ଜୁଲାଇ ମାସର କରୋନା ଅପଡେଟ୍‌‌...

Published By : Prameya-News7 Bureau | July 13, 2020 IST

ଭୁବନେଶ୍ବର୧୩/୭: ଜୁଲାଇ ବଦଳାଇ ଦେଇଛି ଚିତ୍ର । ଜୁଲାଇରେ ରାଜ୍ୟରେ ସଂଗୀନ ହୋଇଛି କରୋନା ସ୍ଥିତି । ଜୁଲାଇ ୧ ରୁ ହୁ ହୁ ମାଡି ଚାଲିଛି ସଂକ୍ରମଣ । ଜୁନ୍ ଶେଷ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ଥିଲା ୭ ହଜାର ୩୧୬ ।  କିନ୍ତୁ ଜୁଲାଇ ୧ ରୁ ୧୨ ତାରଖ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟାରେ ୬ ହଜାର ୪୨୮ ବୃଦ୍ଧି ହୋଇଛି । ଏ ସଂଖ୍ୟା ବୟାନ କରୁଛି ରାଜ୍ୟରେ କେମିତି ସାଂଘାତିକ ରୂପ ନେଉଛି ମହାମାରୀ । ଆକ୍ରାନ୍ତଙ୍କ ସଂଖ୍ୟାକୁ ତାଳ ଦେଇ ମୃତ୍ୟୁ ସଂଖ୍ୟା ବି ବଢି ଚାଲିଛି । ରାଜ୍ୟରେ ଏଯାଏଁ ୭୦ ଜଣଙ୍କ ଜୀବନ ନେଲାଣି କରୋନା । ଜୁନ୍ ଶେଷ ସୁଦ୍ଧା ୨୭ ଜଣଙ୍କ ଜୀବନ ଯାଇଥିଲା ।

 ଜୁଲାଇ ମାସରେ ଏଯାଏଁ ମହାମାରୀ ନେଲାଣି ୪୩  ଜୀବନ । ସ୍ଥାନୀୟ ସଂକ୍ରମଣ ମଧ୍ୟ ଟେନସନ୍ ବଢାଇଛି । ଜୁଲାଇ ମାସରେ ସ୍ଥାନୀୟ ସଂକ୍ରମଣ ୧୫ରୁ ପ୍ରତିଶତରୁ ଡେଇଁ ୩୩ ପ୍ରତିଶତ ପାର୍ କଲାଣି । ହଟ୍‌ସ୍ପଟ୍ ରେ କେଶ୍ ବଢିଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ । ମୃତ୍ୟୁ ହାର କିନ୍ତୁ ୦ ଦଶମିକ ୪୮ ପ୍ରତିଶତ ରହିଥିବା କହିଛନ୍ତି। ଆରୋଗ୍ୟ ହାର ୬୪ ପ୍ରତିଶତ ରହିଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

ରାଜ୍ୟରୁ ଆଜି ୬୧୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦୧ ଜଣ ସ୍ଥାନୀୟ ସଂକ୍ରମିତ । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୭୩୭ରେ ପହଞ୍ଚିଛି । ସେହିପରି ରାଜ୍ୟରେ ଆଜି ୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୪ ଜଣ ଏବଂ ଭୁବନେଶ୍ବର ଓ କଟକର ଜଣେ ଲେଖାଏଁ ଅଛନ୍ତି ।

ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୮୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ପାର୍ କରିଛି । କେବଳ ସପ୍ତାହକ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଶହ ଛୁଇଁଛି । ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୪୩ ହୋଇଥିବା ବେଳେ ସପ୍ତାହକ ମଧ୍ୟରେ ୨୨ ଜଣଙ୍କ ଜୀବନ ନେଲାଣି ମହାମାରୀ । ଗଂଜାମ ସ୍ଥିତି ଅଣାୟତ୍ତ ହୋଇପଡିଥିବା ବେଳେ ଜିଲ୍ଲାପାଳ କିନ୍ତୁ ଆଶ୍ବସ୍ତିକର ଖବର ଦେଇଛନ୍ତି । ଜିଲ୍ଲାର ୮୧ ପ୍ରତିଶତ ଗ୍ରାମାଞ୍ଚଳ ଗ୍ରୀନ୍ ଜୋନରେ ରହିଛି, ଅର୍ଥାତ କରୋନା ମୁକ୍ତ ବୋଲି କହିଛନ୍ତି।

ରାଜଧାନୀରେ ୭ ଶହ ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଭୁବନେଶ୍ବରରୁ ୧୪ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୦ ସ୍ଥାନୀୟ ଆକ୍ରାନ୍ତ  । ପଜିଟିଭ୍ ଙ୍କ ମଧ୍ୟରେ  ବର୍ଷକର ଶିଶୁ କନ୍ୟା ଏବଂ ୭ ବର୍ଷର ବାଳକ ଅଛନ୍ତି । ଏହାକୁ ମିଶାଇ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ୭୧୮ରେ ପହଞ୍ଚିଛି। ରାଜଧାନୀରେ ଆଉ ଜଣଙ୍କ ଜୀବନ ନେଇଛି କରୋନା । ମୃତ୍ୟୁ ସଂଖ୍ୟା ୮ ହୋଇଛି ।  ଗତ ୩ ଦିନରେ ରାଜଧାନୀରୁ ୧୧୬ ଆକ୍ରାନ୍ତ ଚିହ୍ନଟ ହେଲେଣି । କଟକରୁ ଆଜି ୧୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କଟକ ସହରରୁ ସଟଡାଉନ୍‌ ହଟିଥିବା ବେଳେ ପୁରୁଣା ରାଉଶାପାଟଣା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ସି ଏମ୍ ସି । ସମ୍ପୃକ୍ତ ଅଞ୍ଚଳରୁ ଏକକାଳୀନ ୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଣେ ଡାକ୍ତରଙ୍କ ପୁଅ ପଜିଟିଭ୍ ଚିହ୍ନଟ ପରେ ବାଙ୍କି ଉପଖଣ୍ଡସ୍ତରୀୟ ମେଡ଼ିକାଲ ଆଉଟଡ଼ୋରକୁ ୨୪ ଘଣ୍ଟା ବନ୍ଦ କରାଯାଇଛି।

ଆଜି କୋରାପୁଟ ଜିଲ୍ଲାରୁ ୫୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ​‌ବେଳେ ନବରଙ୍ଗପୁରରୁ ୪୦ ଏବଂ ମାଲକାନଗିରିର ୧୪ ଜଣ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବଢୁଥିବାରୁ ମାଲକାନଗିରି ଓ ବାଲିମେଳା ସହରକୁ ୧୯ ତାରିଖ ଯାଏ ସଟ୍ ଡାଉନ୍ ଘୋଷଣା କରାଯାଇଛି। ସଂକ୍ରମଣକୁ ରୋକିବା ଲାଗି ୧୩ଟି ଜିଲ୍ଲାର ଲୋକଙ୍କୁ ମାଲକାନଗିରି ଆସିବା ଲାଗି ବାରଣ କରାଯାଇଛି । ଜରୁରୀ କାମରେ ଆସିଲେ ୧୪ ଦିନ ବାଧ୍ୟତାମୂଳକ କ୍ବାରାଇଣ୍ଟାନରେ ରହିବାକୁ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.