ଋଷିଆରୁ ଆସିଛି ଭଲ ଖବର : ଆସନ୍ତା ସପ୍ତାହରୁ ମିଳିବ କରୋନା ଔଷଧ

Published By : Prameya-News7 Bureau | September 19, 2020 IST

ନୂଆଦିଲ୍ଲୀ ୧୯/୯: ବିଶ୍ୱର ପ୍ରଥମ କରୋନା ଟିକା ବାହାର କରିଥିବା ଋଷିଆରୁ ଆସିଛି ଆଉ ଏକ ଭଲ ଖବର । ସାମାନ୍ୟରୁ ମଧ୍ୟମ ଧରଣର ଲକ୍ଷଣ ଦେଖାଯାଉଥିବା କରୋନା ଆକ୍ରାନ୍ତଙ୍କ ପାଇଁ ଏକ ଔଷଧକୁ ଅନୁମତି ଦେଇଛି ପୁଟିନ ପ୍ରଶାସନ । କରୋନା-ଭି ନାଁରେ ଏହି ଔଷଧକୁ ବିକଶିତ କରିଛି ଆର-ଫାର୍ମା ।

ଶୁକ୍ରବାର କମ୍ପାନୀ କହିଛି ଆଗାମୀ ସପ୍ତାହରୁ ଏହା ବଜାରରେ ଉପଲବ୍ଧ ହେବ । ହସ୍ପିଟାଲରେ ଭର୍ତ୍ତି ହୋଇନଥିବା ଆକ୍ରାନ୍ତ ମଧ୍ୟ ଏହି ଔଷଧ ବଜାରରୁ ନେଇ ଡାକ୍ତରଙ୍କ ପରାମର୍ଶରେ ଖାଇପାରିବେ । ଔଷଧ ନିର୍ମାତା ଆର-ଫାର୍ମା କହିଛି ପ୍ରାୟ ୧୬୮ ଜଣ ଆକ୍ରାନ୍ତଙ୍କଠାରେ ଏହି ଔଷଧର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପରେ ଔଷଧକୁ ଅନୁମତି ମିଳିଛି ।

ସେହିପରି ଆଉ ଏକ କରୋନା ଔଷଧ ଆଭିଫାଭିରକୁ ଗତ ମେ’ ମାସରେ ଅନୁମତି ମିଳିଥିଲା । କୁହାଯାଉଛି ଜାପାନ ଦ୍ୱାରା ବିକଶିତ ଫାବିପିରାଭିର ଭଳି ଏହି ଦୁଇଟି ଔଷଧ କୋଭିଡ ଭୂତାଣୁ ବିରୋଧରେ କାମ କରିବ । ବିଶ୍ୱର ପ୍ରଥମ କରୋନା ଟିକା ପ୍ରସ୍ତୁତ କରିବା ପରେ ପୁଣି ଦୁଇଟି ଔଷଧ ବିକାଶ କରି କରୋନା ବିରୋଧୀ ଲଢେଇରେ ସାରା ବିଶ୍ୱରେ ଋଷିଆ ଆଗରେ ରହିଥିବା ପ୍ରମାଣ ଦେଇଛି । ଋଷିଆ ଦ୍ୱାରା ପ୍ରସ୍ତୁତ ପ୍ରଥମ କରୋନା ଟିକା ‘ସ୍ପୁଟନିକ-ଭି’କୁ ଏବେ ବିଶ୍ୱର ଅନେକ ଦେଶ ନେବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.