ରାଜ୍ୟର କରୋନା ଅପଡେଟ୍‌...

Published By : Prameya-News7 Bureau | July 16, 2020 IST

ଭୁବନେଶ୍ବର୧୬/୭: ରାଜ୍ୟରେ ୧୫ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କେବଳ ଗଂଜାମରେ ୫ ହଜାର ନିକଟତର । ଆଜି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୪୯୪ ଆକ୍ରାନ୍ତ । କେବଳ ଗଞ୍ଜାମ ଜିଲ୍ଲାରୁ ୨୪୬ ।  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୩୭ ଜଣ କୋରନା ଯୋଦ୍ଧା । ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୮୬୭ ଛୁଇଁଛି । ସପ୍ତାହକ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୮ ଶହ ନିକଟତର ହୋଇଛି ।

ସେହିପରି ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ଅର୍ଧଶତକ ମୁହାଁ । ଏଯାବତ୍‌ ଜିଲ୍ଲାରେ ୪୮ ଜଣଙ୍କ ଜୀବନ ନେଲାଣି କରୋନା । ଆଜି ୨ ଜଣଙ୍କୁ ମିଶାଇ କେବଳ ସପ୍ତାହକ ମଧ୍ୟରେ ୧୮ ଜଣଙ୍କ ଜୀବନ ଗଲାଣି ମହାମାରୀ । ସ୍ଥିତିକୁ ଦେଖି ଗଞ୍ଜାମ ଉପରେ ଅଧିକ ଫୋକସ୍ କରିଛନ୍ତି ରାଜ୍ୟ ସରକାର । ଜିଲ୍ଲା ପ୍ରଶାସନ ପକ୍ଷରୁ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ୭ ସହରାଞ୍ଚଳକୁ ଆଜିଠୁ ୬ ଦିନ ପାଇଁ ସଟ୍ ଡାଉନ୍ କରାଯାଇଛି । କରୋନା ମୁକାବିଲା ପାଇଁ ଜିଲ୍ଲାକୁ ଦୁଇ ଭାଗରେ ବିଭାକ୍ତ କରାଯାଇଛି । ୭୩୧ କୋରନା ଯୋଦ୍ଧା ଙ୍କ ମଧ୍ୟରୁ ୩୨୧ ଜଣ ସୁସ୍ଥ ହୋଇ ଫେରିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଘର ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି ସ୍ବାସ୍ଥ୍ୟ କର୍ମୀ ।

ଗଂଜାମ ପରେ ଯଦି କିଏ ଅଧିକ ଟେନସନ୍ ବଢାଇଛି ସିଏ ହେଉଛି ରାଜଧାନୀ ଭୁବନେଶ୍ବର । ରାଜଧାନୀରେ ହଜାରେ ନିକଟର ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଖୋର୍ଦ୍ଧା ଜିଲ୍ଲାରୁ ୬୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଭୁବନେଶ୍ବରରୁ ୬୦ । କ୍ବାରାଣ୍ଟାଇନରୁ ୪୦, ଲୋକାଲ କେସ୍ ୨୦ । ସାଲିଆସାହି ସମେତ ୧୮ ବସ୍ତି ଅଞ୍ଚଳ ଏବେ ହଟସ୍ପଟ ହେବାରେ ଲାଗିଛି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ରୋଗୀ ସଂଖ୍ୟା ୯ ଶହ ୧୯ ହୋଇଛି । ଜୁଲାଇ ୧ ବେଳକୁ ରାଜଧାନୀରେ ରୋଗୀଙ୍କ ସଂଖ୍ୟା ୩୩୨ ଥିଲା । ୧୫ ଦିନରେ ସଂଖ୍ୟା‌ରେ ୫୮୭କୁ ବଢ଼ିଲାଣି।  ଏଥିରୁ କେବଳ ୨୨୨ ଜଣ ସ୍ଥାନୀୟ ଆକ୍ରାନ୍ତ । ସ୍ଥାନୀୟ ଆକ୍ରାନ୍ତଙ୍କ ହାର ଗତ ୧୫ ଦିନରେ ୩୮ ପ୍ରତିଶତ ରହିଛି । କମ୍ୟୁନିଟି ସେରୋ ସର୍ଭେ ପରେ ଆସନ୍ତା କାଲିଠାରୁ ଭୁବନେଶ୍ବର​‌ରେ ଆରମ୍ଭ ହେବ ହାଇ ରିସ୍କଗ୍ରୁପ ସେରୋ ସର୍ଭିଜିଲାନ୍ସ। ଏଥିପାଇଁ ପହଞ୍ଚି ଯାଇଛି ଏକ ଲକ୍ଷ କିଟ। ସେହିପରି କଟକ ସହରରେ ମଧ୍ୟ ବଢି ଚାଲିଛି ସଂଖ୍ୟା । ଆଜି କଟକରୁ ୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଜଣେ ଡାକ୍ତର ଏବଂ ୨ ଜଣ ଷ୍ଟଫନର୍ସ ସଂକ୍ରମିତ ହେବା ପରେ ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ଓପିଡିକୁ ବନ୍ଦ କରି ଦିଆଯାଇଛି । ୭୨ ଘଣ୍ଟା ପାଇଁ ଓପିଡି, ଓଟି, ଲେବର ରୁମ୍ କୁ ସଟ୍ ଡାଉନ ଘୋଷଣା କରାଯାଇଛି । ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଡାକ୍ତରଖାନାକୁ ସମ୍ପୁର୍ଣ୍ଣ ରୂପେ ବିଶୋଧନ କରାଯାଇଛି । ସେହିପରି ନବରଙ୍ଗପୁରରୁ ଆଜି ୪ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ଜଣେ ଡାକ୍ତର । ସେପଟେ ବୁର୍ଲାର ଭିମସାରରୁ ୪ ସ୍ୱାସ୍ଥ୍ୟକର୍ମୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଭିମସାରରେ ଏଯାଏ ମୋଟ ୧୨ ଜଣ ସ୍ୱାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହେଲେଣି ।

ଆଜି ରାଜ୍ୟ ୨୩ ଜିଲ୍ଲାରୁ ୪୯୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୩୨୨ ଜଣ କ୍ବାରାଣ୍ଟାଇନରୁ ଏବଂ ୧୭୨ ଲୋକାଲ କେସ୍ । ଆଜି ୨ ଜଣଙ୍କୁ ମିଶାଇ ଏଯାଏ ରାଜ୍ୟରେ ୭୯ ଜଣଙ୍କ ଜୀବନ ନେଲାଣି ମହାମାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.