ଆସନ୍ତା ସପ୍ତାହରେ ଆଗ୍ରା ଏସ୍‌ଏନ୍ ମେଡିକାଲ୍ କଲେଜରେ ହେବ କରୋନା ଭ୍ୟାକସିନ୍‌ର ମାନବ ପରୀକ୍ଷଣ

Published By : Prameya-News7 Bureau | July 31, 2020 IST

ଆଗ୍ରା ୩୧/୦୭ : କରୋନା ଭାଇରସକୁ ନେଇ ଆଗ୍ରାରୁ ବଡ ଖବର ଆସିଛି | ଆଗ୍ରା ଏସଏନ ମେଡିକାଲ କଲେଜରେ ଆସନ୍ତା ସପ୍ତାହରେ କରୋନା ଭାଇରସ ଚିକିତ୍ସା ପାଇଁ ହ୍ୟୁମନ ଟ୍ରାଏଲ (ମାନବ ପରୀକ୍ଷଣ) ଆରମ୍ଭ ହେବ | ଇଣ୍ଡିଆନ କାଉନ୍ସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଠାରୁ ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିଥିବା ଜଣାପଡିଛି |

୧୮ ବର୍ଷ ବୟସରୁ ୫୫ ବର୍ଷ ବୟସ ଲୋକଙ୍କ ଉପରେ ପରୀକ୍ଷଣ କରାଯିବ | ପ୍ରଥମ ପରୀକ୍ଷଣର ୧୪ ଦିନ ପରେ ଏମାନଙ୍କୁ ପୁଣି ଭ୍ୟାକସିନ ଦିଆଯିବ | ଭ୍ୟାକସିନ ପୂର୍ବରୁ ଏହି ଲୋକମାନଙ୍କୁ ଏକ ଶପଥ ପତ୍ର ଦେବାକୁ ହେବ | ଟ୍ରାଏଲ ପୂର୍ବରୁ ଲୋକଙ୍କର କରୋନା ଯାଞ୍ଚ କରାଯିବ | କରୋନା ରିପୋର୍ଟ ନେଗେଟିଭ ଆସିଲେ ଅନ୍ୟ କୌଣସି ରୋଗ ଅଛି କି ପରୀକ୍ଷା କରାଯିବ | ପୁରା ମେଡିକାଲ ଚେକଅପ ପରେ ଭ୍ୟାକସିନର ପ୍ରଥମ ଡୋଜ ଦିଆଯିବ | ସେହି ଅବଧି ମଧ୍ୟରେ ଡାକ୍ତର ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ଲଗାତାର ମନିଟରିଂ କରିବେ | ଡୋଜ ପରେ ସେମାନଙ୍କ ଶରୀରରେ କେତେ ଏଣ୍ଟିବଡ଼ି ତିଆରି ହେଉଛି ତାହା ଦେଖାଯିବ | ଡାକ୍ତରଙ୍କ ଟିମ ବର୍ଷେ ଯାଏଁ ଲୋକଙ୍କୁ ମନିଟରିଙ୍ଗ କରିବେ |  

ସୂଚନାଯୋଗ୍ୟ ଯେ, ଗୁରୁବାର ଦିନ ଉତ୍ତର ପ୍ରଦେଶରେ ୩ ହଜାର ୭୬୫ ନୂଆ ମାମଲା ସାମ୍ନାକୁ ଆସିଥିଲା ଓ ୫୭ ଜଣଙ୍କର ମୃତ୍ୟୁ ହୋଇଥିଲା | ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ବିଭାଗର ଉପ ମୁଖ୍ୟ ସଚିବ ଅମିତ ମୋହନ ପ୍ରସାଦ କହିଛନ୍ତି ଯେ ରାଜ୍ୟରେ ୪୬ ହଜାର 803 ଜଣ ସୁସ୍ଥ ହୋଇଛନ୍ତି | ୩୨ ହଜାର ୬୪୯ ଆକ୍ଟିଭ ମାମଲା ରହିଥିବାବେଳେ ୧୫୮୭ ଜଣ ପ୍ରାଣ ହରାଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.