ମେ ୧ରୁ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ କରୋନା ଟିକା, ୨୮ରୁ ପଞ୍ଜୀକରଣ

Published By : Prameya-News7 Bureau | April 27, 2021 IST

ଭୁବନେଶ୍ବର ୨୭।୦୪ : ରାଜ୍ୟରେ କରୋନା ସଂକ୍ରମଣ ମାଡ଼ି ମାଡ଼ି ଚାଲିଛି । ଏଭଳି ସ୍ଥିତିରେ ଆସନ୍ତା ପହିଲାରୁ ରାଜ୍ୟରେ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଟିକାକରଣ ଆରମ୍ଭ ହେବ । ରାଜ୍ୟବାସୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଟିକା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଟିକାକେନ୍ଦ୍ରରେ ଭିଡ଼କୁ ଦୃଷ୍ଟିରେ ରଖି ସରକାର ପ୍ରସ୍ତୁତିକୁ ଅଧିକ ବ୍ୟାପକ କରୁଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି । ଏଥିପାଇଁ ରାଜ୍ୟ ସରକାର ଟିକା ଅର୍ଡର ଦେଇସାରିଛନ୍ତି । ଟିକା ଉପଲବ୍ଧ ହେବା ପରେ ସରକାର ଏ ଦିଗରେ ଚୂଡ଼ାନ୍ତ ପଦକ୍ଷେପ ନେବେ । ତେବେ ଟିକାକରଣ ପାଇଁ  ପଞ୍ଜୀକରଣ ଆଗୁଆ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ରାଜ୍ୟରେ ପ୍ରଥମ ୨ଟି ପର୍ଯ୍ୟାୟ ଟିକାକରଣ ଶେଷ ହେବାକୁ ଯାଉଛି । ଆସନ୍ତା ମେ’ ପହିଲାରୁ ୧୮ରୁ ୪୫ ବର୍ଷ ବୟସ୍କଙ୍କୁ ମାଗଣାରେ ଭାକସିନ୍ ଦିଆଯିବ  । ଆସନ୍ତା ୨୮ ତାରିଖରୁ ଏଥିପାଇଁ ଆରମ୍ଭ ହେବ ପଞ୍ଜୀକରଣ । ଟିକାକରଣ ନିମନ୍ତେ କୋ-ୱିନ୍‌ ପୋର୍ଟାଲ କିମ୍ବା ଆରୋଗ୍ୟ ସେତୁ ଆପ୍‌ରେ ପଞ୍ଜୀକରଣ କରିହେବ । ପଞ୍ଜୀକରଣ ପରେ ସଂପୃକ୍ତ ବ୍ୟକ୍ତିଙ୍କ ମୋବାଇଲ୍‌ ନମ୍ବରକୁ ପଞ୍ଜୀକରଣ ସଂପର୍କିତ ମେସେଜ୍‌ ଯିବ । ଏହାପରେ ଟିକାର ଉପଲବ୍ଧତାକୁ ନେଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ କେନ୍ଦ୍ରକୁ ଆସିବାକୁ କୁହାଯିବ । ଏଥିନିମନ୍ତେ ସ୍ଲଟ ବୁକିଂ କରାଯିବ । କିଏ, କେଉଁଠି, କେତେବେଳେ ଟିକା ନେବେ ସେନେଇ ମେସେଜ ଦିଆଯିବ ।

ଭାକସିନ୍‌ ଦିଆଯିବ ଦିନ ବ୍ୟକ୍ତି ସାଙ୍ଗରେ ପରିଚୟପତ୍ର ନେବାକୁ ପଡିବ । ରାଜ୍ୟରେ ଏହି ପର୍ଯ୍ୟାୟରେ ୨ କୋଟି ଲୋକ ଟିକା ଦିଆଯିବା ବୋଲି ଘୋଷଣା କରାଯାଇଛି  । ରାଜ୍ୟ ସରକାର ୩ କୋଟି ୭୭ ଲକ୍ଷ ଲକ୍ଷ କୋଭିସିଲ୍ଡ ଏବଂ ୧୦ ଲକ୍ଷ ୩୪ ହଜାର କୋଭାକ୍ସିନ୍‌ ଟିକା କିଣିବାକୁ ଅର୍ଡର ଦେଇଛନ୍ତି । ଟିକା ଆସିବା ପରେ ଅଭିଯାନ ବ୍ୟାପକ ହେବ । ଏଥିପାଇଁ ମାଇକ୍ରୋ ମ୍ୟାନେଜମେଣ୍ଟ ପ୍ଲାନ ପ୍ରସ୍ତୁତ ହୋଇଛି । ଟିକାକରଣ କେନ୍ଦ୍ର ଅଧିକ ବଢ଼ିବ । କେବଳ ସରକାରୀ କେନ୍ଦ୍ରରେ ମାଗଣା ଟିକା ମିଳିବ । ବେସରକାରୀ ଡାକ୍ତରଖାନାରେ ଯେଉଁମାନେ ନେବେ ସେମାନଙ୍କୁ ଧାର୍ଯ୍ୟ ମୂଲ୍ୟ ଦେବାକୁ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.