେ ସେମାନେ ସଂକ୍ରମଣ ହେବା ପଛର କାରଣ ହେଉଛି ଡେଲ୍ଟା ପ୍ଲସ୍ ଭ୍ୟାରିଆଣ୍ଟ । ସୂଚନା ଥାଉକି, କରୋନାର ଡେଲ୍ଟା ପ୍ଲସ୍ ଭ୍ୟାରିଆଣ୍ଟ ସର୍ବ ପ୍ରଥମେ ମହାରାଷ୍ଟ୍ରରେ ଦେଖିବାକୁ ମିଳିଥିଲା ।

ଏହାପରେ ଏହି ଭ୍ୟାରିଆଣ୍ଟ ଭାରତରେ ଅନ୍ୟ ରାଜ୍ୟ ଗୁଡିକରେ ତୀବ୍ର ଗତିରେ ବ୍ୟାପିବାକୁ ଲାଗିଲା । ତେବେ ଏବେ ଚିନ୍ତାପ୍ରକଟ କରିବାର ବିଷୟ ହେଉଛି କି, କରୋନାର ଡେଲ୍ଟା ପ୍ଲସ୍ ଭ୍ୟାରିଆଣ୍ଟରେ ସଂକ୍ରମିତ ହେବା ପରେ ଏହି ଭୂତାଣୁ ଫୁସଫୁସ୍‌ର କୋଷିକାକୁ ପ୍ରଭାବିତ କରୁଛି । ଏହା ସହ ଉହାନ ଷ୍ଟ୍ରେନ୍ ତୁଳନାରେ ଡେଲ୍ଟା ଭ୍ୟାରିଆଣ୍ଟ ଅଧିକ ଲୋକଙ୍କୁ ସଂକ୍ରମିତ ବି କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.