କରୋନା ଭ୍ୟାକସିନ୍ ଦୌଡରେ ଆଗରେ ରହିଛନ୍ତି ଏହି ଦୁଇଟି କମ୍ପାନୀ : ୯୯ ପ୍ରତିଶତ ସଫଳ ହେବା ନେଇ ଦାବି
2/06/2020 at 3:30 PM

ୱାସିଂଟନ ୦୨/୦୬ : କରୋନା ମହାମାରୀ ହୁ ହୁ ହୋଇ ବଢି ଚାଲିଛି | କିନ୍ତୁ ଏ ପର୍ଯ୍ୟନ୍ତ କରୋନା ଭ୍ୟାକସିନ୍ କିମ୍ବା ଔଷଧ ବାହାରି ପାରିନାହିଁ | ଦୁନିଆର ଅନେକ ବୈଜ୍ଞାନିକ କରୋନା ଭ୍ୟାକସିନ୍ ପାଇଁ ଗବେଷଣା କରୁଛନ୍ତି | ପାଖାପାଖି ୧୦୦ ରୁ ଅଧିକ କମ୍ପାନୀ କରୋନା ଭ୍ୟାକସିନ୍ ତିଆରି କରିବାରେ ଲାଗିଛନ୍ତି | କିନ୍ତୁ ଏପର୍ଯ୍ୟନ୍ତ କାହାକୁ ସଫଳତା ମିଳିନି | ଇତି ମଧ୍ୟରେ ଦୁଇଟି କମ୍ପାନୀ ଭଲ ଖବର ଦେଇଛନ୍ତି ଏବଂ ଦାବି କରିଛନ୍ତି ଯେ, ତାଙ୍କ ତିଆରି ଭ୍ୟାକସିନ୍ ପ୍ରାଥମିକ ପର୍ଯ୍ୟାୟରେ ସଫଳ ପ୍ରମାଣିତ ହୋଇଛି | ଆମେରିକାର ଗୋଟିଏ କମ୍ପାନୀର ଟ୍ରାଏଲ୍ ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଛି | ଚାଇନିଜ୍ କମ୍ପାନୀ Sinovac Biotech ଦାବି କରିଛି ଯେ ତାଙ୍କ ଭ୍ୟାକସିନ୍ ୯୯ ପ୍ରତିଶତ ସଫଳ ହୋଇଛି |

ସିନୋବେକ୍ ବାୟୋଟେକ୍ ପ୍ରସ୍ତୁତ କରୁଥିବା ଭ୍ୟାକସିନ୍ ଚୀନରେ ପାଖାପଖି ୧ ହଜାର ଭୋଲେଣ୍ତିଅରଙ୍କ ଉପରେ ଟ୍ରାଏଲ୍ କରାଯାଉଛି | ବର୍ତ୍ତମାନ ଏହି ଭ୍ୟାକସିନର ଷ୍ଟେଜ-୩ ଟ୍ରାଏଲ ବ୍ରିଟେନରେ କରିବାକୁ ପ୍ରସ୍ତୁତି ହେଉଛି | ଭ୍ୟାକସିନ୍ ତିଆରି କରୁଥିବା ଗବେଷକଙ୍କୁ ପଚାର ଯାଇଥିଲା ଯେ ଏହି ଭ୍ୟାକସିନ୍ କାମ କରିବ କି ? ଜବାବରେ ସେ କହିଥିଲେ, ଏହା ୯୯ ପ୍ରତିଶତ ସଫଳ ପ୍ରମାଣିତ ହେବ | କମ୍ପାନୀ ବେଜିଙ୍ଗରେ ଏକ ପ୍ଲାଣ୍ଟ ତିଆରି କରୁଛି | ଏହି ପ୍ଲାଣ୍ଟରେ ପାଖାପାଖି ୧୦ କୋଟି ଡୋଜ ତିଆରି କରାଯିବ | ପ୍ରଥମେ ହାଇରିସ୍କ ରୋଗୀଙ୍କ ଉପରେ ଭ୍ୟାକସିନ୍ ପ୍ରୟୋଗ କରାଯିବ ବୋଲି ସେ କହିଛନ୍ତି |

Moderna Inc. ଦାବି କରିଛି ଯେ, ତାର ପ୍ରଥମ ପରୀକ୍ଷଣ ସଫଳ ହୋଇଛି | ଏହି ଭ୍ୟାକସିନ୍ ଜରିଆରେ ଶରୀରରେ ଆଣ୍ଟିବଡ଼ିଜ ତିଆରି ହେଉଛି ଯାହା ଭାଇରସର ପ୍ରକୋପକୁ ଦୁର୍ବଳ କରିଦିଏ | ଭ୍ୟାକସିନର ପରୀକ୍ଷଣ ଭିନ୍ନ ଭିନ୍ନ ଷ୍ଟେଜରେ ହେଉଛି | ସିଏଟଲରେ ୪୫ ଜଣଙ୍କ ଉପରେ ହୋଇଥିବା ପରୀକ୍ଷଣବେଳେ ତାଙ୍କୁ ଭ୍ୟାକସିନର ଦୁଇଟି କମ ମାତ୍ରାର ସଟ୍ସ ଦିଆଯାଇଥିଲା | ଏହାପରେ ସେମାନଙ୍କ ଶରୀରରେ କରୋନା ସହ ଲଢ଼ିବା ପାଇଁ ଆଣ୍ଟିବଡ଼ିଜ ତିଆରି ହୋଇଥିବା ଦେଖା ଦେଇଥିଲା |