ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକାକରଣ: ଘରୋଇ ହସ୍ପିଟାଲରେ ପଞ୍ଜିକରଣ ବାଧ୍ୟତାମୂଳକ

Published By : Prameya-News7 Bureau | February 27, 2021 IST

ଭୁବନେଶ୍ୱର ୨୭/୦୨ : ପୁଣି ଡରାଇଲାଣି କରୋନା । ଦେଶର ୮ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢୁଥିବା ବେଳେ ୫ ରାଜ୍ୟରେ ଅଧିକ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଗାଇଡଲାଇନ୍ ଜାରି କରିଛନ୍ତି । ଗତ ୨୪ ଘଣ୍ଟାରେ ଭାରତରେ ୧୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ୧୧୩ ହୋଇଛି । ସେହିଭଳି ରାଜ୍ୟରେ ୨୪ ଘଣ୍ଟାରେ ୮୪ ଜଣଙ୍କ ସଂକ୍ରମିତ ହୋଇଛନ୍ତି । ୫ ହାଇରିସ୍କ ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକାକରଣ ବ୍ୟବସ୍ଥା କରାଯାଇଛି । ସରକାରୀ ହସ୍ପିଟାଲ୍‌ରେ ମାଗଣାରେ ଟିକା ଦେବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ବେସରକାରୀ ହସ୍ପିଟାଲରେ କିନ୍ତୁ ଅର୍ଥ ପଇଠ କରିବାକୁ ପଡିବ ।

ପୁଣି ହୁହୁ ହୋଇ ବଢିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ୧୬ ହଜାର ୪୮୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟାରେ ୧୧୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦେଶର ୬ ରାଜ୍ୟରେ ବଢିବାକୁ ଲାଗିଛି ସଂକ୍ରମଣ । ମହାରାଷ୍ଟ୍ର, କେରଳ, ପଞ୍ଜା, ତାମିଲନାଡ, କର୍ଣ୍ଣାଟକ, ଗୁଜୁରାଟରେ ନୂଆ ସଂକ୍ରମଣ ଅଧିକ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ତଥ୍ୟ ଦିଆଯାଇଛି। ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷ ୭୯ ହଜାର ଟପିଛି । ସଂକ୍ରମଣ ବୃଦ୍ଧି ପାଉଥିବା ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସ୍ଥିତି ସମୀକ୍ଷା କରିଛନ୍ତି କ୍ୟାବିନେଟ୍ ସଚିବ । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୫ ରାଜ୍ୟ ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏସବୁ ହାଇ ରିସ୍କ ରାଜ୍ୟ ଫେରନ୍ତାଙ୍କ ପାଇଁ ସ୍ବତନ୍ତ୍ର କଟକଣା ଜାରି କରାଯାଇଛି। ବିମାନବନ୍ଦର ଓ ରେଳଷ୍ଟ୍ରେସନରେ ଯାଞ୍ଚ ବ୍ୟବସ୍ଥାକୁ କଡାକଡ଼ି କରାଯିବ। ସମସ୍ତ ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ଦୃଷ୍ଟି ରଖିବାକୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖାଯାଇଛି । ଫେରୁଥିବା ଲୋକଙ୍କୁ ୭ ଦିନିଆ ଆଇସୋଲେସନ୍‌ ବାଧ୍ୟତାମୂଳକ କରାଯାଇଛି ।

ଏପଟେ କାଲି ଓ ଆଜିକୁ ମିଶାଇ ଭିସୁଟର ୨୫ ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ସଂସ୍ପର୍ଶରେ କିଏ କିଏ ଆସିଛନ୍ତି ତାଙ୍କୁ ଆଇସୋଲେସନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କରୋନା ସଂକ୍ରମଣ ଆଗକୁ ଯେଭଳି ନବଢେ ତାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ପ୍ରଥମ ସପ୍ତାହରେ ହେବାକୁ ଥିବା ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ ସସପେଣ୍ଡ କରାଯାଇଛି ।  ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରୁ ବାହାରକୁ ନବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭିସୁଟରେ ମାସ୍ ଟେଷ୍ଟିଂ ଆରମ୍ଭ ହୋଇଛି ।

ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ ବରିଷ୍ଠ ନାଗରିକଙ୍କ ପାଇଁ ଟିକାକରଣ ପ୍ରକ୍ରିୟା। ଭୁବନେଶ୍ବର ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାକରଣ ବ୍ୟବସ୍ଥା କରାଯାଇଛି। ମାର୍ଚ୍ଚ ୧ରୁ ସରକାରୀ ହସ୍ପିଟାଲରେ ଟିକାକରଣ ଆରମ୍ଭ ହେବ। ପ୍ରଥମେ ବୟସ୍କ ଏବଂ ବହୁବିଧ ରୋଗାକ୍ରାନ୍ତଙ୍କୁ ଦିଆଯିବ ଟିକା । ଘରୋଇ ହସ୍ପିଟାଲରେ ଟିକାକରଣ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ ହୋଇଛି।  ଘରୋଇ ହସ୍ପିଟାଲରେ ଟିକା ନେବାକୁ କୋୱିନ ୨.୦ରେ ପଞ୍ଜିକରଣ କରାଯାଇପାରିବ । ମାର୍ଚ୍ଚ ୧ରୁ ଟିକାକରଣ ପାଇଁ ରେଜିଷ୍ଟ୍ରେସନ କରାଯିବ, ୨ରୁ ଟିକା ଦିଆଯିବ। ଗୋଟିଏ ଦିନରେ ୬୦ ଜଣ ବରିଷ୍ଠ ନାଗରିକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି। ଜଟିଳ ରୋଗରେ ଆକ୍ରାନ୍ତ ଥିବା ବରିଷ୍ଠ ନାଗରିକଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ ଟିକା ନେଇ ନିଷ୍ପତ୍ତି ହେବ। ସରକାରୀ ହସ୍ପିଟାଲରେ ଟିକା ସଂପୂର୍ଣ୍ଣ ମାଗଣାରେ ମିଳିବ। ଘରୋଇ ହସ୍ପିଟାଲରେ ଟିକା ପାଇଁ ସର୍ଭିସ ଚାର୍ଜ ୧୦୦ ଟଙ୍କା ପଡ଼ିବ। ଟିକା ମୂଲ୍ୟ କେତେ ପଡ଼ିବ, କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଜଣାଇବେ।

ପୁଣି ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଜାରି କରିଥିବା ଗାଇଡଲାଇନ୍ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ରହିଛି । ନିର୍ଦ୍ଦେଶ ପାଳନ କରୁନଥିବା ଅମାନିଆଙ୍କ ଉପରେ କଡା ପଦକ୍ଷେପ ନେବାକୁ ଜିଲ୍ଲାପ୍ରଶାସନକୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.