ଭାରତରେ ଢେର ଶସ୍ତାରେ ମିଳିବ ଅକ୍ସଫୋର୍ଡର କରୋନା ଭାକସିନ୍, ଦାମ ମାତ୍ର ୨୨୫ ଟଙ୍କା
8/08/2020 at 3:26 PM

ନୂଆଦିଲ୍ଲୀ, ୦୮|୦୮: ଭାରତରେ ଦିନକୁ ଦିନ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏବେ ବିଭିନ୍ନ ସଂସ୍ଥା ପକ୍ଷରୁ କରୋନା ଭାକସିନର ହ୍ୟୁମାନ୍ ଟ୍ରାଏଲ ଜାରି ରହିଛି । ତେବେ ଅକ୍ସଫୋର୍ଡ ୟୁନିଭର୍ସିଟିର ଭାକସିନର ପରୀକ୍ଷଣ ଅନ୍ତିମ ପର୍ଯ୍ୟାୟରେ ପହଁଚିଛି । ଭାରତରେ ଗରିବ ଓ ମଧ୍ୟବିତ୍ତ ପରିବାରକୁ ଏହି ଭାକସିନ ୨୨୫ ଟଙ୍କାରେ ମିଲିପାରେ ବୋଲି ଏକ ଇଂରାଜୀ ଖବର କାଗଜରେ ପ୍ରକାଶ ପାଇଛି ।
ଇକୋନୋମିକ୍ ଟାଇମମ୍ସ ଅନୁସାରେ, ଭାକସିନ୍ ବିକଶିତ କରୁଥିବା କମ୍ପାନୀ ମଧ୍ୟରେ ସବୁଠାରୁ ଆଗରେ ରହିଛି ଆମେରିକାର ମୋଡନ୍ନା, ଋଷ ଓ ଅକ୍ସଫୋର୍ଡ ୟୁନିଭର୍ସିଟି । ଭାକସିନ୍ ପ୍ରସ୍ତୁତ କରୁଥିବା ବିଶ୍ୱର ସବୁଠାରୁ ବଡ କମ୍ପାନୀ ମଧ୍ୟରେ ରହିଛି ସିରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ । ଏହି କମ୍ପାନୀ ଅକ୍ସଫୋର୍ଡ ସହ ମିଳିତ ଭାବେ ଭାକସିନ୍ ବିକଶିତ କରୁଛି ।
ଅକ୍ସଫୋର୍ଡରେ କରୋନା ଭାକସିନର ସଫଳ ଟ୍ରାଏଲ ପରେ ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏହାର ବହୁଳ ମାତ୍ରାରେ ଉତ୍ପାଦନ କରିବ । ଭାରତରେ ଏହି ଭାକସିନ୍ କୋବିସିଲ୍ଡ ନାମରେ ବିକ୍ରି କରାଯିବ ବୋଲି କମ୍ପାନୀର ସିଇଓ ଗତ କିଛିଦିନ ତଳେ କହିଥିଲେ । ଏହାର ଦାମ ୧ ହଜାର ଟଙ୍କା ଯାଏଁ ହୋଇପାରେ ବୋଲି ମଧ୍ୟ ସେ ପ୍ରକାଶ କରିଥିଲେ ।
ତେବେ ଇକୋନୋମିକ୍ ଟାଇମ୍ସର ରିପୋର୍ଟ ଅନୁସାରେ, ଏହି ଭାକସିନ ବଜାରରେ ପ୍ରାୟ ୨୨୫ ଟଙ୍କାରେ ବିକ୍ରି ହୋଇପାରେ । ଅନୁମତି ମିଳିବା ପରେ ଏହାକୁ ୨୨୫ ଟଙ୍କା ଦରରେ ଗରିବ ଓ ମଧ୍ୟବିତ୍ତ ପରିବାର କ୍ରୟ କରିପାରିବେ । ଏତେ କମ୍ ଦାମରେ ଭାକସିନ ବିକ୍ରି କରିବାର କାରଣ ହେଉଛି ଯେ ଗେଟସ୍ ଫାଉଣ୍ଡେସନ ଭାକସିନ ବିକଶିତ ପାଇଁ ୧୫୦ ମିଲିୟନ ଡଲାର କମ୍ପାନୀକୁ ପ୍ରଦାନ କରିଛି । ଫଳରେ କମ୍ପାନୀ କମ୍ ଦାମରେ ଭାକସିନ୍ ବିକ୍ରି କରିବ ବୋଲି ସୂଚନା ମିଳିଛି ।