CORONA UPDATE : ତାମିଲନାଡୁରେ ପ୍ରଥମ ମୃତ୍ୟୁ, ୧୧କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା, ସାରା ଦେଶରେ ୫୬୦ ସଂକ୍ରମିତ

Published By : Prameya-News7 Bureau | March 25, 2020 IST

ନୂଆଦିଲ୍ଲୀ ୨୫।୩: ଦେଶରେ କରୋନା ଭାଇରସ୍ ସଂକ୍ରମଣରେ ଆଉ ଜଣଙ୍କର ଜୀବନ ଯାଇଛି । ତାମିଲନାଡୁରେ କରୋନା ଭାଇରସ୍ ଯୋଗୁଁ ପ୍ରଥମ ମୃତ୍ୟୁ ହୋଇଛି । ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ ଯେ, ଏହି ବ୍ୟକ୍ତି ଜଣଙ୍କ ବିଦେଶ ଯାତ୍ରା କରିନଥିଲେ ।

ବ୍ୟକ୍ତି ଜଣଙ୍କ ୨୩ ମାର୍ଚ୍ଚରେ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଥିଲେ । ଏହାପରେ ସଂପୃକ୍ତ ବ୍ୟକ୍ତିଙ୍କର ଚିକିତ୍ସା ରାଜାଜୀ ହସ୍ପିଟାଲରେ ଆରମ୍ଭ ହୋଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସଂପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁକୁ ମିଶାଇ ସାରା ଦେଶରେ କରୋନା ଭାଇରସ୍ ଦ୍ବାରା ମୃତ୍ୟୁ ହୋଇଥିବା ରୋଗୀଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି ।

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ମଦୁରାଇ ବାସିନ୍ଦା ୫୪ ବର୍ଷ ବୟସ୍କ ବ୍ୟକ୍ତିଙ୍କର ବୁଧବାର ମୃତ୍ୟୁ ହୋଇଛି । ଗତ ଦୁଇ ଦିନ ହେଲା ରାଜାଜୀ ହସ୍ପିଟାଲରେ ସଂପୃକ୍ତ ବ୍ୟକ୍ତିଙ୍କର ଚିକିତ୍ସା ଚାଲିଥିଲା । ମାତ୍ର ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିନଥିଲା । ତାଙ୍କର ଡାଇବେଟିସ୍ ସହ ହାଇପରଟେନସନ୍ ସମସ୍ୟା ମଧ୍ୟ ରହିଥିଲା । ତାଙ୍କ ସ୍ବାସ୍ଥ୍ୟାବସ୍ଥା ଲଗାତର ଖରାପ ହେବାରେ ଲାଗିଥିଲା । ବୁଧବାର ସକାଳେ ତାଙ୍କର ମୃତ୍ୟୁ ହୋଇଛି ।

ତାମିଲନାଡୁରେ ଏର୍ଯ୍ୟନ୍ତ କରୋନାରେ ୧୮ ଜଣ ସଂକ୍ରମିତ ହୋଇସାରିଲେଣି । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଠିକ୍ ହୋଇ ଘରକୁ ଫେରିସାରିଛନ୍ତି ।

ସାରା ଦେଶରେ ଏପର୍ଯ୍ୟନ୍ତ କରୋନା ଭାଇରସ୍ ରେ ୫୬୦ଜଣ ସଂକ୍ରମିତ ହୋଇସାରିଲେଣି । ଯେଉଁଥିରୁ ୧୧ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୪୬ ସୁସ୍ଥ ହୋଇସାରିଛନ୍ତି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ୨୧ ଦିନ ପାଇଁ ଲକ୍ ଡାଉନ୍ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.