ମାତ୍ର ୧୦୦୦ ଟଙ୍କାରେ କରୋନା ଟୀକା, ଆସିବ ସେପ୍ଟେମ୍ବରରେ

Published By : Prameya-News7 Bureau | April 29, 2020 IST

ନୂଆଦିଲ୍ଲୀ ୨୯।୪: ସାରା ବିଶ୍ବରେ ଆତଙ୍କ ଖେଳାଇଛି କରୋନା । ଏହାର ସଂକ୍ରମଣ ଦ୍ରୁତ ଗତିରେ ବଢିବାରେ ଲାଗିଛି । ବିଭିନ୍ନ ଦେଶ ଏହାର ଟୀକା ତିଆରି କରିବା ପାଇଁ ଲାଗିପଡିଛନ୍ତି । ହେଲେ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ଏହି ସମୟରେ ପୁଣେ ସ୍ଥିତ ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) ସିଇଓ ଅଦାର ପୁନାୱାଲା କହିଛନ୍ତି ଯେ, ଯଦି ପରୀକ୍ଷା ସଫଳ ହୁଏ, ତେବେ ଏହି ଟୀକା ଚଳିତ ବର୍ଷ ସେପ୍ଟେମ୍ବର କିମ୍ବା ଅକ୍ଟୋବର ସୁଦ୍ଧା ଆସିପାରିବ ଏବଂ ୧୦୦୦ ଟଙ୍କାରେ ଉପଲବ୍ଧ ହୋଇପାରିବ ।

ସେ ଆହୁରି କହିଛନ୍ତି ଯେ, କରୋନା ଟୀକାର ପରୀକ୍ଷଣ ପୂର୍ବରୁ ଏହାର ପ୍ରସ୍ତୁତ କରିବାକୁ ଚେଷ୍ଟା କରିବେ ଏବଂ ଯଦି ଏହା ପ୍ରସ୍ତୁତ ହୁଏ ତେବେ ଟୀକା ପ୍ରତି ୧୦୦୦ ଟଙ୍କା ଖର୍ଚ୍ଚ ହେବ । ଏହାର ଉତ୍ପାଦନ ଆସନ୍ତା ମାସ ଶେଷରୁ ଆରମ୍ଭ ହୋଇପାରିବ ଏବଂ ଯଦି ପରୀକ୍ଷା ସଫଳ ହୁଏ ତେବେ ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ବଜାରରେ ଏହା ଉପଲବ୍ଧ ହେବ।

ସେ କହିଛନ୍ତି ଯେ ବ୍ରିଟେନରେ ଏବେ ଟୀକାର କ୍ଲିନିକାଲ ପରୀକ୍ଷାର ଘୋଷଣା କରାଯାଇଛି । କିନ୍ତୁ ଆମେ ଉତ୍ପାଦନ ପାଇଁ ପଦକ୍ଷେପ ନେଇଛୁ । ଯଦି ପରୀକ୍ଷା ସଫଳ ହୁଏ, ତେବେ ଆମେ ଚଳିତ ବର୍ଷ ସେପ୍ଟେମ୍ବର କିମ୍ବା ଅକ୍ଟୋବର ସୁଦ୍ଧା ପ୍ରଥମ ଡୋଜ୍ ଟୀକା ପ୍ରସ୍ତୁତ କରିବୁ । ଆମେ ଆଗରୁ ଉତ୍ପାଦନ ଆରମ୍ଭ କରିବାକୁ ଏଥିପାଇଁ ସ୍ଥିର କରିଛୁ ଫଳରେ ପରୀକ୍ଷା ସଫଳ ହେବା ପରେ ଆମେ ଏହାକୁ ତୁରନ୍ତ ଉପଲବ୍ଧ କରାଇ ପାରିବୁ । ମେ’ ମାସରେ ଆମେ ଏକ ମନୁଷ୍ୟ ପରୀକ୍ଷା ମଧ୍ୟ କରିବୁ ।

ସେ କହିଛନ୍ତି ଯେ, ଆମର କେନ୍ଦ୍ରଗୁଡିକ କୋଭିଡ୍-୧୯ ଟୀକା ତିଆରି କରିବାକୁ ପ୍ରସ୍ତୁତ । ଆମେ ତାହାକୁ ସଂପୂର୍ଣ୍ଣ ଭାବେ ଟୀକା ତିଆରି କାର୍ଯ୍ୟରେ ଲଗାଇଦେଇଛୁ । ପୁଣେରେ ଆମ କାରଖାନାରେ ଆମେ ୫୦୦-୬୦୦ କୋଟି ବିନିଯୋଗ କରିଛୁ । ଏହା ବ୍ୟତୀତ ଆସନ୍ତା ୨-୩ ବର୍ଷ ମଧ୍ୟରେ ଆମେ କୋଭିଡ୍-୧୯ ଟୀକାକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରିବା ପାଇଁ ଏକ ନୂତନ କାରଖାନା ସ୍ଥାପନ କରିବୁ ।

ସେ କହିଛନ୍ତି ଯେ, ଆଗାମୀ ୩ ସପ୍ତାହ ମଧ୍ୟରେ ଉତ୍ପାଦନ କାର୍ଯ୍ୟ ଆରମ୍ଭ ହୋଇଯିବ । ଆମର ଲକ୍ଷ୍ୟ ହେଉଛି ପ୍ରତି ମାସ ୪୦ ରୁ ୫୦ଲକ୍ଷ ଡୋଜ୍ ଉତ୍ପାଦନ । ଏହାପରେ ଏହାକୁ ପ୍ରତି ମାସରେ ଏକ କୋଟି ଡୋଜକୁ ବୃଦ୍ଧି କରାଯାଇପାରିବ । ସେପ୍ଟେମ୍ବର ସୁଦ୍ଧା ୨ ରୁ ୪ କୋଟି ଡୋଜ୍ ପ୍ରସ୍ତୁତ କରିବାର ଲକ୍ଷ୍ୟ ରଖାଯାଇଛି । ଏହାକୁ ପରେ ବିଦେଶକୁ ରପ୍ତାନୀ ମଧ୍ୟ କରାଯିବ ।

ପୁନାୱାଲା ଏହି ଅନୁଷ୍ଠାନକୁ ୧୯୬୬ ମସିହାରେ ପ୍ରତିଷ୍ଠା କରିଥିଲେ । ଏହା ହେଉଛି ବିଶ୍ବର ସବୁଠୁ ବଡ ଟୀକା ତିଆରିକାରୀ କମ୍ପାନୀ । ଯିଏ ପ୍ରତିବର୍ଷ ୧.୫ ଅରବ ଡୋଜ୍ ଉତ୍ପାଦନ କରିଥାଏ ଏବଂ ବିଶ୍ବର ୬୫% ପିଲାଙ୍କୁ ଏହି କମ୍ପାନୀ ଟୀକା ଦିଆଯାଇଛି । ସୂଚନାଯୋଗ୍ୟ ଯେ, ସିରମ୍ ବ୍ୟତୀତ କରୋନା ଟୀକା ପ୍ରସ୍ତୁତ କରିବାରେ ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆମେରିକାର ବାୟୋଟେକ୍ କମ୍ପାନୀ କୋଡାଜେନିକ୍ସ ମଧ୍ୟ ନିୟୋଜିତ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.