ଟିକା ନେବା ପରେ ୪୪୭ ଜଣଙ୍କ ଠାରେ ଦେଖାଦେଇଛି ପାର୍ଶ୍ୱ ପ୍ରତିକ୍ରିୟା, ହସ୍ପିଟାଲରେ ଭର୍ତ୍ତି ହେଲେଣି ୩ ସ୍ୱାସ୍ଥ୍ୟକର୍ମୀ

Published By : Prameya-News7 Bureau | January 18, 2021 IST

ନୂଆଦିଲ୍ଲୀ,୧୮/୦୧:  କରୋନା ଯୁଦ୍ଧରେ ବିଜୟୀ ହେବା ପାଇଁ ଦେଶରେ ଟିକାକରଣର ମହାଅଭିଯାନ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୩ କୋଟି କୋଭିଡ ଯୋଦ୍ଧାଙ୍କୁ ସର୍ବପ୍ରଥମେ ଟିକା ଦିଆଯିବ । ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା ଏବି ଅଭିଯାନ ମଧ୍ୟରେ କିଛି ଚିନ୍ତାଜନକ ଖବର ମଧ୍ୟ ସାମ୍ନାକୁ ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର କହିବାନୁସାରେ, ଭାକସିନ୍ ନେବା ପରେ ଏବେସୁଦ୍ଧା ୪୪୭ ଲୋକଙ୍କଠାରେ ପାର୍ଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳିଛି । ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କରୋନା ଭାକସିନ୍ ଲଗାଇବା ପରେ ଅନେକଙ୍କଠାରେ ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳିଛି । ଦିଲ୍ଲୀରେ ୫୨ଜଣ ସ୍ୱାସ୍ଥ୍ୟକର୍ମୀ ଟିକା ନେବା ପରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ସୂଚନାଯୋଗ୍ୟ, ଏବେସୁଦ୍ଧା ଦେଶରେ ମୋଟ୍ ୨,୨୪,୩୦୧ଜଣଙ୍କୁ ଟିକା ଦିଆଯାଇଛି ।

ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଭାକସିନ୍ ନେବା ପରେ ୫୧ଜଣ ସ୍ୱାସ୍ଥ୍ୟକର୍ମୀ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇ ପଡିଥିଲେ । ଯେଉଁ ସ୍ୱାସ୍ଥ୍ୟକର୍ମୀ ଗୁରୁତର ହୋଇଛନ୍ତି ତାଙ୍କ ବୟସ ୨୨ । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।

ଅନ୍ୟ ୫୧ ଜଣଙ୍କୁ ସାମାନ୍ୟ ଚିକିତ୍ସା ପରେ ଛାଡି ଦିଆଯାଇଛି । ସରକାର ସବୁ ଟିକାକେନ୍ଦ୍ର ପାଖରେ ଏକ ଏଇଏଫଆଇ କେନ୍ଦ୍ର ଖୋଲିଛନ୍ତି ।ଯେଉଁଥିରେ ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଉଥିବା ବ୍ୟକ୍ତିମାନେ ଚିକିତ୍ସାର ସୁବିଧା ପାଇପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.