ଶିଶୁଙ୍କୁ କରୋନା: ଗତକାଲି ପଜିଟିଭ୍‌ ଆସିଥିବା ୪ଜଣଙ୍କ ମଧ୍ୟରେ ୩ ଜଣ ଝାରପଡା ଅଞ୍ଚଳର

Published By : Prameya-News7 Bureau | April 10, 2020 IST

ଭୁବନେଶ୍ବର୧୦/୪: ଶିଶୁଙ୍କୁ କରୋନା। ୫ ବର୍ଷର ଶିଶୁ କରୋନା ଆକ୍ରାନ୍ତରେ ଶିକାର ହୋଇଛନ୍ତି। ୯ବର୍ଷର ଝିଅକୁ ବି କରୋନା। ୪ କରୋନା ପଜିଟିଭ୍‌ଙ୍କ ଟ୍ରାଭେଲ୍‌ ହିଷ୍ଟ୍ରି ସ୍ବାସ୍ଥ୍ୟ ବିଭାଗ ପ୍ରକାଶ କରିଥିବା ବେଳେ ଏଥିରୁ ଆସିଛି କିଛି ସାଂଘାତିକ ତଥ୍ୟ।  ଗତକାଲି ପଜିଟିଭ୍‌ ଆସିଥିବା ୪ଜଣଙ୍କ ମଧ୍ୟରେ ୩ ଜଣ ଝାରପଡା ଅଂଚଳର । ଜଣେ ୫ ବର୍ଷର ଏବଂ ଅନ୍ୟ ଜଣେ ୯ ବର୍ଷର ଶିଶୁ ଏବଂ ଜଣେ ୩୭ ବର୍ଷିୟା ମହିଳା । ପ୍ରଥମ ଥର ପାଇଁ ରାଜ୍ୟରେ କୌଣସି ଶିଶୁ କରୋନାର ଶିକାର ହୋଇଛନ୍ତି ।  ଏମାନେ ସମସ୍ତେ ୪୨ ନମ୍ବର ରୋଗୀଙ୍କ ସଂପର୍କୀୟ ।

{"id":252053,"sizeSlug":"large"}

ଏମାନେ ଏମ୍‌ସରେ ଚିକିତ୍ସିତ ହେଉଥିବା ୪୨ ନମ୍ବର ରୋଗୀଙ୍କୁ ଦେଖିବାକୁ ଯାଇଥିଲେ। ସେବେଠାରୁ ସେମାନଙ୍କୁ ଆଇସୋଲେସନରେ ରଖାଯାଇଥିଲା। ଏବେ ପରେ ପରୀକ୍ଷାରୁ ଏମାନେ ପଜିଟିଭ୍‌ ଆସିଛନ୍ତି। ସେହିପରି କଳାହାଣ୍ଡିରେ ଚିହ୍ନଟ ହୋଇଥିବା ଦ୍ବିତୀୟ କରୋନା ଆକ୍ରାନ୍ତ ୨୦ ବର୍ଷର ଯୁବକ । ଗତ ୫ ତାରିଖରୁ ସେ କ୍ବାରାଣ୍ଟାଇନରେ ରହିଥିଲେ । ବିଦେଶ ଫେରନ୍ତା ଜିଲ୍ଲାର ପ୍ରଥମ ପଜିଟିଭଙ୍କ ସହ କ୍ରିକଟେ ଖେଳି ସେ କରୋନାକୁ ନିମନ୍ତ୍ରଣ କରିଛନ୍ତି।  ଏହାପରେ ତାଙ୍କ ଗାଁ ସହ ଆଖପାଖର ୫ଟି ଗାଁକୁ ବଫର ଜୋନ୍ ଭାବେ ଘୋଷଣା କରାଯାଇଛି । ଦ୍ବିତୀୟ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ଏହାଛଡା ଦ୍ବିତୀୟ ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲାରେ ତିନି ଦିନିଆ ବିଶେଷ ଡ୍ରାଇଭ୍ ଆରମ୍ଭ କରାଯିବ । ପ୍ରତ୍ୟେକ ୫୦ ପରିବାରଙ୍କୁ ଏହି ଯାଞ୍ଚ ପ୍ରକ୍ରିୟାରେ ସାମିଲ୍ କରାଯିବ ।

{"id":252056,"sizeSlug":"large"}

ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଦେଶ ତୁଳନାରେ ରାଜ୍ୟରେ କରୋନା ପଜିଟିଭ୍ ହାର କମ୍ । ଦେଶରେ ପଜିଟିଭ୍ ହାର ୪.୪୨ ରହିଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ୧.୪୭ ପ୍ରତିଶତ । ରାଜ୍ୟରେ ଏଯାଏ ୩୨୪୯ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୪୮ ଜଣଙ୍କ ପଜିଟିଭ୍ ଆସିଛି । ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି, ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୪୫ ଜଣଙ୍କର ଚାଲିଛି ଚିକିତ୍ସା । ବିଭିନ୍ନ ହସ୍‌ପିଟାଲରେ ୧୧୩ ଜଣ ଆଇସୋଲେସନରେ ଅଛନ୍ତି । ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରତ ବାଗଚୀ ଏହି ସୂଚନା ଦେଇଛନ୍ତି।

ଏବେ ଟେଷ୍ଟିଂ ଉପରେ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ୧୦ ଘଣ୍ଟାରେ କରୋନା ପରୀକ୍ଷା କରାଯାଇପାରିବ ବୋଲି କୁହାଯାଇଛି ।  ଏସସିବି ପରେ ଏମକେସିଜି ଏବଂ ଭୀମ୍‌ସାରରେ କରୋନା ଟେଷ୍ଟ ହେବ । ଏଥିପାଇଁ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଅନୁମତି ଦେଇଛି । ଏମକେସିଜିରେ ଆସନ୍ତା ୧୩ ରୁ ଏବଂ ଭୀମସାରରେ ୧୫ ତାରିଖରୁ ଦୈନିକ ୨୫ ଟି ଲେଖାଏ ନମୁନା ପରୀକ୍ଷା କରାଯିବ । କରୋନା ଟେଷ୍ଟ ପାଇଁ ମୁମ୍ବାଇରୁ ଆସିଛି ୪ ହଜାର କିଟ୍‌ । ସେପଟେ ରାଜ୍ୟରେ କାର୍ଯ୍ୟକ୍ଷମ ହୋଇଛି ଆଉ ଦୁଇଟି କୋଭିଡ ହସ୍ପିଟାଲ । ଟାଟା ଷ୍ଟିଲ ସହାୟତାରେ ଗଞ୍ଜାମ ଜିଲ୍ଲାରେ ଗୋଟିଏ ଏବଂ ଯାଜପୁର ଜିଲ୍ଲା ଗୋଟିଏ ମେଡିକାଲ କାର୍ଯ୍ୟକ୍ଷମ ହୋଇଛି । ଗଞ୍ଜାମ ଜିଲ୍ଲାର ଶୀତଳପଡ଼ାରେ ୨୨୫ ବେଡ ଖୋଲିଛି ଯେଉଁଥିରେ ୨୫ଟି ଆଇସିୟୁ ବେଡ ରହିଛି । ସେହିପରି କଳିଙ୍ଗ ନଗର ଅଞ୍ଚଳରେ ୧୫୦ଟି ବେଡର ବ୍ୟବସ୍ଥା ହୋଇଛି ।

ଦୁଇ ଶିଶୁ  ଯେ କରୋନା ଆକ୍ରାନ୍ତଙ୍କୁ ଭେଟିବାକୁ ହସ୍ପିଟାଲକୁ ଆପଣଛାଏଁ ଯାଇଥିବେ ତାହା ହୋଇନଥିବ। ଏଥିରେ ବଡ଼ମାନେ ଯେ ଅସାବଧାନ ହୋଇଛନ୍ତି ତାହା ସୂଚନା ମିଳୁଛି। ଏଣୁ ସରକାର ଜାରି କରୁଥିବା ନିୟମକୁ ପାଳନ ନକଲେ ଏହା ଯେ ପରିବାରର ଅନ୍ୟମାନଙ୍କ ଉପରେ ପ୍ରଭାବ ପକାଉଛି ତାହା ଏହି ଘଟଣାକୁ ସାମ୍ନାକୁ ଆସୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.