ସଙ୍କଟମୋଚକ ଭାରତ: ୬ ଦେଶକୁ ରପ୍ତାନୀ କରିବ କରୋନା ଟିକା, ଭୂଟାନକୁ ପଠାଗଲା ଦେଢ଼ ଲକ୍ଷ ଡୋଜ୍

Published By : Prameya-News7 Bureau | January 20, 2021 IST

ନୂଆଦିଲ୍ଲୀ, ୨୦/୦୧: ଭାରତ ପୁଣିଥରେ ବିଶ୍ୱ ପାଇଁ ସଙ୍କଟ ମୋଚକ ସାଜିଛି । ଦୁନିଆର ବିଭିନ୍ନ ଦେଶକୁ ସାହାର୍ଯ୍ୟ କରିବା ପାଇଁ ଭାରତ ଆଗକୁ ଆସିଛି । ଘୋଷଣା ମୁତାବକ ଭାରତ ୬ଟି ଦେଶକୁ କୋଭିସିଲ୍ଡ ଟିକା ପ୍ରଦାନ କରିବ । ଭୁଟାନ, ମାଲଦ୍ୱିପ, ବାଲାଂଦେଶ, ନେପାଲ, ମିଆଁମାର, ଏବଂ ସେଚେଲ୍ସ ରେ କୋଭିଡ୍-୧୯ର ସହାୟତା ପାଇଁ ଭାରତ ଏହି ଟିକା ସେମାନଙ୍କ ଦେଶରେ ପହଞ୍ଚାଇବ । ପ୍ରଥମେ ଏହି ଟିକା ସହାୟତା ଭୁଟାନକୁ ମିଳିବା ନେଇ ପୂର୍ବରୁ କୁହାଯାଇଥିଲା ।

ତେବେ ଆଜି ଭାରତ ସରକାରଙ୍କ ଦ୍ୱାରା ଦେଢ଼ ଲକ୍ଷ ଡୋଜ୍ କୋଭିସିଲ୍ଡ ଭ୍ୟାକ୍ସିନ ଭୁଟାନକୁ ପଠାଇ ଦିଆଯାଇଥିବା ସୂଚନା ଦିଆଯାଇଛି।ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି କହିଛନ୍ତି ଯେ, ଭାରତ ବିଶ୍ୱ ସମୁଦାୟ ଆବଶ୍ୟକ କରୁଥିବା ସ୍ୱାସ୍ଥ୍ୟ ସେବାକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ । ଭାରତ ଏଥିରେ ସହଯୋଗୀ ହୋଇଥିବାରୁ ନିଜକୁ ସମ୍ମାନିତ ମନେ କରୁଛି । ବୁଧବାର ଠାରୁ ଏହି ଟିକା ଅନ୍ୟ ଦେଶମାନଙ୍କୁ ପଠାଯିବ ଏବଂ ଆଗକୁ ଅଧିକ ସହଯୋଗ କରାଯିବ ।

ଭାରତ ଦୁନିଆର ସବୁଠାରୁ ଅଧିକ ଔଷଧ ଉତ୍ପାଦନକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ । ଏଥି ସହ କରୋନା ଭାଇରସ୍ର ଟିକା କିଣିବା ପାଇଁ ବିଭିନ୍ନ ଦେଶ ଭାରତକୁ ସମ୍ପର୍କ କରିଥିବା ଜଣାପଡ଼ିଛି । ଘରୋଇ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ ଆଗାମୀ ସପ୍ତାହରେ ତାର ସହଯୋଗୀ ଦେଶଗୁଡ଼ିକୁ ସହାୟତା ଯୋଗାଇଦେବା ନେଇ ବିଦେଶ ମନ୍ତ୍ରଣାଳୟ କହିଛି ।

ତେବେ ପୂର୍ବରୁ ଟିକା ଯୋଗାଣ ଲାଗି ଭାରତ ଅନ୍ୟତମ ନିକଟ ପଡୋଶୀ ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ମରିସସ୍‌ର ସ୍ୱୀକୃତିକୁ ଅପେକ୍ଷା କରିଥିବା କହିଥିଲା। ଭାରତୀୟ ଟିକାକୁ ଏହି ସବୁ ଦେଶଙ୍କ ଜରୁରି ନିୟାମକ ମଞ୍ଜୁରି ମିଳିଲେ ସେମାନଙ୍କୁ ମଧ୍ୟ ଟିକା ଯୋଗାଣ ହେବ। ଏହା ଛଡ଼ା ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଦେଶମାନେ ମଧ୍ୟ ଟିକା ଲାଗି ଅନୁରୋଧ କରିଛନ୍ତି। ଭାରତ ମଧ୍ୟ ସେମାନଙ୍କ ଅନୁରୋଧର ପ୍ରତିକ୍ରିୟା ଦେଇଥିବା ବୈଦେଶିକ ମନ୍ତ୍ରାଳୟ ମଙ୍ଗଳବାର କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.