ଭାରତୀୟ ସେନାର ଲଦାଖରେ ନିୟୋଜିତ ସେନାଙ୍କୁ ପ୍ରଥମେ ଦିଆଯିବ କରୋନା ଟିକା: ମିଳିଛି ୪ ହଜାର ଭ୍ୟାକସିନ୍
16/01/2021 at 2:08 PM

ନୂଆଦିଲ୍ଲୀ ୧୬/୦୧ : ଦେଶରେ ଜାନୁଆରୀ ୧୬ ତାରିଖ, ଶନିବାର ଠାରୁ କରୋନା ଟିକାକରଣ ଆରମ୍ଭ ହୋଇଛି। ଭାରତରେ ଦୁଇଟି ଭ୍ୟାକସିନକୁ ମଞ୍ଜୁରୀ ମିଳିଛି। ପ୍ରଥମ ଦିନରେ ୩ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ଆଜି ଦୁନିଆର ସବୁଠାରୁ ବଡ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନସିଂ ଜରିଆରେ ଦେଶର ପ୍ରଥମ ଚରଣ କୋଭିଡ ଟିକାକରଣ ଅଭିଯାନ ଆରମ୍ଭ କରିଛନ୍ତି। ଭାରତୀୟ ସେନାକୁ ୪ ହଜାର ଭ୍ୟାକସିନ ଦିଆଯିବ। ସର୍ବ ପ୍ରଥମେ ଲଦାଖରେ ନିୟୋଜିତ ଫ୍ରଣ୍ଟଲାଇନ କର୍ମଚାରୀ ଅର୍ଥାତ ସେନାରେ ଥିବା ଡାକ୍ତର ଓ ପାରା ମେଡିକାଲ କର୍ମଚାରୀଙ୍କୁ ଭ୍ୟାକସିନ ଦିଆଯିବ।
ସୂଚନା ଅନୁଯାୟୀ, ୪ ହଜାର ଭ୍ୟାକସିନରୁ ଅତିକମରେ ୩୮୨୦ କେବଳ ଲଦାଖରେ ନିୟୋଜିତ ସେନା ଡାକ୍ତର ଓ ପାରା ମେଡିକାଲ କର୍ମଚାରୀଙ୍କ ପାଇଁ ରହିଛି। ସୂତ୍ର ଅନୁଯାୟୀ, ଏହା ଟିକାକରଣର ପ୍ରଥମ ଚରଣ। ସରକାରଙ୍କ ଠାରୁ ଭ୍ୟାକସିନ ମିଳିବା ଆରମ୍ଭ ହେଲେ ଦ୍ୱିତୀୟ ଚରଣରେ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ଟିକାକରଣ ଆରମ୍ଭ ହେବ।
ସୂଚନା ଅନୁଯାୟୀ, ଆଜି ଲେହ ସ୍ଥିତ ୧୪ତମ କୋର ମିଲିଟାରୀ ହସ୍ପିଟାଲ୍ରେ ଟିକାକରଣ କାର୍ଯ୍ୟ ଆରମ୍ଭ ହେବ। ଲେହରେ ସ୍ଥିତ ୧୪ତମ କୋରର ଦାୟିତ୍ୱ ହେଲା ପୂର୍ବ ଲଦାଖରେ ଚୀନ ସୀମା ଏଲଏସିରେ ଦେଶର ସୁରକ୍ଷା କରିବା। ଏଠାରେ ଗତ ୮ ମାସ ହେଲା ଉଭୟ ଦେଶର ସେନା ମଧ୍ୟରେ ଉତ୍ତେଜନା ଜାରି ରହିଛି।
ଲେହରେ ସେନା ହସ୍ପିଟାଲ ଛଡା ହାର୍ଟ-ସେଣ୍ଟର ହସ୍ପିଟାଲରେ ମଧ୍ୟ କରୋନା ଟିକାକରଣ କାର୍ଯ୍ୟକ୍ରମ ହେବ। ଏଥିପାଇଁ ସବୁ ପ୍ରସ୍ତୁତି ସରିଛି। ପ୍ରଥମ ଚରଣରେ ଏଠାରେ ପାଖାପାଖି ୬ ହଜାର ଭ୍ୟାକସିନ ଦିଆଯିବ।