କରୋନା ମୁକାବିଲା : ବିଭିନ୍ନ ଭାକସିନର ଚାଲିଛି ହ୍ୟୁମାନ୍ ଟ୍ରାଏଲ୍
13/10/2020 at 10:43 PM

ନୂଆଦିଲ୍ଲୀ, ୧୩ ।୧୦: ବିଶ୍ୱର ପ୍ରାୟ ୨୦୦ରୁ ଅଧିକ ଦେଶରେ କରୋନା କାୟା ବିସ୍ତାର କରି ଚାଲିଛି। ବିଶ୍ୱବ୍ୟାପୀ କରୋନା ମହାମାରୀ ଯୋଗୁଁ ୧୦ଲକ୍ଷ ୭୬ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଛି। ୩କୋଟି ୭୪ଲକ୍ଷରୁ ଅଧିକ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି। ତେବେ ଏହି ଭାଇରସର କୌଣସି ବାକସିନ୍ ଏବେସୁଦ୍ଧା ବାହାରି ନାହିଁ । କରୋନାର ଭାଇରସର ଭାକସିନ ପାଇଁ ଏବେ ବି ବିଶ୍ୱବ୍ୟାପୀ ଗବେଷଣା ଜାରି ରହିଛି। ତେବେ ରୁଷ କରୋନା ଭ୍ୟାକସିନ୍ ପ୍ରସ୍ତୁତ କରିବାର ଦାବି କରିଛି। ଆସନ୍ତୁ ନଜର ପକାଇବା ବିଭିନ୍ନ ଭାକସିନର ସ୍ଥିତି ଉପରେ ।
ବିଭିନ୍ନ ମେଡିସିନ କମ୍ପାନୀ ତରଫରୁ ଭାକସିନ୍ ଉପରେ ଗବେଷଣା ଜାରି ରହିଛି । ମୋଡେରନାର ଭାକସିନ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣରେ ପହଁଚିଛି। ଏହି ପରୀକ୍ଷଣରେ ଭାଗ ନେବା ପାଇଁ ୩୦ ହଜାର ସ୍ୱେଚ୍ଛାସେବୀ ରାଜି ହୋଇଥିଲେ । ଏହାମଧ୍ୟରୁ ୨୨୧୯୪ ଜଣଙ୍କୁ ଭାକସିନର ଦ୍ୱିତୀୟ ଡୋଜ୍ ଦିଆଯାଇଛି ।
ସେହିପରି ଫିଜରର କରୋନା ଭାକସିନର ଦ୍ୱିତୀୟ ଡୋଜ୍ ୩୧୦୬୨ଜଣଙ୍କୁ ପ୍ରଦାନ କରାଯାଇଛି ।ଏତତ୍ ବ୍ୟତୀତ ଆଷ୍ଟ୍ରାଜେନକାର ଭାକସିନର ପରୀକ୍ଷଣ ୪ ସପ୍ତାହ ହେଲା ବନ୍ଦ ରହିଛି ।
ଏପଟେ ଜନସନ ଆଣ୍ଡ ଜନସନ କରୋନା ଭାକସିନ ପରୀକ୍ଷଣକୁ ଅସ୍ଥାୟୀ ଭାବେ ରୋକି ଦେଇଛି। ଜନସନ ଆଣ୍ଡ ଜନସନ ଏହି ସୂଚନା ଦେଇଛି। କମ୍ପାନୀ ତରଫରୁ ଏକ ବୟାନ ଜାରି କରି କୁହାଯାଇଛି ଯେ, ସମସ୍ତ କରୋନା ଭାକସିନର କ୍ଲିନିକାଲ୍ ଟ୍ରାୟଲ୍ ଅସ୍ଥାୟୀ ଭାବେ ରୋକି ଦିଆଯାଇଛି । ଗବେଷଣାରେ ଜଣେ ସ୍ୱେଚ୍ଛାସେବୀଙ୍କ ଅସୁସ୍ଥତା ଯୋଗୁଁ ଏହାକୁ ରୋକି ଦିଆଯାଇଛି।